ଏମ୍‌ଏମ୍‌ଡିଆର୍‌କୁ ନେଇ ୧୦ ପ୍ରଶ୍ନ, କେନ୍ଦ୍ରକୁ ଘେରିଲେ ନୟାଗଡ଼ ବିଧାୟକ ଅରୁଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ଏମ୍‌ଏମ୍‌ଡିଆର୍‌ ବିଲ୍‌ ଓ ଖଣି ନୀତିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ। ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ସେ ଏମ୍‌ଏମ୍‌ଡିଆର୍‌ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ୧୦ଟି ପ୍ରଶ୍ନ ପଚାରିବା ସହ ବିଲ୍‌କୁ ନେଇ ରାଜ୍ୟ ସ୍ୱାର୍ଥର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି।

ବିଧାୟକ ଡ. ସାହୁ କହିଛନ୍ତି ଯେ, ୨୦୨୨ ଫେବୃଆରୀ ୨୨ରେ ଓଡ଼ିଶାର ଖଣି ନୀତି ଓ ସଂସ୍କାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଥିଲେ। ନିଲାମରୁ ରାଜସ୍ୱ ଆଦାୟ ଏବଂ ଖଣି ସଂସ୍କାର କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ବୋଲି ସେତେବେଳେ ପ୍ରଧାନମନ୍ତ୍ରୀ କହିଥିବା ସେ ଉଲ୍ଲେଖ କରିଥିଲେ। ତେବେ ଏବେ ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ ନେଇ ରାଜ୍ୟରେ ତର୍କବିତର୍କ ଚାଲିଥିବା ବେଳେ ରାଜ୍ୟ ସହ ଆଲୋଚନା ନକରି କେନ୍ଦ୍ର କାହିଁକି ଏଭଳି ପଦକ୍ଷେପ ନେଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ସମ୍ପର୍କରେ ଆଲୋଚନା ପାଇଁ ବିଧାନସଭା ଡାକିବାକୁ ବିରୋଧୀ ଦଳ ପକ୍ଷରୁ ଦାବି କରାଯାଇଥିଲେ ମଧ୍ୟ ଏ ନେଇ ଉତ୍ତର ମିଳିନାହିଁ। ଅନ୍ୟପକ୍ଷରେ ଓଡ଼ିଶାର ୨୦ ଜଣ ଲୋକସଭା ସାଂସଦ ଓ ୫ ଜଣ ରାଜ୍ୟସଭା ସାଂସଦ ରାଜ୍ୟ ସ୍ୱାର୍ଥରେ ନିଜର ମତ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଖଣି ରାଜସ୍ୱ ପ୍ରସଙ୍ଗରେ ବିଭିନ୍ନ ରାଜ୍ୟର ତଥ୍ୟ ଉପସ୍ଥାପନ କରି ଡ. ସାହୁ କହିଛନ୍ତି ଯେ, ୨୦୧୪-୧୫ ପରଠାରୁ ଖଣି କ୍ଷେତ୍ରରେ ସଂସ୍କାର ଆଣିଥିବା ରାଜ୍ୟଗୁଡ଼ିକର ରାଜସ୍ୱ ଆଦାୟରେ ବୃଦ୍ଧି ଘଟିଛି। ଓଡ଼ିଶା ଏହାର ଏକ ପ୍ରମୁଖ ଉଦାହରଣ ବୋଲି ସେ ଦାବି କରିଛନ୍ତି।

ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ ନେଇ ଡ. ଅରୁଣ ସାହୁ ପଚାରିଥିବା ପ୍ରମୁଖ ପ୍ରଶ୍ନଗୁଡ଼ିକ ହେଲା—

୧. ଓଡ଼ିଶାର ୨୦ ଜଣ ଲୋକସଭା ଓ ୫ ଜଣ ରାଜ୍ୟସଭା ସାଂସଦ ଏହି ପ୍ରସଙ୍ଗରେ କାହିଁକି ନିରବ ଅଛନ୍ତି?

୨. ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ ବିସ୍ତୃତ ଆଲୋଚନା ନକରି ଏତେ ତରବରିଆ ଭାବେ କାହିଁକି ପାସ୍‌ କରାଗଲା?

୩.ଏହି ବିଲ୍‌ କେଉଁ ଖଣିପତି, ଶିଳ୍ପପତି କିମ୍ବା ବ୍ୟବସାୟୀଙ୍କ ସ୍ୱାର୍ଥ ପାଇଁ ଅଣାଯାଇଛି?

୪. ଓଡ଼ିଶାକୁ ୯୦ ପ୍ରତିଶତ ରାଜସ୍ୱ ମିଳିବ ବୋଲି ବିଲ୍‌ର କେଉଁଠାରେ ଉଲ୍ଲେଖ ରହିଛି?

୫. ଓଡ଼ିଶାର ଖଣି ନୀତିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିବା ବେଳେ ବର୍ତ୍ତମାନର ‘ଡବଲ୍‌ ଇଞ୍ଜିନ୍‌’ ସରକାର କାହିଁକି ଏହାକୁ ବିରୋଧ କରୁଛି?

୬. ତରବରିଆ ଭାବେ ବିଲ୍‌ ପାସ୍‌ କରିବା ପଛରେ ଦଳୀୟ ସ୍ୱାର୍ଥ ରହିଛି ନା ରାଜ୍ୟ ସ୍ୱାର୍ଥ?

୭. ଜମିର ମାଲିକାନା ରାଜ୍ୟ ସରକାରଙ୍କ ପାଖରେ ଥିବା ବେଳେ ଖଣି ଓ ଖଣିଜ ଜମିକୁ କେନ୍ଦ୍ର ନିଜ ଅଧୀନକୁ ନେବା ପଛରେ କ’ଣ ଉଦ୍ଦେଶ୍ୟ ରହିଛି?

୮. ରାଜ୍ୟର ଖଣିଜ ସମ୍ପଦରୁ ଟିକସ ଓ ରାଜସ୍ୱ ଆଦାୟ ବ୍ୟବସ୍ଥାରେ କେନ୍ଦ୍ରର ଏଭଳି ହସ୍ତକ୍ଷେପ କାହିଁକି?

୯. ରାଜ୍ୟରେ କେତୋଟି ଖଣି ରହିଛି, କେଉଁ ଖଣି କିଏ ନେଇଛନ୍ତି ଏବଂ କେତେ ପରିମାଣର ଖଣିଜ ଉତ୍ତୋଳନ କରାଯାଇଛି—ଏହାର ସମ୍ପୂର୍ଣ୍ଣ ତଥ୍ୟ ସାର୍ବଜନୀନ କରାଯିବ କି?

୧୦. ଖଣି ଖୋଳିବା ପରେ ପରିବେଶ ଓ ଜମି ଉପରେ କେତେ ପ୍ରଭାବ ପଡ଼ିଛି ଏବଂ ଏଥିପାଇଁ କେତେ ରାଜସ୍ୱ ମିଳିଛି, ତାହାର ସ୍ୱଚ୍ଛ ତଥ୍ୟ ସରକାର ସାର୍ବଜନୀନ କରିବ କି?

ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ ନେଇ ରାଜ୍ୟରେ ଚାଲିଥିବା ତର୍କବିତର୍କ ମଧ୍ୟରେ ନୟାଗଡ଼ ବିଧାୟକଙ୍କ ଏହି ୧୦ଟି ପ୍ରଶ୍ନ ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

Related posts