‘ଓଡ଼ଗାଁ ଇତିହାସ’ ପୁସ୍ତକ ପ୍ରକାଶନ ନିମନ୍ତେ ପ୍ରସ୍ତୁତି ବୈଠକ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ‘ଓଡ଼ଗାଁ ଇତିହାସ’ ପୁସ୍ତକ ପ୍ରକାଶନ ନିମନ୍ତେ ପ୍ରସ୍ତୁତି ବୈଠକ ସ୍ଥାନୀୟ ରାମ ସାଗର ପାର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ସାଂସ୍କୃତିକ ତଥା ଐତିହାସିକ ଜଗତକୁ ଅନେକ ଅବଦାନ ଥିବା ଓଡ଼ିଶାର ଦ୍ଵିତୀୟ ଶ୍ରୀକ୍ଷେତ୍ର ରୂପେ ପରିଚିତ ତଥା ଶ୍ରୀ ଶ୍ରୀ ରଘୁନାଥ ଜୀଉଙ୍କ ପବିତ୍ର ସ୍ଥାନ ହେଉଛି ଆମ ଓଡ଼ଗାଁ। କିନ୍ତୁ ଆଜିଯାଏଁ ଓଡ଼ଗାଁ ସମ୍ବନ୍ଧେ ଏକ ବିଧିବଦ୍ଧ ଇତିହାସ ପୁସ୍ତକ ପ୍ରକାଶିତ ହୋଇ ନଥିବାରୁ ଅନେକଙ୍କ ପାଖରେ ଏହାର ଗୌରବ ଅପହଞ୍ଚ ହୋଇ ରହିଅଛି। ସେଥିନିମନ୍ତେ ଏହି ଓଡ଼ଗାଁ ଇତିହାସ ପୁସ୍ତକ ପ୍ରକାଶନର ପରିକଳ୍ପନା କରାଯାଇଛି। ଓଡ଼ଗାଁ ଅଞ୍ଚଳରେ ଜଣାଶୁଣା ସ୍ବେଚ୍ଛାସେବୀ ସଂଗଠନ ଅରୋମୀରା ଟ୍ରଷ୍ଟ କୁରାଳ ପରିଚାଳକ ତଥା ପରିବେଶ, ସାମାଜିକ କର୍ମୀ ସୁକାନ୍ତ ଚୌଧୁରୀଙ୍କ ଆହ୍ୱାନ କ୍ରମେ ସ୍ଥାନୀୟ ଶିକ୍ଷାବିତ୍ ଓ ବୁଦ୍ଧିଜୀବିମାନଙ୍କୁ ନେଇ ରାମ ସାଗର ପାର୍କ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି। ଓଡ଼ଗାଁର ପ୍ରତ୍ୟେକ ବିଭବର ଉପଯୁକ୍ତ ପ୍ରକାଶ ନିମନ୍ତେ ରଘୁନାଥ ସମବାୟ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ. ଅଧିବାସ ପଣ୍ଡା, ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ବାଳ, କବି ପ୍ରଫୁଲ୍ଲ କୁମାର ମାଝୀ, ସଂଗଠନ ପ୍ରେମୀ ପ୍ରଫୁଲ୍ଲ ଡାକୁଆ, ଚିତ୍ରଶିଳ୍ପୀ ତଥା ସାହିତ୍ୟ ଅନୁରାଗୀ ହେମନ୍ତ ନାୟକ, କବି ପଞ୍ଚାନନ ସାହୁ, ଯୁବ ଲେଖକ ଶାନ୍ତନୁ ବିଶୋଇଙ୍କୁ ନେଇ ଏକ ସମ୍ପାଦନା ମଣ୍ଡଳୀ ଗଠନ କରାଯାଇଅଛି।ଆଗାମୀ ଓଡ଼ଗାଁ ମହୋତ୍ସବ ଅବସରରେ ଅରୋମୀରା ଟ୍ରଷ୍ଟ ସୌଜନ୍ୟରେ ଓଡ଼ିଗାଁ ଇତିହାସ ପୁସ୍ତକର ଲୋକାର୍ପଣ କରାଯିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଯାଇଅଛି। ଓଡ଼ଗାଁ ଅଞ୍ଚଳର ଆଗ୍ରହୀ ବନ୍ଧୁମାନେ ଏ ଦିଗରେ ନିଜେ ନିଜର ଅଭିମତ, ଲେଖା ଦେବା ସହ ବଦାନ୍ୟ ବ୍ୟକ୍ତିଙ୍କ ଗୁଣ୍ଡୁଚି ମୁଷାର ଏ ମହାନ୍ ପ୍ରୟାସରେ ସହଯୋଗ କରିବା ନିମନ୍ତେ ଆବାହକ ସୁକାନ୍ତ ଚୌଧୁରୀ ନିବେଦନ କରିବା ସହ ଏହି ଫୋନ୍ ନମ୍ୱର୍ 9938485313, 6370430106ରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି।

Related posts