ଗୋବିନ୍ଦ ମିଶ୍ର ଥିଲେ ଓଡ଼ିଆ ଜାତିର ପ୍ରଥମ ପ୍ରତିବାଦର ସ୍ୱର- ଦାଶ୍ ବେନହୁର
ଭୁବନେଶ୍ୱର, (ନୟାଗଡ଼ ଦର୍ପଣ): ବିପ୍ଲବୀ ଗୋବିନ୍ଦ ମିଶ୍ର ହିଁ ଥିଲେ ପରାଧିନ ଓଡ଼ିଆ ଜାତିର ପ୍ରତିବାଦର ସ୍ୱର। ଓଡ଼ିଆଙ୍କ ଦୁଃଖ ଦୁର୍ଦ୍ଦଶାର ଜାତୀୟ ସ୍ୱର ଥିଲେ ଗୋବିନ୍ଦ ମିଶ୍ର। ଗାନ୍ଧୀଙ୍କ ସହ ସାବରମତି ଆଶ୍ରମରେ ରହିବା ସହ, ଗାନ୍ଧୀଙ୍କୁ ଓଡ଼ିଶାର ଚରଖା ବୁଲାଇବା ଓ ଖଦି ଲୁଗା ପିନ୍ଧାଇବାରେ ଗୋବିନ୍ଦ ମିଶ୍ରଥିଲେ ପ୍ରଥମ ଓଡ଼ିଆ। କେଦାରନାଥ ଗବେଷଣା କେନ୍ଦ୍ର ଠାରେ ଓଡ଼ିଶାସାହିତ୍ୟ ଏକାଡେମୀ ଓ ସେବା ଉତ୍ସବ ସମିତି ପକ୍ଷରୁ ଗାନ୍ଧିବାଦୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କର ୧୩୬ ତମ ଜନ୍ମ ଜୟନ୍ତୀରେ ଯୋଗଦେଇ ଅତିଥି ମାନେ ଏହି ବକ୍ତବ୍ୟ ରଖିଥିଲେ । ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ଅଧକ୍ଷତାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଦାଶ୍ ବେନହୁର, ମୁଖ୍ୟ ବକ୍ତା ଭାବେ କବି ରକ୍ଷକ ନାୟକ, ସମ୍ମାନନୀୟ ଅତିଥି ଭାବେ ବିପ୍ଳବୀ ଗୋବିନ୍ଦଚନ୍ଦ୍ର ମିଶ୍ର ରାଜ୍ୟ ସ୍ଥରୀୟ ସ୍ମୃତି କମିଟିର ଆବାହକ ଶାରଦାପ୍ରସାଦ ମହାପାତ୍ର, ସ୍ତମ୍ଭକାର ନିରଞ୍ଜନ ମିଶ୍ର, ବିଶିଷ୍ଟ ସମାଜସେବୀ ସନ୍ତୋଷ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।

ବିପ୍ଲବି ଗୋବିନ୍ଦଚନ୍ଦ୍ର ମିଶ୍ର ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଡାକରାରେ ଭାରତୀୟ ସ୍ୱାଧିନତା ସଂଗ୍ରାମରେ ସାମିଲ ହୋଇ ୬ ଥର ବ୍ରିଟିଶ୍ ପୋଲିସ ଦ୍ୱାରା ଗିରଫ ହୋଇଥିଲେ। ୧୯୧୮ ମସିହାରେ ପ୍ରଥମ ଓଡିଆ ଅନ୍ତେବାସୀ ଭାବେ ମହାତ୍ମା ଗାନ୍ଧିଙ୍କ ସାବରମତୀ ଆଶ୍ରମରେ ସେ ଯୋଗଦେଇଥିଲେ । ଏହା ପରଠାରୁ ମହାତ୍ମା ଗାନ୍ଧିଙ୍କ ଜାତୀୟତା ଆନ୍ଦୋଳନରେ ନିଜର ପୂର୍ଣ୍ଣ ସମୟ ବିନିଯୋଗ କରି ସେ ଓଡିଶାରେ ଖଦି ଓ ଚରଖା ଆନ୍ଦୋଳନକୁ ବ୍ୟାପକ କରାଇଥିଲେ। ଶ୍ରୀ ମିଶ୍ରଙ୍କର ଜାତୀୟ ଜୀବନରେ ଆତ୍ମ ବିକାଶ ୧୯୫୭ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଆତ୍ମଜୀବନୀ। କାରାଗାରରେ ଜୀବନ ଓ ନନା ଥାନ୍ତି’ ଆଦି ପୁସ୍ତକ ଓଡ଼ିଆ ଭାଷା ସାହିତ୍ୟକୁ ବେଶ ସମୃଦ୍ଧ କରିଥିବା ନେଇ ଏହି ଅବସରରେ ମତପ୍ରକାଶ ପାଇଥିଲା। କଟକରେ ଚମ୍ପାପୁରଠାରେ ତାଙ୍କ ଉଦ୍ୟମରେ ଗାନ୍ଧିସେବାଶ୍ରମ ପ୍ରତିଷ୍ଠା ହୋଇଥିଲା।
ତେବେ ଓଡ଼ିଶାର ଏହି ବରପୁତ୍ରଙ୍କୁ ମନେପକାଇବା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରୟାସକୁ ଅତିଥି ମାନେ ଏହି ଅବସରରେ ସାଧୁବାଦ ଜଣାଇଥିଲେ। ଆଜିର କାର୍ଯ୍ୟକ୍ରମକୁ ସାହିତ୍ୟ ଏକାଡେମୀର ସଦସ୍ୟଙ୍କ ସମେତ ଯୁବକବି ସୁଧାଂଶୁ ସାହୁ, ସେବାଉତ୍ସବ ସମିତି ପକ୍ଷରୁ ସୁନୀଲ କୁମାର ନାୟକ, ଗୁଲସନ କୁମାର ଦାସ, ସୋମ୍ୟା ସ୍ୱୟଂପ୍ରଭା ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ଆୟୋଜିତ ଦେଶାତ୍ମବୋଧକ କବିତା ପାଠୋତ୍ସବ ରେ ଚାଳିଶ ଜଣ ବିଶିଷ୍ଟ ତଥା ବରିଷ୍ଠ କବି ଯୋଗଦେଇଥିଲେ। ଗୋବିନ୍ଦ ମିଶ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ କବିମାନଙ୍କୁ ଉତ୍ତରୀୟ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। “ଗାନ୍ଧୀଙ୍କ ଓଡ଼ିଶା ଆଗମନ” ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତାର ଭାଗନେଇ ଉନ୍ନତ ମାନର ଲେଖା ଲେଖିବା ପାଇଁ ଏକାମ୍ର ମହାବିଦ୍ୟାଳୟ, କମଳା ନେହେରୁ ମହାବିଦ୍ୟାଳୟ, ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୨୩ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।
