କଣ୍ଟିଲୋ, (ନୟାଗଡ଼ ଦର୍ପଣ): କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ତରଫରୁ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ସହିତ ଜନଜାତି ଗୌରବ ଦିବସ ଉତ୍ସାହପୂର୍ଣ୍ଣ ପରିବେଶରେ ପାଳନ କରାଯାଇଛି। ଜନଜାତି ଗୌରବ ଦିବସ ଟିକୁ ଅଧିକ ସାର୍ଥକ କରିବା ପାଇଁ ମହାବିଦ୍ୟାଳୟ ପରିସରରେ ସାଧାରଣ ଜ୍ଞାନ, ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମାରେ ମାଲ୍ୟାର୍ପଣ କରି ସମ୍ମାନ ଜଣାଯାଇଥିଲା। ଛାତ୍ରଛାତ୍ରୀମାନଙ୍କୁ ଜନଜାତି ନାୟକ ବିର୍ସା ମୁଣ୍ଡାଙ୍କ ଜୀବନ, ତ୍ୟାଗ ଓ ସଂଗ୍ରାମ ସମ୍ବନ୍ଧରେ ଅବଗତ କରାଯାଇଥିଲା। ବକୃତା ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ବିର୍ସା ମୁଣ୍ଡାଙ୍କ ଜନଜାତି ଅଧିକାର ପାଇଁ ହୋଇଥିବା ଆନ୍ଦୋଳନ, ତାଙ୍କର ଦେଶଭକ୍ତି ଓ ସମାଜ ସୁଧାର ଧାରଣା ବିଷୟରେ ଉତ୍ସାହିତ ଭାବରେ ମତ ପ୍ରକାଶ କରିଥିଲେ। ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଇତିହାସ, ସଂସ୍କୃତି, ଭାରତୀୟ ସମ୍ବିଧାନ ଓ ବିର୍ସା ମୁଣ୍ଡାଙ୍କ ଯୋଗଦାନ ସମ୍ବନ୍ଧୀୟ ପ୍ରଶ୍ନଉତ୍ତର ମାଧ୍ୟମରେ ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ। ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ବିର୍ସା ମୁଣ୍ଡାଙ୍କ ଜୀବନ ଘଟଣା, ଜନଜାତି ସଂସ୍କୃତି ଓ ପ୍ରକୃତି ଆଧାରିତ ଚିତ୍ରମାନ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା। କାର୍ଯ୍ୟକ୍ରମ ସଫଳ କରିବା ପାଇଁ ଏବିଭିପିର ନୟାଗଡ଼ ଜିଲ୍ଲା ସଂଯୋଜକ ମଙ୍ଗୁଳି ବେହେରା, ପୁରୀ ବିଭାଗର ଖେଲୋ ଭାରତ ପ୍ରମୁଖ ଭାବଗ୍ରାହୀ ପ୍ରଧାନ, କ୍ୟାମ୍ପସ ୟୁନିଟ୍ ସଭାପତି ସୂର୍ୟକାନ୍ତି ସ୍ୱାଇଁ, ଅଧ୍ୟାପକ ନିରୋଦ କୁମାର ମନ୍ତ୍ରୀ, NSS ପ୍ରମୁଖ ଦୀପା ମନ୍ତ୍ରୀ ଓ ମହାବିଦ୍ୟାଳୟର କ୍ୟାମ୍ପସ ୟୁନିଟ୍ ର କାର୍ଯ୍ୟକର୍ତ୍ତାମାନେ ଓ ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ। ବିଜେତାମାନଙ୍କୁ ପରବର୍ତ୍ତୀ ଦିନ ପୁରସ୍କାର ପ୍ରଦାନ କରାଯିବ ବୋଲି ଆୟୋଜକମଣ୍ଡଳୀ ପକ୍ଷରୁ ଜଣାଯାଇଛି। ଏହି ଜନଜାତି ଗୌରବ ଦିବସ ଅବସର ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମନରେ ଜନଜାତି ବୀର ବିର୍ସା ମୁଣ୍ଡାଙ୍କ ସଂଗ୍ରାମ ଓ ନିଷ୍ଠା ପ୍ରତି ନୂତନ ପ୍ରେରଣା ସୃଷ୍ଟି ହୋଇଛି।
ନୀଳମାଧବ ମହାବିଦ୍ୟାଳୟରେ ଏବିଭିପି ତରଫରୁ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ପାଳନ
