ନୟାଗଡ଼ କଲେଜର ଶିକ୍ଷାଦାନ ନିର୍ଘଣ୍ଟ କାହା ସ୍ୱାର୍ଥରେ?

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଶିକ୍ଷାଦାନ ସମୟ ନିର୍ଘଣ୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରାକ୍ତନ ଛାତ୍ର ସଂଘ ସଭାପତି ତଥା ବିଶିଷ୍ଟ ବାମପନ୍ଥୀ ନେତା ବିଶ୍ୱନାଥ ମହାପାତ୍ର। ମହାବିଦ୍ୟାଳୟରେ ଶିକ୍ଷାଦାନ ସକାଳ ୭ଟାରୁ ଆରମ୍ଭ କରାଯାଇ ପୂର୍ବାହ୍ନରେ ପ୍ରାୟ ସମସ୍ତ କ୍ଲାସ୍ ଶେଷ କରି ଅପରାହ୍ନ ସମୟକୁ ଖାଲି ରଖିବା ଶିକ୍ଷାଦାନର ସୁସ୍ଥ ପରିବେଶ ପାଇଁ ଉପଯୁକ୍ତ ନୁହେଁ ବୋଲି ସେ କହିଛନ୍ତି।

ଶ୍ରୀ ମହାପାତ୍ରଙ୍କ କହିବାନୁସାରେ, ମହାବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହର ଅଭାବ ନଥିବା ସତ୍ତ୍ୱେ ସକାଳ ୯ଟାରୁ ଶିକ୍ଷାଦାନ ଆରମ୍ଭ କରି ଅପରାହ୍ନ ୪ଟା ପର୍ଯ୍ୟନ୍ତ କ୍ଲାସ୍ ଚାଲିଲେ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀମାନେ ଅଧିକ ସୁବିଧା ପାଇପାରିବେ। ବର୍ତ୍ତମାନର ସମୟ ନିର୍ଘଣ୍ଟ ଯୋଗୁଁ ଛାତ୍ରଛାତ୍ରୀଙ୍କୁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିବା ସେ ଅଭିଯୋଗ କରିଛନ୍ତି।

ଏଥିସହିତ, ଘରୋଇ ଶିକ୍ଷାନୁଷ୍ଠାନ ଓ କୋଚିଂ ବ୍ୟବସ୍ଥାକୁ ପରୋକ୍ଷରେ ସୁବିଧା ଦେବା ପାଇଁ ଶିକ୍ଷାଦାନ ନିର୍ଘଣ୍ଟକୁ ବିଶୃଙ୍ଖଳିତ କରାଯାଉଛି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି। ଏପରି ବ୍ୟବସ୍ଥା ଦ୍ୱାରା ସରକାରୀ ଶିକ୍ଷାନୁଷ୍ଠାନର ଗୁରୁତ୍ୱ ହ୍ରାସ ପାଇବା ସହ ଶିକ୍ଷାର ଘରୋଇକରଣକୁ ପରୋକ୍ଷରେ ପ୍ରୋତ୍ସାହନ ମିଳୁଥିବା ସେ ମତ ଦେଇଛନ୍ତି।

ନୟାଗଡ଼ ମହାବିଦ୍ୟାଳୟ ଓଡ଼ିଶାର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ହୋଇଥିବାରୁ ଏଠାରେ ଶ୍ରେଣୀ ଶିକ୍ଷାଦାନକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। କୋଚିଂ ବ୍ୟବସ୍ଥା ଉପରେ ଅଧିକ ନିର୍ଭରଶୀଳତା ଫଳରେ ସ୍ୱଚ୍ଛଳ ବର୍ଗର ଛାତ୍ରଛାତ୍ରୀ କିଛିଟା ଲାଭ ପାଇପାରନ୍ତି, କିନ୍ତୁ ସାଧାରଣ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀ ଏଥିରେ କ୍ଷତିଗ୍ରସ୍ତ ହେବେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।

ସେହିପରି ମହାବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷାକର୍ମୀମାନଙ୍କ ବେତନ ସମ୍ବନ୍ଧୀୟ ଅସମାନତାର ସମାଧାନ କରି ସେମାନଙ୍କୁ ନ୍ୟାୟସଙ୍ଗତ ପ୍ରାପ୍ୟ ପ୍ରଦାନ କରିବାକୁ ମଧ୍ୟ ସେ ଦାବି କରିଛନ୍ତି।

ବାୟୋମେଟ୍ରିକ୍ ଉପସ୍ଥାନକୁ ଶିକ୍ଷାଦାନର ଏକମାତ୍ର ମାପକାଠି ଭାବେ ନ ଦେଖି ଶ୍ରେଣୀକକ୍ଷରେ ବାସ୍ତବ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଶ୍ରୀ ମହାପାତ୍ର ମତ ପ୍ରକାଶ କରିଛନ୍ତି। ନୟାଗଡ଼ ମହାବିଦ୍ୟାଳୟର ଶିକ୍ଷାର ମାନ ବୃଦ୍ଧି ପାଇଁ ଶିକ୍ଷାଦାନ ନିର୍ଘଣ୍ଟର ପୁନଃସମୀକ୍ଷା ସହିତ ଶ୍ରେଣୀ ଶିକ୍ଷାଦାନର ଗୁଣାତ୍ମକ ତତ୍ତ୍ୱାବଧାନକୁ କଡ଼ାକଡ଼ି କରିବାକୁ ସେ ପରିଚାଳନା ପରିଷଦ ନିକଟରେ ଅନୁରୋଧ କରିଛନ୍ତି।

Related posts