ଗାଁ’କୁ ଫେରିବେ ୨୦ ପରିବାର, ଗଠନ ହେଲା ଶାନ୍ତି କମିଟି

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ଶରଣକୁଳ ଥାନା ଅନ୍ତର୍ଗତ ଜାକେଡା ଗ୍ରାମର ଅନୁସୂଚିତ ଜାତି ଲୋକ ଓ ସାଧାରଣ ବର୍ଗର ଲୋକଙ୍କ ମଧ୍ୟରେ ଗ୍ରାମର କୋଠ ସମ୍ପତ୍ତି, ମାଛ ଚାଷ, ଆମ୍ବତୋଟା ଓ କାଜୁ ଜଙ୍ଗଲକୁ ନେଇ ଅନୁସୂଚିତ ଜାତିର ୨୦ଟି ପରିବାର ଓ ସାଧାରଣ ବର୍ଗର ଲୋକମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁ ମୁହିଁ ହୋଇ ଦୁଇ ଜଣଙ୍କୁ ଅପହରଣ ଓ ଗଣ୍ଡଗୋଳ ସମ୍ପର୍କରେ ଥାନାରେ ଅଭିଯୋଗ ହେବାରୁ ଉତ୍ତେଜନା ଆହୁରି ଅଧିକ ହୋଇଥିଲା । ଫଳରେ ଅନୁସୂଚିତ ଜାତିର ୨୦ଟି ପରିବାରର ୮୦ରୁ ଅଧିକ ସଦସ୍ୟ ଗାଁ’ଛାଡି ପ୍ରଥମେ ଶିଖରପୁର ପରେ ନୟାଗଡ଼ ପାଣିପୋଇଲା ଏବଂ ଶେଷରେ ଭୁବନେଶ୍ବର ପିଏମଜି ଛକରେ ଧାରଣା ଦେଇଥିଲେ ।

ଗତବର୍ଷ ନଭେମ୍ବର ମାସ ୨୬ ତାରିଖରେ ଜିଲ୍ଲା ପ୍ରଶାସନ ଧାରଣାଧାରୀଙ୍କୁ ନୟାଗଡ଼ ଫେରାଇ ଆଣି ଶରଣକୁଳ ଥାନା ପଛପାଖ ଯାତ୍ରୀ ନିବାସରେ ରଖି
ସେମାନଙ୍କ ଖାଦ୍ୟପେୟ ବ୍ୟବସ୍ଥା କରାଇଥିଲେ । ସମସ୍ୟାର କୌଣସି
ସମାଧାନ ହୋଇପାରି ନଥିବାରୁ ଆଜି ପର୍ଯ୍ୟନ୍ତ ଅନୁସୂଚିତ ପୁରୁଷ, ମହିଳା ଓ
ସେମାନଙ୍କ ପିଲାମାନେ ଯାତ୍ରୀ ନିବାସରେ ରହି ପଞ୍ଚାୟତ ଆଶ୍ରୟରେ ପଡି
ରହିଛନ୍ତି । ପ୍ରଶାସନ ପକ୍ଷରୁ ଶାନ୍ତି ପାଇଁ ଉଦ୍ୟମ କରାଯାଇଥିବା ବେଳେ ତାହା ସମ୍ଭବ ହୋଇନଥିବା ଦେଖାଯାଇଛି । ଆଜି ଏହି ସମସ୍ୟା ସମାଧାନର ବାଟ ଫିଟିଛି । ଆସନ୍ତା ୨୩ ତାରିଖରେ ଜାକଡା ଗ୍ରାମର ଅନୁସୁଚିତ ଜାତିର ଲୋକମାନେ ଗ୍ରାମକୁ ଫେରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ
ହୋଇଛି। ଆଜି ହରିଡ଼ାବନ୍ଧ ଗ୍ରାମ ପଞ୍ଚାୟତ ଠାରେ ଉଭୟ ପକ୍ଷର ଲୋକମାନଙ୍କୁ ଡାକି ଏକ ବୈଠକ କରାଯାଇଥିଲା । ଏହି ବୈଠକରେ ଅନୁସୁଚିତ ଜାତି ଓ ଜନଜାତିର ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ, ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଓଡ଼ଗାଁ ବିଡିଓ ସନ୍ତୋଷ କୁମାର ଜେନା, ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ, ଶରଣକୁଳ ଥାନା ଅଧିକାରୀ ଜୟଦିପ ମହାନ୍ତି, ସ୍ଥାନିୟ ସରପଞ୍ଚ ବେଣୁଧର ବିଶ୍ବାଳ, ସମିତିସଭ୍ୟ ମନୋରଞ୍ଜନ ପଢ଼ିଆରୀ, ବରିଷ୍ଠ ରାଜସ୍ବ ସହାୟକ ବନମାଳୀ ସ୍ବାଇଁ ଓ ଗ୍ରାମ୍ୟ କମିଟିର ସଭାପତି ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ୨୩ ତାରିଖରେ ଅନୁସୁଚିତ ଜାତିର ଲୋକମାନେ ଗ୍ରାମକୁ ଫେରିବା ପାଇଁ ରାସ୍ତା ଫିଟିଛି । ଏଥିନିମନ୍ତେ ଏକ ଶାନ୍ତି କମିଟି ଗଠନ କରାଯାଇଛି । ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ଉଭୟ ପକ୍ଷର ୫ଜଣ ଲେଖାଏଁ ଏହି କମିଟିରେ ରହିଛନ୍ତି । ଉକ୍ତ କମିଟିର ଉପଦେଷ୍ଟା ଭାବେ ସ୍ଥାନୀୟ ବିଡିଓ, ତହସିଲଦାର, ଥାନା ଆଇଆଇସି ଓ ଡିଡବ୍ଲୁଓ ରହିଛନ୍ତି । ୨୩ ତାରିଖ ପୂର୍ବରୁ ଶାନ୍ତି କମିଟି ରିପୋର୍ଟ ଦେବେ। ଏହି ଆଧାରରେ ଜାକେଡାବାସୀ ଗ୍ରାମକୁ ଫେରିଲେ ଏହା ଦ୍ବାରା ବହୁ ଦିନର ଏକ ସମସ୍ୟା ସମାଧାନ ହେବ ବୋଲି ଜଣାପଡିଛି ।

Related posts