PCPNDT ପରାମର୍ଶ ସମିତିର ସମୀକ୍ଷା ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ଗର୍ଭଧାରଣ ପୂର୍ବ ଏବଂ ଜନ୍ମପୂର୍ବ ଲିଙ୍ଗ ନିରୂପଣ ଅଧନିୟମ ୧୯୯୪ (PCPNDT) ଉପରେ ପରାମର୍ଶ ସମିତିର ଏକ ସମୀକ୍ଷା ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ(ଟ୍ରେନିଂ ୟୁନିଟ୍) ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଜିଲ୍ଲାରେ ଚାଲୁଥିବା ସମୁଦାୟ ୧୦ଗୋଟି ଅଲଟ୍ରାସାଉଣ୍ଡ କ୍ଲିନିକ୍‌ର ସ୍ଥିତି ଏବଂ କାର୍ଯ୍ୟକାରିତା ଉପରେ ଆଲୋଚନା ଏବଂ ସମୀକ୍ଷା କରାଯାଇଥିଲା । ବାରମ୍ବାର ତାଗିଦ୍ ସତ୍ତ୍ଵେ ଚାନ୍ଦପୁର ସ୍ଥିତ ବସନ୍ତ ମଂଜରୀ ସାଧାରଣ ଚିକିତ୍ସାଳୟରେ ଅଲଟ୍ରା ସାଉଣ୍ଡ୍ କେନ୍ଦ୍ରଟି କାର୍ଯ୍ୟକ୍ଷମ ହୋଇପାରୁନଥିବାରୁ ଜିଲ୍ଲାପାଳ ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ ଓ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଅଲଟ୍ରା ସାଉଣ୍ଡ କେନ୍ଦ୍ର ଓ ଦୁର୍ଗା ଅଲଟ୍ରା ସାଉଣ୍ଡ୍ କେନ୍ଦ୍ର, କନ୍ଧ ନୟାଗଡ଼ର ନବୀକରଣକୁ ବୈଠକରେ ଅନୁମୋଦନ କରାଯାଇଥିଲା । ନିୟମିତ ସମୟ ବ୍ୟବଧାନରେ ସମସ୍ତ କାର୍ଯ୍ୟକ୍ଷମ ଅଲଟ୍ରା ସାଉଣ୍ଡ କ୍ଲିନିକ୍ ଗୁଡ଼ିକର ନିରୀକ୍ଷଣ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ଏହାପରେ କୋଭିଡ୍ ମହାମାରୀ ପ୍ରତିଷେଧକ ଟୀକାକରଣ ଉପରେ ସମୀକ୍ଷା
କରାଯାଇଥିଲା । ନୟାଗଡ଼ ଜିଲ୍ଲାରେ ୧୨ ରୁ ୧୪ବର୍ଷ ବୟସର ପିଲାମାନଙ୍କୁ କୋଭିଡ୍ ପ୍ରତିଷେଧକ ପ୍ରଥମ ପାନ ୧୨୫% , ଦ୍ଵିତୀୟ ପାନ ୯୪% , ୧୫ରୁ ୧୭ବର୍ଷ ବୟସର ପିଲାମାନଙ୍କୁ ପ୍ରଥମ ପାନ ୧୦୯% , ଦ୍ଵିତୀୟ ପାନ ୧୦୦%, ୧୮ବର୍ଷ ବୟସରୁ ଉର୍ଦ୍ଧ୍ବ ଲୋକମାନଙ୍କୁ ପ୍ରଥମ ପାନ ୧୦୨%, ଦ୍ବିତୀୟ ପାନ ୯୯%, ତୃତୀୟ ପାନ(Booster Dose) ସ୍ୱାସ୍ଥ୍ୟକର୍ମୀ ୯୩%, ଆଗଧାଡ଼ୀର କର୍ମୀ ୧୬୬%, ୧୮ରୁ ୫୯ବର୍ଷ ବୟସ ପର୍ଯ୍ୟନ୍ତ ୪୬% ୬୦ ବର୍ଷ ଏବଂ ତଦୁର୍ଷ ୬୯% କୋଭିଡ୍ ପ୍ରତିଷେଧକ ଟୀକା ଦିଆଯାଇଥିବାର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ମକରନ୍ଦ ବେଉରା ପ୍ରକାଶ କରିଥିଲେ। କେତେକ କ୍ଷେତ୍ରରେ ଟୀକାକରଣ ଲକ୍ଷ ଠାରୁ ଅଧିକ ହୋଇଛି ତ ଅନ୍ୟ କେତେକ କ୍ଷେତ୍ରରେ ଲକ୍ଷ ଛୁଇଁ ପାରିନାହିଁ । ଏହାକୁ ଦୃଷ୍ଟିରେ ରଖି କୋଭିଡ୍ ପ୍ରତିଷେଧକ ଟୀକାକରଣ ପ୍ରକ୍ରିୟା ତ୍ଵରାନ୍ଵିତ କରିବା ପାଇଁ ସ୍ୱାସ୍ଥ୍ୟକର୍ମୀମାନେ ଗାଁ ଗାଁ ଏବଂ ଘର ଘର ବୁଲି ଲକ୍ଷ ହାସଲ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ
ଦେଇଥିଲେ । ଏହା ସହିତ ଯେଉଁମାନେ ମାଗଣା Booster Dose ଅଦ୍ୟାବଧୂ ନେଇନାହାଁନ୍ତି ସେମାନେ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଏହି ମାଗଣା Booster Dose ନେବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

ପରେ ପରେ ୨୦୨୧-୨୨ ବର୍ଷ ପାଇଁ କାୟାକଳ୍ପ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ୪ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୧୬ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୮ଗୋଟି ଉପ ସ୍ବାସ୍ଥ୍ୟ କେନ୍ଦ୍ରକୁ ମିଶାଇ ସମୁଦାୟ ୨୮ଗୋଟି ଅନୁଷ୍ଠାନକୁ ଜିଲ୍ଲାପାଳ ଡା. ପୋମା ଟୁଡ଼ୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ବୈଠକରେ ସ୍ତ୍ରୀରୋଗ ବିଶେଷଜ୍ଞ ଡା. ସୁଧାଂଶୁ ଶେଖର ଷଡ଼ଙ୍ଗୀ, ଶିଶୁରୋଗ ବିଶେଷଜ୍ଞ ଡା. ତିଳୋତ୍ତମା ଷଡ଼ଙ୍ଗୀ, ଡା. ନୌସଦ୍ ଅଲ୍ଲୀ ଖାଁ, ଡା. ପୁଷ୍ପା ନିଳିମା ଲାକ୍ରା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ସ୍ଵେଚ୍ଛାସେବୀ ସଂଗଠନ ନିଶ୍ଵାର୍ଥର ସଂପାଦକ ଅରୁଣ କୁମାର ମହାନ୍ତି, ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଉପ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏତଦ୍ ବ୍ୟତୀତ ଜିଲ୍ଲା ସହପରିଚାଳକ (ଆଇନ୍) ଅଜିତ୍ କୁମାର ପାଣିଗ୍ରାହୀ, ଉପସହାୟକ କିଶୋର ଦାଶ, ସହ ପରିଚାଳକ (ଗୁଣାବତ୍ତା) ସନତ୍ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Related posts