ସଂଯୁକ୍ତ କିଷାନ ମୋର୍ଚ୍ଚା ଦ୍ୱାରା ଆହୂତ ସେପ୍ଟେମ୍ବର ୨୭ ଭାରତ ବନ୍ଦ

ନୟାଗଡ଼,(୨୦/୦୯): ସଂଯୁକ୍ତ କିଷାନ ମୋର୍ଚ୍ଚା ଦ୍ୱାରା ଆହୂତ ସେପ୍ଟେମ୍ବର ୨୭ ଭାରତ ବନ୍ଦକୁ ସଫଳ କରିବା ପାଇଁ ନୟାଗଡ଼ଠାରେ ଏକ ଗଣ କନଭେନସନ ଅନୁଷ୍ଠିତ ହୋଇଯାଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚାର ଏହି ଆହ୍ୱାନକୁ ସଫଳ କରିବା ପାଇଁ ବିଭିନ୍ନ ରାଜନୈତିକ ଓ ଗଣ ସଂଗଠନ ଏକାଠି ହୋଇଛନ୍ତି । ଦିଲ୍ଲୀ କୃଷକ ଆନ୍ଦୋଳନର ଦଶମାସ ପୂର୍ତ୍ତି ତଥା ସହୀଦ ଭଗତ ସିଂହଙ୍କ ଜନ୍ମଦିବସ ଅବସରରେ ସେପ୍ଟେମ୍ବର ୨୫ ଭାରତ ବନ୍ଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଲୋଚନା ସଭାରେ ମତ ପ୍ରକାଶ ପାଇଥିଲା । କୃଷକ ବଞ୍ଚାଅ… ଶ୍ରମିକ ବଞ୍ଚାଅ… ଦେଶ ବଞ୍ଚାଅ… ଏହି ସ୍ଲୋଗାନ ସହିତ ସମସ୍ତ ରାଜନୈତିକ ଦଳ ତଥା ଗଣ ସଂଗଠନର ନେତୃତ୍ୱ ଦିଲ୍ଲୀ କୃଷକ ଆନ୍ଦୋଳନ ପ୍ରତି ସମର୍ଥନ ଜଣାଇ ବକ୍ତବ୍ୟ ରଖିଥିଲେ । କେନ୍ଦ୍ର ମୋଦି ସରକାର ଯେଭଳି ଘରୋଇ କରଣର ମନ୍ତ୍ରଜପି କୃଷକ ଓ ଶ୍ରମିକମାନଙ୍କ ଉପରେ କଳା ଆଇନ ଜରିଆରେ ଆକ୍ରମଣ କରିଛନ୍ତି, ବେକାରୀ, ଦରବୃଦ୍ଧିକୁ ବେଲଗାମ କରିଛନ୍ତି, ଏହାର ପ୍ରତ୍ୟାହାର ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ବକ୍ତାମାନେ ପ୍ରକାଶ କରିଛନ୍ତି । ଭାରତ ବନ୍ଦକୁ ସଫଳ କରିବା ପାଇଁ ଜିଲ୍ଲାର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ପରିବହନ ସଂସ୍ଥା, ଓକିଲ ସଂଘ, ଶ୍ରମିକ ସଂଘ, କର୍ମଚାରୀ ସଂଘ, ବ୍ୟାଙ୍କ ଓ ବୀମା ସଂଗଠନ ପ୍ରଭୃତିଙ୍କୁ ଅନୁରୋଧ କରାଯାଇଛି । ବିଶିଷ୍ଟ ବାମପନ୍ଥୀ ନେତା ବିଶ୍ୱନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କନ୍ଭେକ୍ସନରେ କୃଷକ ନେତା ହରିଶ୍ଚନ୍ଦ୍ର ମିଶ୍ର ଏକ ୨୧ ଦଫା ଦାବୀ ପତ୍ର ଉପସ୍ଥାପନ କରିଥିଲେ । ଏହା ଉପରେ ଆଲୋଚନା ରଖି ସି.ପି.ଆଇ (ଏମ) ଜିଲ୍ଲା ସଂପାଦକ ଶରତ ଚନ୍ଦ୍ର ବେହେରା, ଜାତୀୟ କଂଗ୍ରେସର ଜିଲ୍ଲା ସଭାପତି ରଣଜିତ ଦାଶ, ସ.ପି.ଆଇ.ନେତା ଅମୀୟ ପଟ୍ଟନାୟକ, ଏସ.ୟୁ.ସି. ଆଇ ନେତା କୃଷ୍ଣଚନ୍ଦ୍ର ମହାପାତ୍ର, କୃଷକ ସଭା ନେତା ଗୋଲକ ବିହାରି ମୁଦୁଲି, କ୍ଷେତ ମଜଦୂର ନେତା ନିତ୍ୟାନନ୍ଦ ପରିଡ଼ା ଓ ଦୁଃଶାସନ ଜେନା, ଯୁବନେତା ସରୋଜ ନାୟକ ଓ ଆଲୋକ ପ୍ରଧାନ କୃଷକ ସଂଗଠକ ଗଣେଶ୍ୱର ନାୟକ, ରଜତ ଜେନା, ନାରୀ ନେତ୍ରୀ ଜ୍ୟୋତିପ୍ରଭା ଜେନା, ପୂର୍ଣ୍ଣିମା ମହାପାତ୍ର ଓ ବୈଜୟନ୍ତୀ ମିଶ୍ର ପ୍ରମୁଖ ଭାରତ ବନ୍ଦ ସଫଳ କରିବା ପାଇଁ ଆହ୍ୱାନ ରଖିଥିଲେ । ପବିତ୍ର ଇନ୍ଦ୍ରଜିତ ଧନ୍ୟବାଦ ଅର୍ପଣ କରିଥିଲେ । ନିର୍ମାଣ ଶ୍ରମିକ ନେତା କପିଳ ସାହୁ ଓ ପାଚିକା ନେତ୍ରୀ ଜୟନ୍ତୀ ଦାଶ ପ୍ରଚାର ଅଭିଯାନର ଦାୟୀତ୍ୱ ନେଇଥିବା ଜଣାପଡିଛି।

Related posts