ଓଡ଼ଗାଁ କଲେଜରେ ନୂତନ ସ୍ମାର୍ଟ ଶ୍ରେଣୀ ଗୃହ ଓ ପାନୀୟ ଜଳ ବିତରଣ କେନ୍ଦ୍ର ଉଦଘାଟିତ

ଓଡ଼ଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପରିସରରେ ୧ କୋଟି ୫୦ ଲକ୍ଷ ବ୍ୟୟ ଅଟକଳରେ ନୂତନ ଅତିରିକ୍ତ ସ୍ମାର୍ଟ ଶ୍ରେଣୀ ଗୃହ ଓ ୧୨ ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ନୂତନ ପାନୀୟ ଜଳ ବିତରଣ କେନ୍ଦ୍ର ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ କରକମଳରେ ଉଦଘାଟିତ ହୋଇଯାଇଛି।ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ସୁରେଶ ଚନ୍ଦ୍ର ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ନୟାଗଡ଼ ବିଧାୟକ ଡ଼ ସାହୁ ମୁଖ୍ୟ ଅତିଥିରୂପେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିରୂପେ ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ତହସିଲଦାର ମାନସ ରଞ୍ଜନ ଭୋଇ,ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଶାସନ ସ୍ୱାଇଁ,ଓଡ଼ଗାଁ କଲେଜ ଅଧ୍ୟକ୍ଷ ରାଜକିଶୋର ସାହୁ,ସରକାରୀ ବହୁବୃତ୍ତି ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ ସୁର୍ଯ୍ୟମଣି ସାହୁ,ପୂର୍ବତନ ସରପଞ୍ଚ ଦିବାକର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ ଅତିଥି ଡ଼ ସାହୁ ସାରା ଓଡ଼ିଶାରେ ଥିବା କଲେଜ ମଧ୍ୟରୁ ଓଡ଼ଗାଁ କଲେଜକୁ ସ୍ୱତନ୍ତ୍ର ଭାବରେ ବିକଶିତ କରାଯାଇଛି। ଏକ ସୁନ୍ଦର ପରିବେଶ ଓ ଶୈକ୍ଷିକ ବାତାବରଣ ମଧ୍ୟରେ କଲେଜ ଆଗକୁ ବଢୁଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱ ଓ ୫ଟି ରୂପାନ୍ତରଣ କାର୍ଯ୍ୟକ୍ରମ ଶିକ୍ଷାନୁଷ୍ଠାନର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହିତ ଶିକ୍ଷାନୁଷ୍ଠାନର ପରିଚାଳନା କମିଟିକୁ ମଧ୍ୟ ସଂଗଠିତ କରିଛି। ଫଳରେ ଶିକ୍ଷାନୁଷ୍ଠାନ ହତା ପରିସରରେ ସ୍ମାର୍ଟ ଶ୍ରେଣୀ ଗୃହ, ନୂତନ ଛାତ୍ରୀ ନିବାସ, ଇ-ପାଠାଗାର, ଆଇସିଟି ଲ୍ୟାବ, ଅତ୍ୟାଧୁନିକ ଖେଳପଡିଆ ପିଲାଙ୍କ ପାଠପଢ଼ା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି। ଯାହା ଫଳରେ କଲେଜର ବିକାଶ ସାଙ୍ଗକୁ ଶିକ୍ଷାର ମାନବୃଦ୍ଧି ହୋଇଛି ବୋଲି ମତ ରଖିଥିଲେ।ନୟାଗଡ଼ ବିଧାୟକଙ୍କ ପ୍ରଚେଷ୍ଟାରେ ଓଡ଼ଗାଁ କଲେଜ ମଧ୍ୟରେ ବୈପ୍ଲବିକ ପରିବର୍ତ୍ତନ ଆସିଛି ବୋଲି କଲେଜ ଅଧ୍ୟକ୍ଷ ଶ୍ରୀ ସାହୁ କହିଥିଲେ। ଠିକ ସେହିପରି ଓଡ଼ଗାଁ କଲେଜ ଆଜି କର୍ପୋରେଟ ସେକ୍ଟରରେ ପରିଣତ ହୋଇଛି ବୋଲି ପରିଚାଳନା ପରିଷଦ ସଭାପତି ଶ୍ରୀ ହୋତା ମତବ୍ୟକ୍ତ କରିଥିଲେ। ଶିକ୍ଷା ବିଭାଗ ବିଭାଗୀୟ ମୁଖ୍ୟ ପ୍ରଦୀପ୍ତ କୁମାର ବିଶ୍ବାଳ, ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ସୁକାନ୍ତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କଲେଜର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Related posts