ଏ କଳିଯୁଗର ସତୀ ଅନୁସୂୟା, ୧୦ଦିନରେ ଦୁଇ ଜୀବନସାଥୀଙ୍କ ବିୟୋଗରେ ପୁରା ଗାଁ ଶୋକର ଛାୟା

ଭାପୁର, (ନୟାଗଡ଼ ଦର୍ପଣ): ଜୀବନର ସୁଖଦୁଃଖରେ ପରସ୍ପରର ସାଥୀ ହୋଇ ରହିଥିଲେ। ଦୀର୍ଘ ବର୍ଷର ଦାମ୍ପତ୍ୟ ଜୀବନରେ ଜଣେ ଅନ୍ୟଜଣଙ୍କ ପାଇଁ ଥିଲେ ଅତୁଟ ଭରସା। ହେଲେ ନିୟତିର ନିଷ୍ଠୁର ବିଧାନ ଆଗରେ ସବୁକିଛି ହାର ମାନିଗଲା। ସ୍ୱାମୀଙ୍କ ବିୟୋଗର ଦଶ ଦିନ ପରେ, ଠିକ୍ ଦଶାହ ଦିନରେ ସ୍ତ୍ରୀଙ୍କ ମଧ୍ୟ ପରଲୋକ ଘଟିଛି। ଏଭଳି ଏକ ହୃଦୟବିଦାରକ ଘଟଣା ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ର କରବର ଗ୍ରାମରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି।

ସୂଚନା ଅନୁଯାୟୀ, କରବର ଗ୍ରାମର ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରବୋଧ କୁମାର ସାହୁ (୭୯)ଙ୍କ ଗତ ୨୦ ତାରିଖରେ ପରଲୋକ ଘଟିଥିଲା। ତାଙ୍କ ବିୟୋଗରେ ପରିବାରବର୍ଗ ଶୋକରେ ଭାଙ୍ଗି ପଡ଼ିଥିବା ବେଳେ ଆଜି ଥିଲା ତାଙ୍କର ଦଶାହ କାର୍ଯ୍ୟ। ଘରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିବା ସମୟରେ ହଠାତ୍ ଆଉ ଏକ ଦୁଃଖଦ ଖବର ପରିବାରକୁ ମର୍ମାହତ କରିଦେଇଥିଲା। ସ୍ୱାମୀଙ୍କ ବିୟୋଗର ଦଶମ ଦିନରେ ତାଙ୍କ ସହଧର୍ମିଣୀ ଅନସୂୟା ସାହୁ (୭୫)ଙ୍କ ପରଲୋକ ଘଟିଥିଲା।

ସ୍ୱାମୀଙ୍କ ମୃତ୍ୟୁ ପରଠାରୁ ଅନସୂୟା ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ଏହି ଦମ୍ପତି ନୟାଗଡ଼ ସଦର ମହକୁମାରେ ନିଜର ଏକମାତ୍ର ପୁଅ ଓ ବୋହୂଙ୍କ ସହ ରହୁଥିଲେ। ଅନସୂୟାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ଶିକ୍ଷକ, ଶିକ୍ଷୟିତ୍ରୀ, ପୁରାତନ ଛାତ୍ରଛାତ୍ରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଉଭୟଙ୍କ ବିୟୋଗରେ ଶିକ୍ଷା ଓ ସାମାଜିକ ମହଲରେ ଶୋକ ପ୍ରକାଶ ପାଇଛି।

ପ୍ରବୋଧ କୁମାର ସାହୁଙ୍କ ଦଶାହ ଦିନରେ ଅନସୂୟାଙ୍କ ଅକାଳ ବିୟୋଗ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି ହୋଇଥିବା ବେଳେ ଉଭୟଙ୍କ ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗଦ୍ୱାରରେ କରାଯାଇଥିଲା। ପୁଅ ପ୍ରଦ୍ୟୁମ୍ନ ମୁଖାଗ୍ନି ଦେଇଥିଲେ।

ଜଣେ ମିଷ୍ଟଭାଷୀ, ସରଳ ଓ ପରୋପକାରୀ ମହିଳା ଭାବେ ଅନସୂୟା ସାହୁ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ। ଦଶ ଦିନ ବ୍ୟବଧାନରେ ଦୁଇ ଜୀବନସାଥୀଙ୍କ ବିୟୋଗ କେବଳ ପରିବାର ନୁହେଁ, ସମଗ୍ର ଗ୍ରାମବାସୀଙ୍କୁ ଶୋକାଭିଭୂତ କରିଦେଇଛି। ଏହି ଦୁଃଖଦ ଘଟଣା ସମସ୍ତଙ୍କ ମନରେ ଏକ ଅବିସ୍ମରଣୀୟ ବେଦନା ଛାଡ଼ିଯାଇଛି।

Related posts