ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଶାସନିକ କାର୍ଯ୍ୟଦକ୍ଷତା ବୃଦ୍ଧି ଏବଂ ଜନସାଧାରଣଙ୍କୁ ସ୍ୱଚ୍ଛ ଓ ତ୍ୱରିତ ସେବା ଯୋଗାଇଦେବା ଲକ୍ଷ୍ୟରେ OCAC ଦ୍ବାରା ନୟାଗଡ଼ ଜିଲ୍ଲା ପ୍ରଶାସନ ପାଇଁ ଏକ ଦିନିକିଆ କୃତ୍ରିମ ବୁଦ୍ଧିମତ୍ତା (AI) ଉପଯୋଗ କର୍ମଶାଳା ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଆଧୁନିକ ଯୁଗରେ ଟେକ୍ନୋଲୋଜିର ବ୍ୟବହାର କରି କିପରି ସରକାରୀ କାର୍ଯ୍ୟକୁ ଅଧିକ ସରଳ କରାଯାଇପାରିବ, ସେ ନେଇ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।
ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଏବଂ ବିଜୟାନନ୍ଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କର୍ମଶାଳା ପରିଚାଳିତ ହୋଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ବିଭାଗର ପ୍ରାୟ ୫୦ରୁ ଉର୍ଦ୍ଧ୍ବ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଥିଲେ। ଏହି କର୍ମଶାଳାରେ ରିସୋର୍ସ ପର୍ସନ ଭାବରେ ଶୁଭମ ଚୌଧୁରୀ ଏବଂ ରାକେଶ କୁମାର ପରିଡ଼ା ଯୋଗଦେଇଥିଲେ। ସେମାନେ ପ୍ରଶାସନିକ କ୍ଷେତ୍ରରେ ବ୍ୟବହୃତ ହେଉଥିବା ବିଭିନ୍ନ AI ଟୁଲ୍ସ ଏବଂ ସଫ୍ଟୱେର୍ର ବ୍ୟବହାରିକ ପ୍ରୟୋଗ ସମ୍ପର୍କରେ ବିସ୍ତୃତ ଧାରଣା ଦେଇଥିଲେ। ଡାଟା ମ୍ୟାନେଜମେଣ୍ଟ ଠାରୁ ଆରମ୍ଭ କରି ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ AI ର ଭୂମିକା ଉପରେ ସେମାନେ ଆଲୋକପାତ କରିଥିଲେ।
ଓକାକ୍ (OCAC) ସୌଜନ୍ୟରୁ ଓକେସିଏଲ (OKCL) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଓକେସିଏଲର ନୟାଗଡ଼ ଜିଲ୍ଲା ସଂଯୋଜକ ପ୍ରତାପ କୁମାର ମହାନ୍ତି ପରିଚାଳନାଗତ ସହାୟତା ପ୍ରଦାନ କରିଥିଲେ। କର୍ମଶାଳାଟିକୁ ସୁଶୃଙ୍ଖଳିତ ଭାବେ ସମାପନ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଯେ, ଆଗାମୀ ଦିନରେ ପ୍ରଶାସନିକ କ୍ଷେତ୍ରରେ AI ର ବ୍ୟବହାର ଅପରିହାର୍ଯ୍ୟ। ଏହାଦ୍ୱାରା କେବଳ ସମୟ ବଞ୍ଚିବ ନାହିଁ, ବରଂ ଜନସାଧାରଣଙ୍କ ସମସ୍ୟାର ସମାଧାନ କ୍ଷେତ୍ରରେ ଏକ ନୂତନ ବିପ୍ଳବ ଆସିପାରିବ।
ନୟାଗଡ଼ରେ କୃତ୍ରିମ ବୁଦ୍ଧିମତ୍ତା (AI) ଉପଯୋଗ କର୍ମଶାଳା ଅନୁଷ୍ଠିତ
