ନୟାଗଡ଼ ଜିଲ୍ଲାର ଗର୍ବ ଓ ଗୌରବ ଡ଼ଃ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ହେବେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅନ୍ତର୍ଗତ ପନ୍ତିଖାରୀ ଶାସନ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଡ଼ ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଅକ୍ଟୋବର ୪ ତାରିଖରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପାଇଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି l ଏହି ବିଜ୍ଞତି ପାଇବା ପରେ ଖବରଟି ବିଜୁଳି ବେଗରେ ସମଗ୍ର ରାଜ୍ୟରେ ପ୍ରଚାରିତ ହୋଇଥିଲା। ରାତି ପାହିବା ବେଳକୁ ବୈଦ୍ୟୁତିକ, ସାମାଜିକ ଅଥବା ଛାପା ଗଣମାଧ୍ୟମରୁ ଖବର ପାଇ ଜଷ୍ଟିସ ଷଡଙ୍ଗୀଙ୍କ ଜନ୍ମ ସ୍ଥାନ ଓଡ଼ଗାଁ ଅଞ୍ଚଳରେ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା। ପିଲାଟି ଦିନରୁ ନିଜ ଗାଁ ତଥା ଅଞ୍ଚଳ ପାଇଁ ବିଶେଷ ଆକର୍ଷଣ ରହିଥ‌ିବାରୁ ଏକଥାକୁ ଅଞ୍ଚଳବାସୀ ବେଶ ମନେ ରଖିଛନ୍ତି ଏବଂ ନିଜକୁ ଗୌରବାନ୍ବିତ ମନେ କରୁଛନ୍ତି। କେବଳ ଜନ୍ମମାଟି ଓଡ଼ଗାଁ ନୁହେଁ ନୟାଗଡ଼ ଜିଲ୍ଲା ତଥା ସମଗ୍ର ରାଜ୍ୟର ନ୍ୟାୟାଳୟମାନଙ୍କର ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବରେ ତାଙ୍କର ଅବଦାନ ରହିଛି। ବିଶେଷ କରି ୨୦୧୩ମସିହାରେ ସେ ଓଡିଶା ହାଇକୋର୍ଟରେ ଜର୍ଜ ହେବା ପରେ ତାଙ୍କ ଚିନ୍ତାଧାରାରୁ ନିସୃତ ଓଡ଼ଗାଁ ଠାରେ ନିର୍ମାଣ ହୋଇଥବା ଆଦର୍ଶ କୋର୍ଟ କମ୍ପ୍ଲେକ୍ସ ସମଗ୍ର ଦେଶ ପାଇଁ ଉଦାହରଣ ହୋଇ ରହିଛି। ନୟାଗଡ଼ରେ ନୂତନ କୋର୍ଟ ବିଲଡିଙ୍ଗ ନିର୍ମାଣ, ମହିଳା କୋର୍ଟ, ପକସୋ କୋର୍ଟ, ଏଲ.ଆର କୋର୍ଟ, ପରିବାର ଅଦାଲତ ସହିତ ସମସ୍ତ ଆଠ ଗୋଟି ବ୍ଲକରେ ରହିଥ‌ିବା କୋର୍ଟ ଗୁଡିକର ପୁନର୍ଗଠନରେ ତାଙ୍କର ସ୍ପର୍ଶ ରହିଛି। ଓଡିଶାରେ ପେପରଲେସ ଓ ଡିଜିଟାଲାଇଜେସନ କୋର୍ଟ କାର୍ଯ୍ୟକ୍ରମରେ ତାଙ୍କର ସହଯୋଗ ଅତୁଳନୀୟ। ଓଡ଼ଗାଁରେ ଗ୍ରାମ୍ୟ ନ୍ୟାୟାଳୟ ଠାରୁ ଆରମ୍ଭ କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ କୋର୍ଟ ପ୍ରତିଷ୍ଠା ତାଙ୍କରି ଉଦ୍ୟମରେ ହୋଇପାରିଛି ବୋଲି ଓଡ଼ଗାଁ ବାର ଆସୋସିଏସନର ଓକିଲମାନେ କୁହନ୍ତି। ଦ୍ବାର ଆଇନସେବା ପହଞ୍ଚାଇବା ସହିତ ତ୍ବରିତ ନ୍ୟାୟ ପ୍ରଦାନ ନିମନ୍ତେ ନ୍ୟାୟପାଳିକାର ସମସ୍ତ ନ୍ୟାୟିକ ଅଧିକାରୀ ଓ କର୍ମଚାରୀମାନେ କଠିନ ପରିଶ୍ରମ କରିବା ପାଇଁ ସେ ପରାମର୍ଶ ଦିଅନ୍ତି ଏବଂ ନିଜେ ୧୮ ଘଣ୍ଟାରୁ ଅଧ‌ିକ ପରିଶ୍ରମ କରି ଉଦାହରଣ ସୃଷ୍ଟି କରିଛନ୍ତି। ଆଜିର ଯୁବପିଢୀ ବିଫଳତାରେ ନିରାଶ ନ ହୋଇ ପରିଶ୍ରମ ଓ କର୍ତ୍ତବ୍ୟ କରି ଚାଲିଲେ ଦିନେ ସଫଳତା ନିଶ୍ଚୟ ମିଳିବ ବୋଲି ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଯୁବକମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି କରିଥିଲେ। ଯାହା ତତ୍କାଳୀନ ସମୟରେ ନୟାଗଡ଼ ଜିଲ୍ଲାରେ ଯୁବକମାନଙ୍କ ମଧ୍ୟରେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ପାଲଟିଥିଲା। ଆଜି ତାଙ୍କର ଏହି ସଫଳତାରେ ସେ ଶିକ୍ଷାଗ୍ରହଣ କରିଥିବା କିମ୍ବା ନକରିଥିବା ସ୍ଥାନୀୟ ଅଞ୍ଚଳ ତଥା ଜିଲ୍ଲାର ଶିକ୍ଷାନୁଷ୍ଠାନଗୁଡିକ ଗୌରବାନ୍ବିତ ମନେ କରୁଥ‌ିବା ପ୍ରତିକ୍ରିୟାରୁ ଶୁଣିବାକୁ ମିଳିଛି। ସୂଚନାଯୋଗ୍ୟ ଜଷ୍ଟିସ ଷଡଙ୍ଗୀ ରଙ୍ଗଣୀପାଟଣା ଉଦ୍ଧବ ମଧ୍ଯ ଇଂରାଜୀ ବିଦ୍ୟାଳୟରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାସ୍‌ କରିବା ପରେ ରଘୁନାଥ ବିଦ୍ୟାପୀଠ ଓଡ଼ଗାଁରୁ ମାଟ୍ରିକ ପାସ କରିଥିଲେ। ଏବଂ ପରେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟରୁ ଇଣ୍ଟର ମିଡ଼ିଏଟ ଶିକ୍ଷା ସାରି ବିଜେବି କଲେଜରୁ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ। ପରେ ସେ ମଧୁସୁଦନ ଲ କଲେଜରୁ ଏଲଏଲବି ଓ ଏଲଏଲଏମ ପାସ୍ କରିଥିଲେଳ l ଏବଂ ପରବର୍ତ୍ତୀ ସମୟରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ପିଏଚଡି ଶିକ୍ଷା ଗ୍ରହଣ କରିଥିଲେ। ବରିଷ୍ଠ ଆଇନଜୀବୀ ତତ୍କାଳୀନ ଆଡଭୋକେଟ ଜେନେରାଲ ସ୍ବର୍ଗତ ଗଙ୍ଗାଧର ରଥଙ୍କ ଅଧିନରେ ରହି ହାଇକୋର୍ଟରେ ପ୍ରାକ୍ଟିସ ଆରମ୍ଭ କରିଥିଲେ।

Related posts