ନୟାଗଡ଼, (ନୟାଗଡ଼ ଦର୍ପଣ): ସଂଯୁକ୍ତ କିଷାନ ମୋର୍ଚ୍ଚା, ଟ୍ରେଡୟୁନିଅନ ମାନଙ୍କ ମିଳିତ ମଞ୍ଚ ଓ କ୍ଷେତମଜଦୂର ୟୁନିଅନର ସର୍ବଭାରତୀୟ ଆହ୍ଵାନ କ୍ରମେ ଜାନୁଆରୀ ୧୮ରେ ନୟାଗଡ଼ରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଶ୍ରମିକ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ କରାଯାଇଛି। କର୍ମୀ ମାନେ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ କରିଥିଲେ। ଏହି ସଭାରେ ସିଆଇଟିୟୁର ରାଜ୍ୟ ନେତା ଦୁଷ୍ମନ୍ତ କୁମାର ଦାସ ଉଦ୍ ବୋଧନ ଦେଇ କେନ୍ଦ୍ର ମୋଦି ସରକାରର ଶ୍ରମିକ ବିରୋଧୀ ଶ୍ରମ କୋଡ କିଭଳି ଶ୍ରମିକ ଶ୍ରେଣୀର ଅର୍ଜିତ ଅଧିକାରକୁ ଖର୍ବ କରିଛି, କୃଷକ ବିରୋଧୀ ବିହନ ବିଲ୍ ପାରିତ କରୁଛନ୍ତି, ବିଦ୍ୟୁତ ଘରୋଇକରଣ କରି ଉପଭୋକ୍ତା ମାନଙ୍କୁ ଶୋଷଣ କରୁଛନ୍ତି, ଆଶାକର୍ମୀ ପାଚିକା ଭଳି ସ୍କିମ କର୍ମଚାରୀଙ୍କୁ ନଗଣ୍ୟ ପାରିଶ୍ରମିକ ଦେଇ ଡାକୁଛନ୍ତି, ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରି ଏହି ଜନବିରୋଧୀ ସରକାର ବିରୁଦ୍ଧରେ ଆଗାମୀ ଫେବୃଆରୀ ୧୨ ସର୍ବଭାରତୀୟ ଧର୍ମଘଟକୁ ସଫଳ କରିବାକୁ ଆହ୍ବାନ ରଖିଥିଲେ। ସାଥୀ ନିତ୍ୟାନନ୍ଦ ପରିଡା, ଶରତ ଚନ୍ଦ୍ର ବେହେରା, ପବିତ୍ର ଇନ୍ଦ୍ରଜିତ, ସୁରେଶ ଚନ୍ଦ୍ର ସ୍ଵାଇଁ, ଦୁଃଶାସନ ଜେନା, ସରୋଜ କୁମାର ନାୟକ,ଗଦାଧର ପ୍ରଧାନ, ବୁଦ୍ଧି ନାୟକ, ଚାପଧାରୀ ରାଉତ, ମଙ୍ଗୁଳି ରାଉତ, କୁଳମଣି ପୃଷ୍ଟି ପ୍ରମୁଖ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରି ତୁରନ୍ତ ଶ୍ରମିକ କୃଷକ ବିରୋଧୀ ନୀତିକୁ ପ୍ରତ୍ୟାହାର ନିମନ୍ତେ ଚେତାବନୀ ଦିଆଯାଇଛି।
କୃଷକ ଶ୍ରମିକଙ୍କ ବିକ୍ଷୋଭ – ଫେବୃଆରୀ ୧୨ସାଧାରଣ ଧର୍ମଘଟର ଆହ୍ଵାନ
