ତାଳଚେର-ଗୋପାଳପୁର ନୂତନ ରେଳପଥର ବାଟ ଫିଟିଲା, ୫ ଜିଲ୍ଲା ଦେଇ ଯିବ ରେଳଲାଇନ୍‌

ନୟାଗଡ଼,(ନୟାଗଡ଼ ଦର୍ପଣ): ବହୁ ପ୍ରତୀକ୍ଷିତ ତାଳଚେର-ଗୋପାଳପୁର ନୂତନ ରେଳପଥ ପ୍ରକଳ୍ପ କାର୍ଯ୍ୟକାରୀ ହେବା ନେଇ ବାଟ ଫିଟାଇଛି ରେଲ‌‌ୱେ‌ ବୋର୍ଡ଼। ଗୋପାଳପୁର-ତାଳଚେର ରେଳପଥ ପାଇଁ ଫାଇନାଲ୍‌ ଲୋକେସନ୍‌ ସର୍ଭେ କରିବାକୁ ରେଲୱେ ବୋର୍ଡ଼ ଅନୁମୋଦନ ପ୍ରଦାନ କରିଛନ୍ତି। ଫାଇନାଲ୍‌ ଲୋକେସନ୍‌ ସର୍ଭେ ସମାପ୍ତ କରି ଡିଟେଲ୍‌ ପ୍ରୋଜେକ୍ଟ୍‌ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତ କରିବାକୁ ଜୋନାଲ୍‌ ରେଲୱେ(ଇଷ୍ଟକୋଷ୍ଟ୍‌) କାର୍ଯ୍ୟାଳୟକୁ ପରାମର୍ଶ ଦିଆଯାଇଛି। ଏଣୁ ଖୁବ୍‌ଶୀଘ୍ର ଏହି ନୂତନ ରେଳପଥ ପାଇଁ କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏହି ନୂତନ ରେଳପଥ ୫ଟି ଜିଲ୍ଲା ଦେଇ ଯିବ। ଏହାଦ୍ବାରା ଅନେକ ପର୍ଯ୍ୟଟନ ସ୍ଥଳୀକୁ ରେଳପଥରେ ସଂଯୋଗ କରାଯାଇ ପାରିବ। ମାଲ୍‌ ପରିବହନରେ ସୁବିଧା ସହିତ ପର୍ଯ୍ୟଟନ ସ୍ଥଳୀକୁ ଯୋଡ଼ିବା ପାଇଁ ଏହି ରେଳପଥ ନିର୍ମାଣ ଆରମ୍ଭ କରିବାକୁ ବିଭିନ୍ନ ସଂଗଠନ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର କାର୍ଯ୍ୟକାରିତା ସମ୍ପର୍କରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ଆଇନଜୀବୀ ତଥା ସୂଚନା ଅଧିକାର କର୍ମୀ ବି.ଶଙ୍କର ପାତ୍ର ଆର୍‌ଟିଆଇ ବଳରେ ତଥ୍ୟ ମାଗିଥିଲେ। ଆର୍‌ଟିଆଇରୁ ମିଳିଥିବା ତଥ୍ୟ ଅନୁସାରେ, ଗୋପାଳପୁର-ତାଳଚେର ନୂତନ ରେଳପଥ ପାଇଁ ଫାଇନାଲ୍‌ ଲୋକେସନ୍‌ ସର୍ଭେ କରିବା ନିମନ୍ତେ ରେଲୱେ ବୋର୍ଡ଼ ୨୦୨୧-୨୨ରେ ଆର୍ଥିକ ବର୍ଷରେ ମଂଜୁରି ପ୍ରଦାନ କରି ସାରିଛି। ଏହି ରେଳପଥ ଗଞ୍ଜାମ, ନୟାଗଡ଼, କଟକ, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ଦେଇ ଯିବ। ଏହାର ପ୍ରାଥମିକ ବଜେଟ୍‌ ୫୦୨୨.୬୪ କୋଟି ରଖା ଯାଇଥିବା ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି।

ଏହି ନୂତନ ରେଳପଥ ଗୋପାଳପୁରରୁ ଆରମ୍ଭ ହୋଇ ବ୍ରହ୍ମପୁର, କୁକୁଡ଼ାଖଣ୍ଡି, ହିଂଜିଳିକାଟୁ, ଧବଳପୁର, ଆସିକା, ସୁବଳିଆ, ବାଲିପଦର, ବୁଗୁଡ଼ା, କରଚୁଲି, ବନ୍ତପୁର, ଶରଣକୁଳ, ନୟାଗଡ଼, ଖଣ୍ଡପଡ଼ା, କଣ୍ଟିଲୋ, ବଡ଼ମ୍ବା, ନୂଆପାଟଣା, ଗୋବିନ୍ଦପୁର, ରସୋଲ, ମଇଧରପୁର, ଟାକୁଆ ହୋଇ ଅନୁଗୁଳ ଷ୍ଟେସନ୍‌କୁ ସଂଯୋଗ କରିବ ବୋଲି ନକ୍ସା ପ୍ରସ୍ତୁତ କରାଯାଇଛି। ଏହାର ଲମ୍ବ ପ୍ରାୟ ୨୯୩ କି.ମି ହେବ। ମହାନଦୀ ଉପରେ ଏକ ଦୀର୍ଘତମ ବ୍ରିଜ୍‌ ତିଆରି ପାଇଁ ଯୋଜନା ରହିଛି। ଏହି ରେଳପଥ କାର୍ଯ୍ୟକାରୀ ହେବା ପରେ ବହୁ ନୂତନ ସହରକୁ ରେଳ ସଂଯୋଗ ସମ୍ଭବ ହୋଇପାରିବ। ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ରେଳପଥ ଦ୍ବାରା ସଂଯୋଗୀକରଣ ସମ୍ଭବ ହେବ। ଏଣୁ ଖୁବ୍‌ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ଆଇନଜୀବୀ ଶ୍ରୀ ପାତ୍ରଙ୍କ ସମେତ ବିଭିନ୍ନ ମହଲରେ ଦାବି ହୋଇଛି।

Related posts