ଜିଲ୍ଲାପାଳଙ୍କ ନାମରେ ଅଭିଯୋଗ କରିଥିବା ଲିଜଧାରୀଙ୍କ ନାମରେ ଫୌଜଦାରୀ ମୋକଦ୍ଦମା ପାଇଁ କୋର୍ଟର ନିର୍ଦ୍ଦେଶ

ମୟୁରଝାଲିଆ ଖଣି ଉପରେ ରାଷ୍ଟ୍ରୀୟ ସବୁଜ ନ୍ୟାୟାଧିକରଣ (NGT)ର ଚୁଡ଼ାନ୍ତ ରାୟ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ରଣପୁର ତହସିଲ ମୟୁରଝାଲିଆ ମୌଜାରେ ବେଆଇନ ମାଙ୍କଡ଼ା ପଥର ଓ ମୋରମ ଖନନ ସଂପର୍କୀତ କେସ ବାବଦରେ ରାଷ୍ଟ୍ରୀୟ ସବୁଜ ନ୍ୟାୟାଧିକରଣ, କୋଲକାତା (NGT, Kolkata)ଙ୍କର ଚୁଡ଼ାନ୍ତ ରାୟ ତା.୧୮.୦୪.୨୦୨୩ରିଖ ଦିନ ପ୍ରକାଶ ପାଇଛି । ତା.୦୬.୧୨.୨୦୨୨ରିଖରେ ଜିଲ୍ଲାପାଳ ଦାଖଲ କରିଥିବା ଜବାବି ସତ୍ୟପାଠକୁ କୋର୍ଟ ଗ୍ରହଣ କରି ସେହି ପ୍ରକାରେ ଲିଜଧାରୀ, ଅନ୍ୟଜଣେ ବ୍ୟକ୍ତି ଏବଂ ଏଥିରେ ସଂପୃକ୍ତ ଥିବା ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଦୁଇମାସ ମଧ୍ୟରେ ଫୌଜଦାରୀ ମୋକଦ୍ଦମା ରୁଜୁ କରିବା ସହ କ୍ଷତି ଭରଣା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଲିଜଧାରୀ ଜିଲ୍ଲାପାଳଙ୍କ ନାମରେ ଆଣିଥିବା ଅଭିଯୋଗକୁ କୋର୍ଟ ଗ୍ରହଣ କରିନାହାଁନ୍ତି।

ଘଟଣାରୁ ଜଣାପଡ଼ିଛି ଯେ, ମୟୁରଝାଲିଆ ମୌଜାର ୧୬୮୯ ପ୍ଲଟରୁ ଏ.୪.୦୦ ମାଙ୍କଡ଼ା ପଥର ଖଣି ପାଇଁ ସୁଶାନ୍ତ କୁମାର ବରାଡ଼ଙ୍କୁ ୫ବର୍ଷିଆ ଲିଜ୍ ସୂତ୍ରରେ ଦିଆଯାଇଥିଲା । ସେହିଭଳି ଅଗ୍ରୱାଲ ଇନଫ୍ରାବିଲଡ ପ୍ରାଇଭେଟ୍ ଲିମିଟେଡକୁ ସାଧାରଣ ମାଟି ଖନନ ଓ ପରିବହନ ନିମନ୍ତେ ଉକ୍ତ ପ୍ଲଟରୁ ଏ.୨.୦୦ ସାମୟିକ ପରମିଟ୍ ଦିଆଯାଇଥିଲା । କିନ୍ତୁ ସେମାନେ ଉକ୍ତ ପ୍ଲଟର ଅନ୍ୟାନ୍ୟ ଜାଗାରୁ ବେଆଇନ ଭାବେ ମାଙ୍କଡ଼ା ପଥର ଓ ମୋରମ ଚାଲାଣ କରିବା ସହ ଗ୍ରାମ୍ୟ ଜଙ୍ଗଲ ନଷ୍ଟ କରୁଥିବା ବାବଦରେ ଜାତୀୟ ସବୁଜ ନ୍ୟାୟାଧିକରଣ (NGT), କୋଲକାତାଙ୍କ ନିକଟରେ ଦିଲ୍ଲିପ କୁମାର ସାମନ୍ତରାୟ ଓ ଦିପକ କୁମାର ରାଉତରାୟ କେସ ନଂ.- OA 83/2022 ଅଭିଯୋଗ ଦାଖଲ କରିଥିଲେ ।

ଏ ସଂପର୍କରେ ବିଚାର କରାଯାଇ ବେଆଇନ ଖଣି ଖନନ କରି ଚୋରା ଚାଲାଣ କରିଥିବା ସୁଶାନ୍ତ କୁମାର ବରାଡ଼ ଓ ଇନଫ୍ରାବିଲଡ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଶଶାଙ୍କ ଅଗ୍ରୱାଲଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କ ବିରୁଦ୍ଧରେ OMMC Rule 2016 ଧାରା ୫୧ ଅନୁଯାୟୀ ଦୁଇମାସ ମଧ୍ୟରେ ଫୌଜଦାରୀ ମୋକଦ୍ଦମା ଦାଏର କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏତଦ୍ ବ୍ୟତୀତ ପରିବେଶ କ୍ଷତି ଭରଣା ସଂପର୍କରେ ହିସାବ କରି ବେଆଇନ ଖନନକାରୀ ଦ୍ବୟଙ୍କ ଠାରୁ ଦୁଇମାସ ମଧ୍ୟରେ କ୍ଷତିପୂରଣ ଅସୁଲ କରିବା ପାଇଁ SEIAA ଓଡ଼ିଶାଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ସେହିଭଳି ସେତେବେଳର ତହସିଲଦାର ଯୁଗଳ କିଶୋର ମିଶ୍ର, ସଂଜୟ କୁମାର ସାମନ୍ତରାୟ, ଅତିରିକ୍ତ ତହସିଲଦାର ଅଶୋକ କୁମାର ପଟ୍ଟନାୟକ ଏବଂ ସଂପୃକ୍ତ ରାଜସ୍ୱ ନିରୀକ୍ଷକ, ରାଜସ୍ବ ପରିଦର୍ଶକ, ଉପବିଭାଗ ଅଧିକାରୀ ଓ ବରିଷ୍ଠ ରାଜସ୍ୱ ସହାୟକମାନଙ୍କ ବିରୁଦ୍ଧରେ ଦୁଇମାସ ମଧ୍ୟରେ ଫୌଜଦାରୀ ମୋକଦ୍ଦମା ଦାଏର କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । କୋର୍ଟଙ୍କ ଆଦେଶକୁ ତୁରନ୍ତ ଅନୁପାଳନ ନିମନ୍ତେ ନୟାଗଡ଼ ଜିଲ୍ଲାପାଳ, ରଣପୁର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Related posts