କୁରାଳ ଉଚ୍ଚ ବିଦ୍ୟାଳୟରେ ‘ସବୁଜ ବାହିନୀ’ର ବାର୍ଷିକ ଉତ୍ସବ

ଓଡଗାଁ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ୍ କୁରାଳ ସ୍ଥିତ ଆନନ୍ଦ ସାହୁ ସରକାରୀ ଉଚ୍ଚ ବିଦ୍ୟାଳୟର ‘ଯୁବ ଏବଂ ସବୁଜ ବାହିନୀ’ର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୀମାଞ୍ଚଳ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ଦାଶ ଏବଂ ସବୁଜ ବାହିନୀ ମାର୍ଗ ଦର୍ଶିକା ସସ୍ମିତା ପାଣିଗ୍ରାହୀ ସଭା ସଂଯୋଜନା କରିଥିବା ବେଳେ ପ୍ରକୃତି ତଥା ସମାଜର ବନ୍ଧୁ ସୁକାନ୍ତ ଚୌଧୁରୀ ମୁଖ୍ୟଅତିଥି ରୂପେ ଯୋଗଦେଇ ସବୁଜ ସୁନ୍ଦର ଏ ପୃଥିବୀର ସୁରକ୍ଷା ନିମନ୍ତେ ଭ.ବ.ନ ସୂତ୍ର (ଭଲହେବା, ବନ୍ଧୁହେବା, ନଷ୍ଟ କରିବାରୁ କ୍ଷାନ୍ତହେବା)ର ବାଖ୍ୟାନ କରି ସହଯୋଗୀ ହେବା ନିମନ୍ତେ ଆହ୍ବାନ କରିଥିଲେ। ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ, ଜଙ୍ଗଲ ସୁରକ୍ଷା, ବୃକ୍ଷ ରୋପଣ, ଡଷ୍ଟବିନର ବ୍ୟବହାର, ପାଳ ପୋଡ଼ି ଜନିତ ପ୍ରଦୂଷଣ ରୋକିବା, ଜଳ, ବିଦ୍ୟୁତ ତଥା ମୃତ୍ତିକା ସଂରକ୍ଷଣ ନିମନ୍ତେ ସମସ୍ତଙ୍କୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଚୌଧୁରୀ ଶପଥ ପାଠ କରାଇଥିଲେ। ବିଦ୍ୟାଳୟ ପରିସରକୁ ପ୍ଲାଷ୍ଟିକ ମୁକ୍ତ କରିବା ନିମନ୍ତେ ବିଦ୍ୟାଳୟ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଅଛି। କଳି ଯୁଗର ଶିବ କିଏ, ଗଛ ନୁହେଁ ତ ଆଉ କିଏ, ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ, ସୁରକ୍ଷିତ ହେବ ଆମ ଜୀବନ, ପରିବେଶ ସୁରକ୍ଷା, ଜୀବନ ରକ୍ଷା ଇତ୍ୟାଦିର ସ୍ଲୋଗାନ କାର୍ଯ୍ୟକ୍ରମକୁ ଉତ୍ସବ ମୁଖରିତ କରିଥିଲା। ଅନୁଷ୍ଠାନ ତରଫରୁ ମୁଖ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିବେଶ ସମ୍ବନ୍ଧିତ ବତ୍କୃତା, ଚିତ୍ର, ପ୍ରବନ୍ଧ ଇତ୍ୟାଦି ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଛାତ୍ରୀମାନଙ୍କ ସୁନ୍ଦର ଅଭିନୟ ମନମୁଗ୍ଧକର ହୋଇଥିଲା। ବରିଷ୍ଠ ଶିକ୍ଷୟିତ୍ରୀ ପୁଷ୍ପିତା ପାଣିଗ୍ରାହୀ, କଳ୍ପନା ପାଣିଗ୍ରାହୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ତଥା ବିଦ୍ୟାଳୟର ପରିଚାଳନା କମିଟି ସଭ୍ୟ/ସଭ୍ୟାଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପାଦିତ ହୋଇଥିଲା।

Related posts