ଶରଣକୁଳ ମହାବିଦ୍ୟାଳୟରେ ‘ଓସ୍ନେଲିଆ’ର ଅନୁଦାନ ପକ୍ଷ ପାଳିତ: ଦାବି ପୂରଣ ନହେଲେ ସେପ୍ଟେମ୍ବର ୨୨ରୁ ମହାଆନ୍ଦୋଳନ ଚେତାବନୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ (ଓସ୍ନେଲିଆ) ପକ୍ଷରୁ ଶରଣକୁଳ ମହାବିଦ୍ୟାଳୟ ପରିସରରେ ‘ଅନୁଦାନ ପକ୍ଷ’ ପାଳିତ ହୋଇଯାଇଛି। ୧/୬/୨୦୦୮ ରୁ ୧/୬/୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ସରକାରୀ ଅନୁଦାନ ପ୍ରଦାନ ଦାବିରେ ଏହି ଅଭିଯାନ ସେପ୍ଟେମ୍ବର ୨ରୁ ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ।

ଗତ ବର୍ଷ ବିଧାନସଭାର ମୌସୁମୀ ଅଧିବେଶନ ବେଳେ ସଂଘ ପକ୍ଷରୁ ଚାଲିଥିବା ଆମରଣ ଅନଶନକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ସ୍ଥଗିତ ରଖାଯାଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଏକାମ୍ର ବିଧାୟକ ବାବୁ ସିଂ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ ଓ ନିର୍ଦ୍ଦେଶକ କାଳିପ୍ରସନ୍ନ ମହାପାତ୍ରଙ୍କ ସହ ସଂଘ ଦୀର୍ଘ ଏକ ବର୍ଷ ଧରି ଆଲୋଚନା କରିଆସୁଛି। ଉଚ୍ଚସ୍ତରୀୟ କମିଟିର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ସାରିଥିଲେ ମଧ୍ୟ ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ନିର୍ଦ୍ଦେଶନାମା ପ୍ରକାଶ ପାଇନାହିଁ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରତିବାଦ ସ୍ୱରୂପ ଆସନ୍ତା ଗୁରୁ ଦିବସକୁ ‘କଳା ଦିବସ’ ଦିବସ ଭାବେ ରାଜ୍ୟବ୍ୟାପୀ ପାଳନ କରାଯିବ। ଏହା ସହ ସେପ୍ଟେମ୍ବର ୨୨ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ।
ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ସଂଘ ବାଧ୍ୟ ହୋଇ ବୃହତ ଆନ୍ଦୋଳନକୁ ଓହ୍ଲାଉଛି ବୋଲି ନୟାଗଡ଼ ଜିଲ୍ଲା ସଂଯୋଜକ ଦେବାଶିଷ ମହାପାତ୍ର ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସଂଘ ପବିତ୍ର ଗୁରୁ ଦିବସକୁ ‘କଳା ଦିବସ’ ଭାବେ ପାଳନ କରିବ। ଏହାସହ ଆସନ୍ତା ସେପ୍ଟେମ୍ବର ୨୨ରୁ ସମସ୍ତ ମହାବିଦ୍ୟାଳୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବା ସହିତ ପୁରୀ ଶ୍ରୀମନ୍ଦିରରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ବିରାଟ ପଦଯାତ୍ରା କରି ଦାବିପତ୍ର ପ୍ରଦାନ କରାଯିବ।
ଆନ୍ଦୋଳନ ଉଗ୍ରରୂପ ଧାରଣ କରିବା ପୂର୍ବରୁ ସରକାର ୨୦୦୮-୧୮ ଅବଧିର ଅନୁଦାନ ତୁରନ୍ତ ଘୋଷଣା କରନ୍ତୁ,ଅନ୍ୟଥା ଆଗାମୀ ଦିନରେ ସୃଷ୍ଟି ହେବାକୁ ଥିବା ସମସ୍ତ ଅପ୍ରୀତିକର ପରିସ୍ଥିତି ପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ସସ୍ମିତା ଦାଶ, ମୋନାଲିସା ମିଶ୍ର, ଅମିତା ଦେଇ, ରାଜ ସୁନୀତା, ମୋନାଲିସା ସାମଲ, ସୁଜାତା ପ୍ରିୟଦର୍ଶିନୀ, କର୍ମଚାରୀ ଜିତେନ୍ଦ୍ର ପ୍ରଧାନଙ୍କ ସମେତ ବହୁ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Related posts