ଗଣିଆ, (ନୟାଗଡ଼ ଦର୍ପଣ): ଗଣିଆ ବ୍ଲକ ବେଲପଡାପାଟଣା ନୋଡାଲ ୟୁପି ସ୍କୁଲ ପଞ୍ଚମ ଶ୍ରେଣୀ ଛାତ୍ର ଭୋଳାନାଥ ମଲ୍ଲିକକୁ ଛୁଆଁଅଛୁଆଁ ଭେଦଭାବ ଆଧାରରେ ସ୍କୁଲ ପାଇଖାନା ବ୍ୟବହାର ପାଇଁ ଅନୁମତି ନଦେବା ଯୋଗୁଁ ସମ୍ପୃକ୍ତ ଛାତ୍ର ସ୍କୁଲ ପରିସର ବାହାରକୁ ଝାଡା ଫେରିବା ପାଇଁ ଯାଇ ଏକ ଚୁଆରେ ବୁଡି ମରିଯିବା ଘଟଣା ସମଗ୍ର ଗଣିଆ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ବିଶ୍ୱସନିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ମାନସ କୁମାର ମଲ୍ଲିକ ଆଜି ନୟାଗଡ଼ ଠାରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଘଟଣାକୁ ତିନି ସପ୍ତାହ ବିତି ଯାଇଥିଲେ ମଧ୍ୟ ଗଣିଆ ପୋଲିସ ମୃତକ ପରିବାରକୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ କହିଛନ୍ତି।

ଦାୟିତ୍ୱରେ ଗୁରୁତର ଅବହେଳା କରିଥିବା ପ୍ରଧାନ ଶିକ୍ଷୟତ୍ରୀ ଏବଂ ଶ୍ରେଣୀ ଶିକ୍ଷୟତ୍ରୀଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ କେବଳ ନିଲମ୍ବନ କରିଥିବା ବେଳେ ସେମାନଙ୍କ ବିରୁଦ୍ଧରେ ଉଚିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ପଛରେ ରାଜନୈତିକ ଲିଙ୍କ ଥିବା କଂଗ୍ରେସ ଅଭିଯୋଗ କରିଛି। ଶ୍ରେଣୀ ଶିକ୍ଷୟତ୍ରୀ ସ୍ଥାନୀୟ ବ୍ଲକ ଉପାଧ୍ୟକ୍ଷଙ୍କ ପତ୍ନୀ ଏବଂ ଦଶପଲ୍ଲା ବିଧାୟକଙ୍କ ପାଖଲୋକ ଏବଂ ପ୍ରଧାନ ଶିକ୍ଷୟତ୍ରୀ କନ୍ଧମାଳ ସାଂସଦ ଲିଙ୍କ ଥିବାରୁ ଖଣ୍ଡପଡା ଏସଡ଼ିପିଓ ଆଉ ଗଣିଆ ଥାନା ପୋଲିସ ଉଭୟ ଗିରଫ କରିବା ପାଇଁ ସାହସ ଜୁଟାଇ ପାରୁନାହାଁନ୍ତି। ଏହି ଉଭୟ ଶିକ୍ଷୟତ୍ରୀ ରାଜନୀତି ଲିଙ୍କରେ ସେହି ବିଦ୍ୟାଳୟରେ ପ୍ରାୟ ୧୫ ବର୍ଷରୁ ଉର୍ଦ୍ଧ୍ୱ ବର୍ଷ ରହିଥିବା ଜିଲ୍ଲା କଂଗ୍ରେସ ସଭାପତି ଅଭିଯୋଗ କରିଛନ୍ତି। ମୃତକ ଭୋଳା ତା’ ପିତାମାତାଙ୍କ ଏକମାତ୍ର ପୁତ୍ର ସନ୍ତାନ ହୋଇଥିବାରୁ ତାର ପିତାମାତାଙ୍କ ସାହାରା ପାଇଁ ଅନ୍ୟୁନ ଏକ କୋଟି ଟଙ୍କା ଆର୍ଥିକ ଅନୁଦାନ ଆମ ରାଜ୍ୟର ଆଦିବାସୀ ମୁଖ୍ୟମନ୍ତ୍ରୀ ପ୍ରଦାନ କରିବା ସହ ମୃତକର ଭଉଣୀଙ୍କୁ ସରକାରୀ ଚାକିରୀ ନିଯୁକ୍ତି ପାଇଁ କଂଗ୍ରେସ ପ୍ରତିନିଧି ଦଳ ଜିଲ୍ଲାପାଳ ମଧୁମିତା ରଥଙ୍କୁ ସାକ୍ଷାତ କରି ଦାବୀ କରିଛନ୍ତି।

ଆଗାମୀ ବିଧାନସଭା ଅଧିବେଶନରେ ଏ ସମ୍ପର୍କରେ କଂଗ୍ରେସ ଦଳ ତାରକା ପ୍ରଶ୍ନ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି କୁହାଯାଇଛି। ଦଳର ପରବର୍ତୀ କାର୍ଯ୍ୟପନ୍ଥା ପିସିସି ସଭାପତିଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ଦ୍ଧାରଣ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ଦାଶ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ମାନସ କୁମାର ମଲ୍ଲିକ, ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ, ଡିସିସି ଉପସଭାପତି ତଥା ତଥ୍ୟ ଅନୁସନ୍ଧାନକାରୀ ଦଳ ଅଧ୍ୟକ୍ଷା ବିନୋଦିନୀ ମହାନ୍ତି, ଡିସିସି ଉପସଭାପତି ଫକୀର ଚରଣ ମଲ୍ଲ, ବିଭୁପ୍ରସାଦ ମିଶ୍ର, ଡିସିସି ସାଧାରଣ ସମ୍ପାଦକ ଲଡ଼ୁକେଶ୍ୱର ଷଡ଼ଙ୍ଗୀ ଏବଂ ଗଣିଆ ବ୍ଲକ କଂଗ୍ରେସ ସଭାପତି ହାଲିମ ଖାଁ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।
