ବିଦ୍ୟାଳୟରେ ସଂସ୍କୃତ ଭାଷା ଆଲୋଚନା ଓ ପ୍ରତିଯୋଗିତା

ନୟାଗଡ଼, (ନୟାଗଡ଼ ଦର୍ପଣ): ସରକାରୀ ଉଚ୍ଚ ବିଦ୍ୟାଳୟ, ସିନ୍ଦୁରିଆ ପରିସରରେ ସଂସ୍କୃତ ଭାଷାର ମହତ୍ତ୍ୱ ଓ ଆମ ସଂସ୍କୃତିରେ ଏହାର ଭୂମିକା ଉପରେ ଏକ ଆଲୋଚନା ଚକ୍ର ଓ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ଭାରତୀୟ ପୁରାତନ ସଂସ୍କୃତିରେ ସଂସ୍କୃତ ଭାଷାର ଗୁରୁତ୍ୱ ଅତ୍ୟନ୍ତ ଅଧିକ। କାଳକ୍ରମେ ଅନ୍ୟାନ୍ୟ ଭାଷାର ପ୍ରଚଳନ ବୃଦ୍ଧି ପାଇଥିଲେ ମଧ୍ୟ ଆଜି ମଧ୍ୟ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ସଂସ୍କୃତ ଭାଷା ଓ ଶ୍ଳୋକର ବ୍ୟବହାର ଦେଖିବାକୁ ମିଳେ। ପୂଜାପାଠଠାରୁ ଆରମ୍ଭ କରି ବିବାହ ଓ ବିଭିନ୍ନ ଧାର୍ମିକ-ସାଂସ୍କୃତିକ ଅନୁଷ୍ଠାନରେ ସଂସ୍କୃତ ଶ୍ଳୋକର ଉଚ୍ଚାରଣର ବିଶେଷ ଗୁରୁତ୍ୱ ରହିଛି। ମହାଭାରତ, ରାମାୟଣ ସମେତ ଅନେକ ପ୍ରାଚୀନ ଓ ଉପାଦେୟ ଗ୍ରନ୍ଥର ମୂଳ ରଚନା ମଧ୍ୟ ସଂସ୍କୃତ ଭାଷାରେ ହୋଇଛି।

ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରତି ବିଦ୍ୟାଳୟରେ ସଂସ୍କୃତ ଭାଷା ଉପରେ ବିଭିନ୍ନ ପ୍ରତିଯୋଗିତା ଓ ଆଲୋଚନା ଚକ୍ର ଆୟୋଜନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହିକ୍ରମରେ ସରକାରୀ ଉଚ୍ଚ ବିଦ୍ୟାଳୟ, ସିନ୍ଦୁରିଆରେ ସଂସ୍କୃତ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ସଂସ୍କୃତ ବକ୍ତୃତା ଓ ଶ୍ଳୋକ ଉଚ୍ଚାରଣ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ନିମନ୍ତେ ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ରାଉତଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଛାତ୍ରୀମାନଙ୍କ ପକ୍ଷରୁ ସଂସ୍କୃତ ଗୀତ ଆଧାରିତ ମନୋମୁଗ୍ଧକର ନୃତ୍ୟ ପରିବେଷଣ କରାଯାଇଥିଲା।

କାର୍ଯ୍ୟକ୍ରମକୁ ସହକାରୀ ଶିକ୍ଷୟିତ୍ରୀ ତ୍ରିପୁରା ସେଠୀ ସଞ୍ଚାଳନ କରିଥିବା ବେଳେ ଅନ୍ୟତମ ସହକାରୀ ଶିକ୍ଷୟିତ୍ରୀ ସୁଷମା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

Related posts