ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ ଅଭିଯାନରେ ନୟାଗଡ଼ରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ନିର୍ବାଚନୀ ସ୍ୱଚ୍ଛତା ଓ ୧୦୦ ପ୍ରତିଶତ VVPAT ଗଣତି ଦାବି କଲେ AICC ପର୍ଯ୍ୟବେକ୍ଷକ ପି.ସି. ଶର୍ମା

ନୟାଗଡ଼, (ନୟାଗଡ଼ ଦର୍ପଣ): ଗଣତନ୍ତ୍ରର ସୁରକ୍ଷା ଓ ଭୋଟରଙ୍କ ଅଧିକାର ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଅଖିଳ ଭାରତ କଂଗ୍ରେସ କମିଟି (AICC) ପକ୍ଷରୁ ଦେଶବ୍ୟାପୀ ଚାଲିଥିବା ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଅଭିଯାନ ଅବସରରେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ AICC ପର୍ଯ୍ୟବେକ୍ଷକ ତଥା ମଧ୍ୟପ୍ରଦେଶର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ପି.ସି. ଶର୍ମା ଯୋଗଦେଇ ନିର୍ବାଚନୀ ପ୍ରକ୍ରିୟାର ସ୍ୱଚ୍ଛତା ଓ ଭୋଟରଙ୍କ ଅଧିକାରକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ।
ଶ୍ରୀ ଶର୍ମା କହିଥିଲେ ଯେ, ଗଣତନ୍ତ୍ରର ମୂଳଦୁଆ ହେଉଛି ଜନସାଧାରଣଙ୍କ ଭୋଟ ଅଧିକାର। କିନ୍ତୁ ଆଜି ସେହି ପବିତ୍ର ଅଧିକାର ଉପରେ ଆଘାତ କରାଯାଉଥିବା ଅଭିଯୋଗ ଗଣତନ୍ତ୍ର ପ୍ରତି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଇଭିଏମ୍‌ର ଅସଦୁପଯୋଗ, ଭୋଟ ଚୋରି ଏବଂ ସାଧାରଣ ନାଗରିକଙ୍କ ସ୍ୱରକୁ ଚାପିଦେବା ଭଳି ଅଭିଯୋଗ ନିର୍ବାଚନୀ ବ୍ୟବସ୍ଥାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଉଛି।
ନିର୍ବାଚନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ନିରପେକ୍ଷ କରିବା ସହ ଜନମତର ସଠିକ୍ ପ୍ରତିଫଳନ ନିଶ୍ଚିତ କରିବାକୁ ସେ ଦାବି କରିଥିଲେ। ଇଭିଏମ୍‌କୁ ନେଇ ଜନସାଧାରଣଙ୍କ ମନରେ ସନ୍ଦେହ ରହିଥିବାରୁ ୧୦୦ ପ୍ରତିଶତ VVPAT ପର୍ଚ୍ଚି ଗଣତି କରିବା ଆବଶ୍ୟକ ବୋଲି ସେ ମତ ରଖିଥିଲେ। ଏଥିସହ ନିର୍ବାଚନ ଆୟୋଗ ଏକ ସ୍ୱାଧୀନ ଓ ସ୍ୱାୟତ୍ତଶାସିତ ସଂସ୍ଥା ଭାବେ କାର୍ଯ୍ୟ କରିବା ସହ ଇଭିଏମ୍‌ରେ ହେରଫେର ସମ୍ପର୍କିତ ଅଭିଯୋଗଗୁଡ଼ିକର ନିରପେକ୍ଷ ତଦନ୍ତ କରିବା ଉଚିତ ବୋଲି ସେ କହିଥିଲେ।
ଜନମତର ସୁରକ୍ଷା ଓ ସମ୍ବିଧାନର ମର୍ଯ୍ୟାଦା ରକ୍ଷା ପାଇଁ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଏବଂ ଇଣ୍ଡିଆ ମେଣ୍ଟର ନେତାମାନେ ନିରନ୍ତର ଲଢ଼େଇ ଜାରି ରଖିଥିବା ସେ ପ୍ରକାଶ କରିଥିଲେ। ଭୋଟର ଅଧିକାର ସୁରକ୍ଷିତ ରହିଲେ ହିଁ ଦେଶର ସମ୍ବିଧାନ ଓ ଗଣତନ୍ତ୍ର ସୁରକ୍ଷିତ ରହିପାରିବ। ଏହି ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଶର୍ମା ମତବ୍ୟକ୍ତ କରିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ, ପିସିସି ସାଧାରଣ ସମ୍ପାଦକ ଦେଓ ପ୍ରସାଦ, ସମ୍ପାଦକ ମାନସ କର, ନୟାଗଡ଼ ପୌର କଂଗ୍ରେସ ସଭାପତି ରାଜକିଶୋର ଜେନା ଏବଂ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁଙ୍କ ସମେତ ଅନ୍ୟାନ୍ୟ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ, ଚଳିତ SIR ପ୍ରକ୍ରିୟାରେ ଭୋଟର ତାଲିକାରୁ ନାମ ବାଦ୍‌ ପଡ଼ିବା ନେଇ ଜାଲିଆତି ଅଭିଯୋଗ ଉଠାଇଥିଲେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରଣଜିତ ଦାଶ। ନୟାଗଡ଼ ବ୍ଲକ୍‌ ଅନ୍ତର୍ଗତ ନବଘନପୁର ପଞ୍ଚାୟତର ନବଘନପୁର ବୁଥ୍‌ରୁ ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁଙ୍କ ନାମ ବାଦ୍‌ ପଡ଼ିବା ଏବଂ ପରବର୍ତ୍ତୀ ସମୟରେ ଫର୍ମ ନଂ-୬ ମାଧ୍ୟମରେ ପୁନର୍ବାର ନାମ ଯୋଡ଼ିବାକୁ ପଡ଼ିବା ଘଟଣାକୁ ସେ ଏକ ଉଦାହରଣ ଭାବେ ଉପସ୍ଥାପନ କରିଥିଲେ।
ଏହାସହ ଶ୍ରୀ ପି.ସି. ଶର୍ମା ଜିଲ୍ଲା କଂଗ୍ରେସର ବିଭିନ୍ନ କାର୍ଯ୍ୟକର୍ତ୍ତା, ବ୍ଲକ୍ କଂଗ୍ରେସ ସଭାପତି ଓ ବିଭିନ୍ନ ଶାଖା ସଂଗଠନର ସଭାପତିମାନଙ୍କ ସହ ଆଲୋଚନା କରିଥିଲେ। ‘ଭୋଟ ବଞ୍ଚାଅ, ଦେଶ ବଞ୍ଚାଅ’ ଅଭିଯାନକୁ ଜିଲ୍ଲାର ପ୍ରତ୍ୟେକ ବୁଥ୍‌ ସ୍ତରରେ ପହଞ୍ଚାଇବା ସହ ଜନସାଧାରଣଙ୍କୁ ଭୋଟର ଅଧିକାର ସମ୍ପର୍କରେ ସଚେତନ କରାଇବାକୁ ସେ ପରାମର୍ଶ ଦେଇଥିଲେ।

Related posts