ପୁଣି କଠୋର ହେଲା ନୟାଗଡ଼ ପୌର ପରିଷଦ

ନୟାଗଡ଼, (ନୟାଗଡ଼ ଦର୍ପଣ): ସହରରେ ବୁଲା ଗାଈଗୋରୁଙ୍କ ଉତ୍ପାତ ଓ ଟ୍ରାଫିକ୍ ସମସ୍ୟାକୁ ନେଇ ଶେଷରେ କଠୋର ହୋଇଛି ନୟାଗଡ଼ ପୌର ପରିଷଦ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୌର ପରିଷଦ ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶନିବାର ରାତିରେ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ସହରର ବିଭିନ୍ନ ସ୍ଥାନରୁ ୨୦ଟି ବୁଲା ଗାଈଗୋରୁଙ୍କୁ ଧରି ମିନି ଟ୍ରକ୍ ଯୋଗେ ଖଣ୍ଡପଡ଼ାସ୍ଥିତ ଗୋଶାଳାକୁ ପଠାଯାଇଛି।
ଶନିବାର ରାତି ୧୨ଟାରୁ ଏନଫୋର୍ସମେଣ୍ଟ ଟିମ୍‌ର ସହଯୋଗରେ ଏହି ଅଭିଯାନ ଆରମ୍ଭ ହୋଇଥିଲା। ପୌର ପରିଷଦ ପକ୍ଷରୁ କୁହାଯାଇଛି ଯେ, କିଛି ଗୋପାଳକ ଜାଣିଶୁଣି ନିଜ ଗାଈଗୋରୁଙ୍କୁ ରାସ୍ତାକୁ ଛାଡ଼ି ଦେଉଥିବାରୁ ସହରରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଗୁରୁତର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ଏପରିକି ବୁଲା ଗାଈଗୋରୁଙ୍କ ଯୋଗୁଁ ଦୁର୍ଘଟଣା ଘଟି ମୂଲ୍ୟବାନ ଜୀବନ ହାନି ହେବାର ଆଶଙ୍କା ରହିଛି। ଜନସାଧାରଣଙ୍କ ସୁରକ୍ଷା ଓ ସହରର ଟ୍ରାଫିକ୍ ବ୍ୟବସ୍ଥାକୁ ସୁଶୃଙ୍ଖଳିତ କରିବା ଲକ୍ଷ୍ୟରେ ପୌର ପରିଷଦ ଏହି ଦୃଢ଼ ପଦକ୍ଷେପ ଗ୍ରହଣ କରିଛି।
ଏହି ଚଢ଼ାଉରେ ନାରାୟଣ ନାୟକ, ଅଜିତ କୁମାର ମଲ୍ଲିକ, ରଞ୍ଜନ କୁମାର ମହାପାତ୍ର, ବିବେକାନନ୍ଦ ପ୍ରଧାନ ଓ ଦୀପକ କୁମାର ଜେନାଙ୍କ ସମେତ ପୌର ପରିଷଦର ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ଏହି ଅଭିଯାନ ମାଧ୍ୟମରେ ଏପର୍ଯ୍ୟନ୍ତ ମୋଟ ୬୦ଟି ଗାଈଗୋରୁଙ୍କୁ ଧରାଯାଇ ଗୋଶାଳାକୁ ପଠାଯାଇଛି। ଆଗାମୀ ଦିନରେ ମଧ୍ୟ ଏହି ଚଢ଼ାଉକୁ ଆହୁରି ଜୋରଦାର କରାଯିବ ବୋଲି ପୌର ପରିଷଦ ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।

Related posts