କ୍ରିୟାନୁଷ୍ଠାନ କମିଟିର ସର୍ବଦଳୀୟ ବୈଠକରେ ତାଳଚେର-ଗୋପାଳପୁର ରେଳପଥ ନିର୍ମାଣ ଦାବି

ନୟାଗଡ଼,(ନୟାଗଡ଼ ଦର୍ପଣ): ତାଳଚେର ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ସର୍ବଦଳୀୟ ବୈଠକ ସ୍ଥାନୀୟ ହୋଟେଲ ତ୍ରିନାଥଠାରେ ଅନୁଷ୍ଠିତ ହୋଇଯାଇଛି । କ୍ରିୟାନୁଷ୍ଠାନ କମିଟି ଆବାହକ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ଅନ୍ୟତମ ଆବାହକ ତଥା ସିପିଆଇ ନେତା ସମାଜସେବୀ ବିଶ୍ୱନାଥ ମହାପାତ୍ର,ପୂର୍ବତନ ନଗରପାଳ ଭବାନୀ ଶଙ୍କର ଦାଶ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ନସୀର ଅହମ୍ମଦ,ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ,ବିଜେଡି ନେତା ପ୍ରତାପ ନନ୍ଦ,ବିଜେପି ନେତା ସନ୍ତୋଷ ପ୍ରଧାନ,ଆଇନଜୀବୀ ଚନ୍ଦ୍ରବିଜୟୀ ମିଶ୍ର,ଅମୀୟ ପଟ୍ଟନାୟକ,ବରିଷ୍ଠ ସାମ୍ବାଦିକ ଗୋକୁଳ ଷଡ଼ଙ୍ଗୀ, ସୁରେନ୍ଦ୍ରନାଥ ମହାପାତ୍ର ପ୍ରମୁଖ ଯୋଗଦାନ କରି ତୁରନ୍ତ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଥିଲେ । ଅନ୍ୟପକ୍ଷରେ ଏହି ମେଗା ପ୍ରକଳ୍ପ ଅନୁଗୁଳ,ଢେଙ୍କାନାଳ,କଟକ,ନୟାଗଡ଼ ଏବଂ ଗଞ୍ଜାମ ଜିଲ୍ଲା ମଧ୍ୟ ଦେଇ ଯାଉଥିବା ବେଳେ ଏହି ଜିଲ୍ଲାର ନେତୃବୃନ୍ଦଙ୍କୁ ସାମିଲ କରି ଆଗାମୀ ଦିନରେ ଏକ ସଚେତନତା କମିଟି ଗଠନ କରାଯିବ ଏବଂ ରେଳମନ୍ତ୍ରୀ ଡ.ଅଶିନୀ ବୈଷ୍ଣବଙ୍କୁ ସାକ୍ଷାତ କରାଯାଇ ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯିବା ପାଇଁ ଦାବିପତ୍ର ପ୍ରଦାନ କରାଯିବ । ସୂଚନା ଯୋଗ୍ୟ ଯେ ଗତ ୧୯୯୦ ମସିହାରେ ବିଜୁ ପଟ୍ଟନାୟକଙ୍କ ଦାବି କ୍ରମେ କେନ୍ଦ୍ର ସରକାର ତାଳଚେର ଗୋପାଳପୁର ରେଳପଥ ନିର୍ମାଣ ପ୍ରକଳ୍ପ ପାଇଁ ସମ୍ମତି ପ୍ରକାଶ କରି ଏଥିପାଇଁ ୫୦୨୨.୬୪ କୋଟି ଟଙ୍କାର ପ୍ରାରମ୍ଭିକ ଅଟକଳ ପ୍ରସ୍ତୁତ କରିଥିଲେ । ଇତି ମଧ୍ୟରେ ଫାଇନାଲ ଲୋକେସନ ସର୍ଭେ କାର୍ଯ୍ୟ ଶେଷ ହୋଇ ସାରିଛି । ଫାଇନାଲ ଲୋକେସନ ସର୍ଭେ ସମାପ୍ତ କରି ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବାକୁ ରେଲୱେ ବୋର୍ଡ଼ ଜୋନାଲ ରେଲୱେ ଇଷ୍ଟକୋଷ୍ଟ କାର୍ଯ୍ୟାଳୟକୁ ଦାୟିତ୍ୱ ପ୍ରଦାନ କରିଛି । ୨୯୩ କିମି ଦେର୍ଘ୍ୟ ଏହି ରେଳପଥ ନିର୍ମାଣ ହେଲେ ଏହାଦ୍ୱାରା ଏହି ୫ଟି ଜିଲ୍ଲାର ସାମାଜିକ, ଅର୍ଥନୈତିକ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ବିକାଶ ଘଟିବ । ବିଶେଷ କରି ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା, କଣ୍ଟିଲୋ, ଭାପୁର, ଶରଣକୁଳ, ଓଡ଼ଗାଁ ଆଦି କ୍ଷେତ୍ରର ପର୍ଯ୍ୟଟନର ବିକାଶ ଘଟିବା ସହିତ ଏହି ସ୍ଥାନ ମାନଙ୍କରେ ରେଳ ଷ୍ଟେସନ ନିର୍ମାଣ ହେବାର ପ୍ରସ୍ତାବ ରହିଛି । । ସେହିପରି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଷ୍ଟେସନଠାରୁ କୁକୁଡ଼ାଖଣ୍ଡି, ହିଞ୍ଜିଳିକାଟୁ, ଧବଳପୁର, ଆସ୍କା, ସୁବଳୟା, ବାଲିପଦର, ବୁଗୁଡ଼ା, କରଚୁଲି, ବନ୍ତପୁର ସହିତ କଟକ, ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାର ବଡ଼ମ୍ବା, ନୂଆପାଟଣା, ଗୋବିନ୍ଦପୁର, ରସୋଲ, ମଇଧରପୁର, ଟାକୁଆ ଆଦି ସ୍ଥାନରେ ରେଳ ଷ୍ଟେସନ ନିର୍ମାଣ ହେବାର ଯୋଜନା ରହିଛି । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆହୂତ ଏହି ବୈଠକରେ ଜିଲ୍ଲାର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ, ବରିଷ୍ଠ ନାଗରିକ ତଥା ସମାଜସେବୀ ମାନେ ଯୋଗଦାନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଏସ.ଏ.ମନାନ ଧନ୍ୟବାଦ ପ୍ରଦାନ କରିଥିଲେ ।

Related posts