ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ଛାତ୍ର ବିଜେଡି ପକ୍ଷରୁ ଏକ ବିଶାଳ କର୍ମଶାଳା ତଥା ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେଶରେ ‘ଜେନ୍‌ ଜି’ଙ୍କ ସ୍ଥିତି, ଭୂମିକା ଓ ଭବିଷ୍ୟତ ପରିସ୍ଥିତି ସମ୍ପର୍କରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ।

ଦରଦାମ ବୃଦ୍ଧି, ପେପର ଲିକ୍‌, ଖଣି ପ୍ରସଙ୍ଗ ସମେତ ଦେଶର ବିଭିନ୍ନ ସାମ୍ପ୍ରତିକ ପ୍ରସଙ୍ଗ ଉପରେ ଡ. ସାହୁ ଆଲୋକପାତ କରିଥିଲେ। ଦେଶର ବର୍ତ୍ତମାନ ପରିସ୍ଥିତିକୁ ଆଖି ଆଗରେ ରଖି ଜେନ୍‌ ଜି ପିଢ଼ି ସଚେତନ ଭାବେ ନିଜର ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ସେ କହିଥିଲେ।

ଏଥିସହ ଛାତ୍ର ସଂଗଠନକୁ କିଭଳି ଅଧିକ ସୁଦୃଢ଼ ଓ ସକ୍ରିୟ କରାଯାଇପାରିବ, ସେ ନେଇ ଛାତ୍ରନେତାମାନଙ୍କୁ ବିଧାୟକ ପରାମର୍ଶ ଦେଇଥିଲେ। ଛାତ୍ରମାନଙ୍କ ସମସ୍ୟା, ଅଧିକାର ଓ ସାମାଜିକ ପ୍ରସଙ୍ଗକୁ ନେଇ ସଂଗଠନ ଅଧିକ ସକ୍ରିୟ ହେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ ସରୋଜ ରଣସିଂ ଓ ସୁବାଷ ଚନ୍ଦ୍ର କହଁର, ଯୁବ ବିଜେଡି ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ବେହେରା, ଛାତ୍ର ବିଜେଡି ଜିଲ୍ଲା ସଭାପତି ଅମରେଶ୍ୱର ଜେନା, ଛାତ୍ରନେତା ନୀଳମାଧବ ପଣ୍ଡା, ବ୍ଲକ ବିଜେଡି ସଭାପତି ଭଞ୍ଜକିଶୋର ମହାପାତ୍ର, ଯୁବନେତା ବିଭୂପ୍ରସାଦ ସାହୁଙ୍କ ସମେତ ବହୁ ଛାତ୍ରନେତା ଓ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Related posts