ରାଜ୍ୟ ସରକାରଙ୍କ ପ୍ରାଥମିକ ଶିକ୍ଷକମାନଙ୍କୁ ଉପେକ୍ଷା ପ୍ରତିବାଦରେ ଶୋଭାଯାତ୍ରା ଓ ପ୍ରତିବାଦ ସଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାର କ୍ରମାଗତଭାବେ ପ୍ରାଥମିକ ଶିକ୍ଷକମାନଙ୍କୁ ଉପେକ୍ଷା କରିଚାଲିଛନ୍ତି । ଶିକ୍ଷକମାନଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଦାବି କିମ୍ବା ଅଧିକାର ପ୍ରତି ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ମାଧ୍ୟମିକ ଶିକ୍ଷକମାନଙ୍କ ପ୍ରତି ରାଜ୍ୟ ସରକାର କୋହଳ ମନୋଭାବ ପୋଷଣ କରି ସମସ୍ତ ପ୍ରକାରର ସୁବିଧା ସୁଯୋଗ ପ୍ରଦାନ କରୁଥିବା ବେଳେ ପ୍ରାଥମିକ ଶିକ୍ଷକମାନଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ ସହିତ ନାନାଭାବେ ଅବହେଳା କରିଚାଲିଛନ୍ତି । ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ଦେବା,ଛଅ ବର୍ଷ ଠିକା ନିଯୁକ୍ତି ସମୟକୁ ନିୟମିତ କରି ୬ଟି ଇନକ୍ରିମେଣ୍ଟ ଦେବା ,ନିୟମିତ ପଦୋନ୍ନତି ଏବଂ ପୁରୁଣା ପେନସନ ପ୍ରଚଳନ କରିବା ଆଦି ବିଭିନ୍ନ ଦାବି ନେଇ ଶିକ୍ଷକମାନେ ସରକାରଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ସରକାର ସେଥିପ୍ରତି ଭୃକ୍ଷେପ କରୁନାହାନ୍ତି । ନିକଟରେ ରାଜ୍ୟ ସରକାର ୨୦୧୩ ମସିହାରୁ ମାଧ୍ୟମିକ ସ୍ତରରେ ଠିକାରେ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କ ଚୁକ୍ତିକାଳକୁ ନିୟମିତ ମାନ୍ୟତା ପ୍ରଦାନ କରି ୬ଟି ଇନକ୍ରିମେଣ୍ଟ ପ୍ରଦାନ କରିଥିବା ବେଳେ ଏଲିମେଣ୍ଟାରୀ ଶିକ୍ଷକମାନଙ୍କୁ ଏଥିରୁ ବଞ୍ôଚତ କରାଯାଇଛି । ଏଲିମେଣ୍ଟାରୀ ଶିକ୍ଷକମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଏଭଳି ଅବହେଳା ପ୍ରତିବାଦରେ ଶିକ୍ଷକ ସଂଘ ପକ୍ଷରୁ ବ୍ଲକସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରରେ ଜୋରଦାର ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ପୂର୍ବାହ୍ନରେ ନୟାଗଡ଼ ବ୍ଳକ ଶିକ୍ଷାବିଭାଗ ଅନ୍ତର୍ଗତ ଏଲିମେଣ୍ଟାରୀ ଶିକ୍ଷକମାନଙ୍କର ଏକ ବିଶାଳ ର‌୍ୟାଲି ବ୍ଳକ ଶିକ୍ଷକସଂଘ ସଭାପତି ପୀତବାସ ପ୍ରଧାନ, ସଂପାଦକ ସୁରେଶ କୁମାର ସେଠୀ, ଶିକ୍ଷକନେତା ଲକ୍ଷ୍ମୀଧର ସାହୁ, ସଲିମ ଇବ୍ରାହୀମ, ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ, ସଂଗ୍ରାମ ସାହୁ, ପ୍ରଦୀପ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ନୟାଗଡ଼ ନିଉଟାଉନଠାରୁ ବାହାରି ବଜାର ପରିକ୍ରମା କରିବା ସହିତ ବ୍ଳକ ଶିକ୍ଷା କାର୍ଯ୍ୟାଳୟଠାରେ ପହଞ୍ଚି ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା । ଏଥିରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ପ୍ରାକ୍ତନ ସାଧାରଣ ସଂପାଦକ ଶେଖ ଅବଦୁଲ ଖାଲିକ,ନୟାଗଡ଼ ବ୍ଳକ ପ୍ରାଥମିକ ଶିକ୍ଷକସଂଘ ସାଧାରଣ ସମ୍ପାଦକ ଭକ୍ତବଲ୍ଲଭ ବଟକୃଷ୍ଣ ମିଶ୍ର,ଏକ୍ସ କ୍ୟାଡର ସଭାପତି ଉମେଶ ସ୍ୱାଇଁ ପ୍ରମୁଖ ଉଦବୋଧନ ଦେବା ସହିତ ତୁରନ୍ତ ସରକାର ଶିକ୍ଷକମାନଙ୍କ ଦାବି ପୂରଣ କରିବା ପାଇଁ ମତବ୍ୟକ୍ତ କରିଥିଲେ । ଏଥିସହିତ ଆଗାମୀ ୨୭ ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ବିଶାଳ ଶିକ୍ଷକ ଆନ୍ଦୋଳନ ଏକ ଐତିହାସିକ ଆନ୍ଦୋଳନ ହେବା ସହିତ ବିଭିନ୍ନ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ରହି ଆନ୍ଦୋଳନରେ ସାମିଲ ହେବା ପାଇଁ ସଂପଳ୍ପ ନେଇଥଲେ । ପରେ ଶିକ୍ଷକସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବ୍ଳକ ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

Related posts