ନୟାଗଡ଼ ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ

ମଗରବନ୍ଧ ବାଲିସାହି ପ୍ରାଥମିକ ବିଦ୍ୟାଳୟ ନଗ୍ନ ଦୃଷ୍ଟାନ୍ତ : କଂଗ୍ରେସ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ। ଶିକ୍ଷକ ନିଯୁକ୍ତି ଦାବିରେ ଓଡ଼ଗାଁ ବ୍ଲକ ମଗରବନ୍ଧ ପଞ୍ଚାୟତ ବାଲିସାହି ପ୍ରାଥମିକ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀ ନିଜ ପିତାମାତାଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବା ଘଟଣାକୁ ନେଇ କଂଗ୍ରେସ ଚିନ୍ତା ପ୍ରକଟ କରିଛି। ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀମାନେ ‘ଆମକୁ ଶିକ୍ଷକ ଦିଅ, ଆମେ ପାଠ ପଢ଼ିବୁ’ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବା ଘଟଣା ଜିଲ୍ଲାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲଗାଇଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ କହିଛନ୍ତି।

ଆଗାମୀ ଦିନରେ ଏଭଳି ଦୁର୍ଭାଗ୍ୟଜନକ ଘଟଣାର ପୁନରାବୃତ୍ତି ଯେପରି ନହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ଶ୍ରୀ ଦାଶ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ନିର୍ବାଚିତ ଲୋକପ୍ରତିନିଧିଙ୍କ ଆନ୍ତରିକତାର ଅଭାବ, ଦୁର୍ବଳ ପ୍ରଶାସନ ଏବଂ ଅପାରଗ ବ୍ୟବସ୍ଥା ଯୋଗୁଁ ନୟାଗଡ଼ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ଅବନତି ଆଡ଼କୁ ଯାଉଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।

ଏଥିସହ ଓଡ଼ିଶା ବିଧାନସଭା ବାଚସ୍ପତିଙ୍କ ନିର୍ବାଚନମଣ୍ଡଳୀରେ ମଧ୍ୟ ଶିକ୍ଷକ ନିଯୁକ୍ତି ହୋଇନପାରିବା ଫଳରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହେବା ଅତ୍ୟନ୍ତ ଚିନ୍ତାଜନକ ବିଷୟ ବୋଲି ଶ୍ରୀ ଦାଶ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି।

Related posts