ରାଜ୍ୟସ୍ତରୀୟ ନାଟ୍ୟମେଳା-୨୦୨୪ ଉଦ୍‌ଘାଟିତ, ମଞ୍ଚସ୍ଥ ହେଲା ନାଟକ ‘ଅରୂପା ରୂପା’

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ଚତୁର୍ଥ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ମାର୍ଚ୍ଚ୧ ତାରିଖ ଶୁକ୍ରବାର ଦିନ ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି । ଏଥିରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଏବଂ ସମ୍ମାନିତ ଅତିଥିଭାବେ ନାଟ୍ୟକାର ଅରିନ୍ଦମ ମିଶ୍ର ଯୋଗଦାନ କରି ନାଟକ ଉତ୍ସବକୁ ଉଦଘାଟନ କରିଥିବା ବେଳେ ନାଟ୍ୟାନୁଷ୍ଠାନ ନାଟ୍ୟଧାରା ପକ୍ଷରୁ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଏବଂ ନାଟ୍ୟଧାରା ନିର୍ଦ୍ଦେଶକ ଡ.ବିଜୟ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

ଦୀର୍ଘ ସାତଦିନ ଧରି ହେବାକୁଥିବା ଏହି ନାଟ୍ୟମେଳାର ଉଦ୍‌ଘାଟନୀ ଦିବସରେ ନାଟ୍ୟଧାରା, ନୟାଗଡ଼ ପକ୍ଷରୁ ନାଟ୍ୟକାର ଅରିନ୍ଦମ ମିଶ୍ରଙ୍କ ରଚିତ ଏବଂ ନାଟ୍ୟଭୂଷଣ ଡ.ବିଜୟ କୁମାର ଚୌଧୁରୀଙ୍କ ନିର୍ଦ୍ଦେଶିତ ନାଟକ ‘ଅରୂପା ରୂପା’ ମଞ୍ଚସ୍ଥ ହୋଇଥିଲା । ଏକ ଅନାଥ ଶିଶୁକନ୍ୟାକୁ ନେଇ ଅସନ୍ତୋଷ ଦେଖା ଦିଏ ଲିଭଇନ୍ ସମ୍ପର୍କରେ ରହୁଥିବା ଅନୁ ଏବଂ ଅଭିଙ୍କ ମଧ୍ୟରେ । ଗର୍ବ, ଅହଂକାର,ଇର୍ଷା ଏବଂ ସ୍ୱାଭିମାନକୁ ନେଇ ସମ୍ପର୍କରେ ସୃଷ୍ଟି ହୁଏ ଫାଟ । ଶିଶୁ କନ୍ୟା ରୂପାକୁ ଅଭିଙ୍କ ଅନିଛା ସତ୍ୱେ ପୋଷ୍ୟ ସନ୍ତାନଭାବେ ଗ୍ରହଣ କରନ୍ତି ଅନୁ । ଏହାକୁ ସହ୍ୟ କରିପାରନ୍ତିନି ପୁରୁଷ ବନ୍ଧୁ ଅଭି, ଫଳରେ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୁଏ ମାନସିକ ଅଶାନ୍ତି । ଅଶାନ୍ତିର ବାହ୍ୟପ୍ରକାଶ ଘଟେ ଯୁକ୍ତିତର୍କ ସହିତ ବାଚନିକ କଳହରେ । ଏଭଳି ପରିସ୍ଥିତିରେ ପୋଷ୍ୟ ସନ୍ତାନ ରୂପା ଉଭୟଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣାକୁ ଭଲ ପାଇବାରେ ପରିଣତ କରି ଏକାଠି କରାଇବା ସହିତ ନିଜର ସ୍ଥିତିକୁ ସୁଦୃଢ଼ କରେ । ଏପରି ଏକ କାହାଣୀକୁ ନେଇ ମଞ୍ଚସ୍ଥ ହୋଇଥିଲା ନାଟକ ‘ଅରୂପା ରୂପା’ । ଏଥିରେ ବିଭିନ୍ନ ଭୂମିକାରେ ରିଙ୍କୁ, ବାପି, ବାପୁ, ଟୁନା, ନିଶିକାନ୍ତ, ଲକି, ଖଟୁଆ ବାବୁ, ସିଂ ବାବୁ, ଚିଣ୍ଟୁ, ସୋନାଲି, ପ୍ଲାଜା ଏବଂ ଡାକୁ ପ୍ରମୁଖ ଅଭିନୟ କରିଥିବା ବେଳେ ନାଟକଟିକୁ ଅଡିଟୋରିୟମରେ ଭରପୂର ଦର୍ଶକ ବେଶ ଉପଭୋଗ କରିଥିଲେ।

Related posts