ନିର୍ଦ୍ଦେଶନାମା ଥିବା ସତ୍ୱେ ସକାଳୁଆ ହେଲାନି ସ୍କୁଲ, ଜିଲ୍ଲାପାଳଙ୍କୁ ଭେଟିଲେ ବିଭିନ୍ନ ଶିକ୍ଷକ ସଂଗଠନ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ସ୍ଥାୟୀ ନିର୍ଦ୍ଦେଶନାମା ଥିବା ସତ୍ୱେ ନୟାଗଡ଼ ଜିଲ୍ଲାର ବିଦ୍ୟାଳୟ ଗୁଡିକ ଏପ୍ରିଲ ୨ ରୁ ସକାଳୁଆ ସ୍କୁଲ ହୋଇନାହିଁ। ଫଳରେ ପ୍ରବଳ ଖରାରେ ପିଲାମାନେ ଖୁବ କମ ସଂଖ୍ୟାରେ ସ୍କୁଲ ଆସୁଥିବା ଜଣାପଡିଛି। ବର୍ତ୍ତମାନ ନୟାଗଡ଼ ଜିଲ୍ଲାରେ ଦିନ ତାପମାତ୍ରା ୪୦ ଡିଗ୍ରୀ ପାର କରିଥିବା ବେଳେ ପ୍ରଚଣ୍ଡ ଖରା ଏବଂ ଝାଞ୍ଜି ପବନ ଯୋଗୁଁ ପିଲାମାନେ ସ୍କୁଲ ଆସିବା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡ଼ିବାର ଆଶଙ୍କା ପ୍ରକାଶ ପାଇଛି। ଏ ନେଇ ଆଜି ଅପରାହ୍ନରେ ଜିଲ୍ଲାର ବିଭିନ୍ନ ଶିକ୍ଷକ ସଂଗଠନ ମାନଙ୍କ ନେତୃମଣ୍ଡଳୀ ଜିଲ୍ଲାପାଳ ମଧୁମିତା ରଥଙ୍କୁ ତାଙ୍କ କାର୍ଯ୍ୟାଳୟ ଠାରେ ସାକ୍ଷାତ କରି ତୁରନ୍ତ ରାଜ୍ୟ ସରକାରଙ୍କ ସ୍ଥାୟୀ ନିର୍ଦ୍ଦେଶନାମା ଅନୁଯାଇ ସକାଳୁଆ ସ୍କୁଲ କରିବା ପାଇଁ ଦାବି ଜଣାଇଥିଲେ। ଜିଲ୍ଲାପାଳ ସହୃଦୟର ସହିତ ଏହା ଉପରେ ବିଚାର କରି ତୁରନ୍ତ ନିର୍ଦ୍ଦେଶନାମା ପ୍ରକାଶ କରିବେ ବୋଲି ଶିକ୍ଷକ ସଂଗଠକ ମାନଙ୍କୁ ପ୍ରତିଶୃତି ଦେଇଥିଲେ। ଶିକ୍ଷକ ସଂଗଠନ ପକ୍ଷରୁ ମାଧ୍ୟମିକ ଶିକ୍ଷକ ସଂଗଠନ ଓସ୍ତାର ନୟାଗଡ଼ ବ୍ଲକ ସମ୍ପାଦକ ଅଭିମନ୍ୟୁ ମହାନ୍ତି, ପ୍ରାଥମିକ ଶିକ୍ଷକ ସଂଘ ନୟାଗଡ଼ ବ୍ଲକ ସମ୍ପାଦକ ଭକ୍ତ ବଲ୍ଲଭ ବଟକୃଷ୍ଣ ମିଶ୍ର, ନୂତନ ପେନସନ ଭୁକ୍ତ ଶିକ୍ଷକ ସଂଘ ସମ୍ପାଦକ ସୁରେଶ ସେଠି, ଏକ୍ସ କ୍ୟାଡର ଜିଲ୍ଲା ସଭାପତି ଉମେଶ ସ୍ୱାଇଁ, ଶିକ୍ଷକ ନେତା ଶେଖ ଅବଦୁଲ ଖାଲିକ ଏବଂ ଲକ୍ଷ୍ମୀଧର ସାହୁ ପ୍ରମୁଖ ସାମିଲ ହୋଇଥିଲେ।

Related posts