ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ଥାନା ବାଣ୍ଠପୁର ପଞ୍ଚାୟତ ନିହଲ ପ୍ରସାଦ ଏବଂ ଓସ୍ତିଆମାଳ ଗାଁରୁ ରବିବାର ବିଳମ୍ପିତ ରାତିରେ ୮ପଟ ଛେଳି ଚୋରିକରି ଚୋରମାନେ ନେଇ ଯାଉଥିବା ବେଳେ ଗ୍ରାମବାସୀମାନେ ସେମାନଙ୍କୁ ଘେରି ଯାଇଥିଲେ। ଛେଳି ମାନଙ୍କୁ ନେଉଥିବା ବୋଲେରୋ ଗାଡ଼ି କୁକୁଡ଼ା ଫାର୍ମ ନିକଟରେ ଓଲଟି ପଡ଼ିବାରୁ ଚୋରମାନେ ରାତିର ଅନ୍ଧାରରେ କେଉଁଆଡେ ଲୁଚିଯାଇଥିବା ବେଳେ ବୋଲେରୋ ଗାଡ଼ିରୁ ୨ଛେଳି ଖସିଗଲେ। ବୋଲେରୋ ଗାଡ଼ି ସହିତ ୬ ଛେଳିଙ୍କୁ ଗ୍ରାମବାସୀ ରାତି ତମାମ ଜଗି ରହିଥିବା ବେଳେ ରାତିରେ
ସନ୍ଦିଗ୍ଧ ଅବସ୍ଥାରେ ଅଟୋରେ ବୁଲୁଥୁବା ଜଣେ ମହିଳାଙ୍କୁ ଗ୍ରାମବାସୀ ଅଟକାଇ ଓଡ଼ଗାଁ ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ଓଡ଼ଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋ ସହିତ ଛେଳି ଏବଂ ମହିଳାଙ୍କୁ ଥାନାକୁ ଆଣିଥିଲେ। ତଦନ୍ତ ବେଳେ ଜଣାଗଲା ପ୍ରାୟ ୧ମାସ ପୂର୍ବେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ହିଞ୍ଜିଳିକାଟୁରୁ ଓଆର୦୭ପି୯୮୫୬ ନମ୍ବର ବିଶିଷ୍ଟ ଏହି ବୋଲେରୋଟି ଚୋରି ହୋଇଥିବା ଜଣାପଡ଼ିଛି।
ଏହି ଚୋରୀ ଖବର ପାଇ ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠୀ ଓଡ଼ଗାଁରେ ପହଞ୍ଚିଥିଲେ। ହିଞ୍ଜିଳି ଥାନା ଅଧିକାରୀ ପହଞ୍ଚିବା ପରେ ଚୋରି ବୋଲେରୋ ଗାଡ଼ିରେ ଛେଳି ଚୋରୀ ଚୋରମାନଙ୍କୁ ମହଙ୍ଗା ପଡ଼ିଲା। ଚୋରି ହୋଇଥିବା ୮ଛେଳିରୁ ଓଡ଼ଗାଁ ପୋଲିସ ଓସ୍ତିଆମାଳ ଗାଁର ଶାନ୍ତି ପ୍ରଧାନଙ୍କ ଚୋରି ହୋଇଥିବା ୨ଛେଳି ଏବଂ ନିହଲପ୍ରସାଦ ଗଡ଼ଗାଁର ନବକିଶୋର ଦଳବେହେରାଙ୍କ ଚୋରି ହୋଇଥିବା ୬ ଛେଳି ମଧ୍ୟରୁ ୪ଟି ଛେଳି ହସ୍ତାନ୍ତର କରିଥିଲେ। ଏବଂ ଅନ୍ୟ ୨ଛେଳି ଗତକାଲି ବିଳମ୍ବିତ ରାତିରେ ଜଙ୍ଗଲରେ ହଜିଯାଇଥିଲେ । ବିଳମ୍ବିତ ରାତିରେ ସନ୍ଦିଗ୍ଧ ଅବସ୍ଥାରେ ଅଟୋରେ ବୁଲୁଥିବା ମହିଳାଙ୍କୁ ଓଡ଼ଗାଁ ପୋଲିସ ପଚରାଉଚରା କରିବା ପରେ ଏକ ବଡ଼ ଛେଳି ଚୋର ଗ୍ୟାଙ୍ଗର ପର୍ଦାଫାଶ ହୋଇଛି । ସୂଚନା ଥାଉକି ଗତ ୩ ତାରିଖ ରାତିରେ ଧବଳେଇ ଗ୍ରାମର ଶିବରାମ ବେହେରାଙ୍କ ଗୁହାଳ ଘର ତାଲା ଭାଙ୍ଗି ୮ପଟ ଛେଳି ଚୋରାଇ ନେଇଥିଲେ ଚୋର। ସେହିପରି ସେହି ରାତିରେ ବାହାଡ଼ାଝୋଲା ଫାଣ୍ଡି ହାତିଆଶିଳା ଗାଁର କାଳନ୍ଦୀ ନାହାକଙ୍କ ଗୁହାଳରୁ ଚୋରମାନେ ୧୫ପଟ ଛେଳି ଚୋରାଇ ନେଇଥିବା ଥାନାରେ ଅଭିଯୋଗ ହୋଇଛି।
