ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୃଷ୍ଟି ହୋଇଥିବା ଉତ୍କଟ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ସଙ୍ଗଠନର ପ୍ରତିଷ୍ଠାତା ଅରଣ୍ୟରାଜ କିଶୋର ସିଂଙ୍କ ନିର୍ଦ୍ଦେଶରେ ଆଜି ପ୍ରଥମ ସାଧାରଣ ବୈଠକ ଏବଂ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ସ୍ଥିତ ପୁରୁଣା ରାଜବାଟିରେ ଆୟୋଜିତ ରକ୍ତଦାନ ଶିବିରକୁ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ହେମେନ୍ଦ୍ର ସେନାର ସଭାପତି ସୌମ୍ୟ ରଂଜନ ପ୍ରଧାନ, ସମ୍ପାଦକ ଶେଖ ଅବଦୁଲ ଆହାଦ, ସମାଜସେବୀ ଦାମୋଦର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ନୟାଗଡ଼ ମେଡିକାଲ କଲେଜ, ନୟାଗଡ଼ ମହାବିଦ୍ୟାଳୟକୁ ନୟାଗଡ଼ ବିଶ୍ବବିଦ୍ୟାଳୟ ରୂପେ ଘୋଷଣା ଏବଂ ନୟାଗଡ଼ରେ ହେଉଥିବା ଘନ ଘନ ବିଦ୍ୟୁତ କାଟ ଉପରେ ଆଲୋଚନା କରାଯିବା ସହ ଏହା ଉପରେ ଖୁବଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ନିଆଯିବା ନିମନ୍ତେ ସ୍ଥିର କରାଗଲା। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖାଯାଇଥିବା ରକ୍ତ ଅଭାବକୁ ଏଡ଼ାଇବା ନିମନ୍ତେ ସମସ୍ତ ନୟାଗଡ଼ିଆଙ୍କୁ ସଂଗଠନ ତରଫରୁ ପ୍ରେସ ବିଜ୍ଞପ୍ତି ଏବଂ ସାମାଜିକ ଗଣମାଧ୍ୟମରେ ଅନୁରୋଧ କରାଯାଉଅଛି। ଏହି ରକ୍ତଦାନ ଶିବିରରେ ସର୍ବମୋଟ ୩୫ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଦାନ ଶିବିର ପରେ ସମସ୍ତ ରକ୍ତଦାତାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ନବ ଗଠିତ ହେମେନ୍ଦ୍ର ସେନାର ପ୍ରଥମ ସାଧାରଣ ବୈଠକ ଏବଂ ରକ୍ତଦାନ ଶିବିର
