ଜିଲ୍ଲାର ୨୮ଜଣ ପ୍ରାଣୀ ଚିକିତ୍ସକଙ୍କ ସାମୁହିକ ଇସ୍ତଫା

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ ନୟାଗଡ଼ ଶାଖା ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାର ୨୮ ଜଣ ପ୍ରାଣୀ ଚିକିତ୍ସକ ସାମୁହିକ ଇସ୍ତଫା ଦେଇଥିବା ସୂଚନା ଦିଆଯାଇଛି । ନୟାଗଡ଼ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକଙ୍କ ସମେତ ସମସ୍ତ ଡାକ୍ତର ରାଜ୍ୟ ସରକାରଙ୍କ ବେନିୟମ ବଦଳି ପ୍ରତିବାଦରେ ଇସ୍ତଫା ଦେଇଥିବା କୁହାଯାଇଛି । ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘର ବିଭିନ୍ନ ଦାବି ନେଇ ସରକାରଙ୍କ ପାଖରେ ରଖିଥିବା ବେଳେ ମେ ୧ ତାରିଖରୁ ଡିଜିଟାଲ କାର୍ଯ୍ୟ ବନ୍ଦ କରିଛନ୍ତି । ଏଥିସହିତ ଛୁଟି ସମୟରେ କାର୍ଯ୍ୟ ନକରିବାକୁ ଘୋଷଣା କରିଛନ୍ତି । ସରକାର ସଂଘ ସହ ଆଲୋଚନା କରିବା ବଦଳରେ ସଂଘର କର୍ମକର୍ତ୍ତାଙ୍କୁ ବେଆଇନଭାବେ ଦୂର ଦୂରାନ୍ତକୁ ବଦଳି କରିଛନ୍ତି । ଏଥିରେ ନୟାଗଡ଼ ଜିଲ୍ଲାର ଦୁଇ ଡାକ୍ତରଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରାଯାଇଛି। ଡା. ଲିଙ୍କେଶ କାନୁନଗୋଙ୍କୁ ନୂଆପଡ଼ା ବଦଳି କରାଯାଇଥିବା ବେଳେ ଡା. ପ୍ରଦୀପ ଚୌଧୁରୀଙ୍କୁ ରାୟାଗଡ଼ା ବଦଳି କରାଯାଇଛି । ଯାହାକୁ ନେଇ ରାଜ୍ୟ ସଂଘ ନିଷ୍ପତ୍ତିକ୍ରମେ ଆଜି ସିଡିଭିଓ, ଏଡିଭିଓଙ୍କ ସମେତ ଜିଲ୍ଲାର ୨୮ଜଣ ପ୍ରାଣୀ ଚିକିତ୍ସକ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ସାମୂହିକ ଇସ୍ତଫା ପତ୍ର ପଠାଇ ଥିବା ସୂଚନା ଦେଇଛନ୍ତି । ଜିଲ୍ଲା ଶାଖା ସମ୍ପାଦକ ଡା. ବିଭୂପ୍ରସାଦ ଶତପଥି, କୋଷାଧ୍ୟକ୍ଷ ଡା. ଶୁଭାଶିଷ ମହାପାତ୍ରଙ୍କ ସମେତ ଅନ୍ୟ ସଦସ୍ୟମାନେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ।

Related posts