ବିଦ୍ୟୁତ ବିଭାଗ ବିରୋଧରେ ପୁଞ୍ଜିଭୂତ ଜନ ଅସନ୍ତୋଷ, ୩୦ଜୁନରେ ଦଶପଲ୍ଲା ବନ୍ଦ ଡାକରା

ଦଶପଲ୍ଲା, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଅଞ୍ଚଳରେ ବିଦ୍ୟୁତ ସେବାକୁ ନେଇ ଦୀର୍ଘଦିନ ଧରି ପୁଞ୍ଜିଭୂତ ଜନ ଅସନ୍ତୋଷ ବର୍ତ୍ତମାନ ଗଣଆନ୍ଦୋଳନର ରୂପ ନେବାକୁ ଯାଉଛି। ବିଦ୍ୟୁତ ବିଭାଗ ଓ ଟାଟା ପାୱାର ପକ୍ଷରୁ ଦାବିଗୁଡ଼ିକର ସମାଧାନ ନ ହେବାରୁ ଆସନ୍ତା ୩୦ ଜୁନ (ମଙ୍ଗଳବାର) ‘ଦଶପଲ୍ଲା ବନ୍ଦ’ ପାଇଁ କ୍ରିୟାନୁଷ୍ଠାନ କମିଟି ଆହ୍ୱାନ କରିଛି।

ଦଶପଲ୍ଲା ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ, ଲୋ-ଭୋଲ୍ଟେଜ ସମସ୍ୟା, ଟାକରାଠାରେ ୨୦୧୮ ମସିହାରୁ ପ୍ରାୟ ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨୨୦/୩୩ କେଭି ପାୱାର ଗ୍ରିଡ୍ ସବ୍-ଷ୍ଟେସନ କାର୍ଯ୍ୟକ୍ଷମ ନ ହେବା ଏବଂ ଟିପିସିଓଡିଏଲ୍‌ ପକ୍ଷରୁ କିଛି ଯୁବକଙ୍କ ନାମରେ ରୁଜୁ ମାମଲା ପ୍ରତ୍ୟାହାର ସମେତ ବିଭିନ୍ନ ଦାବି ନେଇ ଗତ ୧୦ ଜୁନ ଦିନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

ପରବର୍ତ୍ତୀ ସମୟରେ ୨୫ ଜୁନ ସୁଦ୍ଧା ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଚରମପତ୍ର ଦିଆଯାଇଥିଲା। କିନ୍ତୁ ୧୫ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ କିମ୍ବା ସଂପୃକ୍ତ କମ୍ପାନୀ ପକ୍ଷରୁ କୌଣସି ଆଲୋଚନା କିମ୍ବା ସକାରାତ୍ମକ ପଦକ୍ଷେପ ନ ନିଆଯାଇଥିବାରୁ ଉପଭୋକ୍ତାମାନଙ୍କ ମଧ୍ୟରେ ତୀବ୍ର କ୍ଷୋଭ ପ୍ରକାଶ ପାଇଛି।

ଏହାର ପ୍ରତିବାଦ ସ୍ୱରୂପ ଇତିମଧ୍ୟରେ ପ୍ରାୟ ୧,୦୦୦ ପୋଷ୍ଟକାର୍ଡ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଛି। ଦଶପଲ୍ଲାର ସମସ୍ତ ରାଜନୈତିକ ଦଳ, ଓକିଲ ସଂଘ, ସାମ୍ବାଦିକ ସଂଘ, ବ୍ୟବସାୟୀ ସଂଗଠନ, ବସ ମାଲିକ ସଂଘ, ଡ୍ରାଇଭର ମହାସଂଘ, ଅଟୋ ରିକ୍ସା ସଂଘ, ସରପଞ୍ଚ ମହାସଂଘ, ବିଭିନ୍ନ ଜନପ୍ରତିନିଧି, ୨୫ରୁ ଅଧିକ ଯୁବ ସଂଗଠନ ଏବଂ ଶତାଧିକ ମହିଳା ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଥିବା ଜଣାପଡ଼ିଛି।

ଗତ ୨୬ ଜୁନ ରାତିରେ ମହାବୀର ମନ୍ଦିର ପରିସରରେ ଅନୁଷ୍ଠିତ ବୈଠକରେ ସର୍ବସମ୍ମତିକ୍ରମେ ୩୦ ଜୁନରେ ଦଶପଲ୍ଲା ବନ୍ଦ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ବନ୍ଦ ସମୟରେ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟ, ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରଖିବା ସହ ଖୋର୍ଦ୍ଧା–ବଲାଙ୍ଗୀର ଜାତୀୟ ରାଜପଥ-୫୭ ଏବଂ ଅନ୍ୟାନ୍ୟ ପ୍ରମୁଖ ସଡ଼କ ଅବରୋଧ କରାଯିବ ବୋଲି ଆହ୍ୱାନ କରାଯାଇଛି।

ଏହି ବନ୍ଦ ଯୋଗୁଁ ପଶ୍ଚିମ ଓଡ଼ିଶା ଏବଂ ଭୁବନେଶ୍ୱର ମଧ୍ୟରେ ସଡ଼କ ଯୋଗାଯୋଗ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ଉପଭୋକ୍ତା ସଂଘର ସଭାପତି ପ୍ରଫୁଲ୍ଲ କୁମାର ମିଶ୍ର ଓ କାର୍ଯ୍ୟକାରୀ ସଭାପତି ହାଡିବନ୍ଧୁ ମହାଖୁଡ଼ ସମସ୍ତଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ କରିଛନ୍ତି। ସେମାନେ ଏହା ମଧ୍ୟ କହିଛନ୍ତି, ଯଦି ଦାବିଗୁଡ଼ିକ ପୂରଣ ନ ହୁଏ, ତେବେ ଆଗାମୀ ଦିନରେ ବିଦ୍ୟୁତ ବିଲ ପ୍ରଦାନ ବନ୍ଦ କରିବା ଭଳି କଠୋର ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯାଇପାରେ।

Related posts