ରାଷ୍ଟ୍ରଗୀତ “ବନ୍ଦେ ମାତରଂ”ର ୧୫୦ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ଆଜିର ଏହି ଐତିହାସିକ ଦିନଟି, ସମସ୍ତଙ୍କ ପାଇଁ ଏକ ମହାସଙ୍କଳ୍ପର କ୍ଷଣ। ଯେଉଁ ଚିରନ୍ତନ ବାଣୀ “ବନ୍ଦେ ମାତରମ୍” ଭାରତକୁ ଏକ ଅଖଣ୍ଡ ଶକ୍ତି ଭାବରେ ଦେଖିବାର ସ୍ୱପ୍ନ ସଞ୍ଚାର କରିଥିଲା, ଆଜି ତା’ର ୧୫୦ ବର୍ଷ ପୂର୍ତ୍ତି। ଏହା କେବଳ ମାତ୍ର ଏକ ଐତିହାସିକ ଦିନଟିଏ  ନୁହେଁ; ଏହା ହେଉଛି ଆମ ପୂର୍ବପୁରୁଷମାନଙ୍କର ବଳିଦାନ ଏବଂ ତ୍ୟାଗରୁ ଜନ୍ମ ନେଇଥିବା ଏକ ଜାତୀୟ ସଙ୍କଳ୍ପକୁ ମନେପକାଇବାର ଦିନ।

ଋଷି ବଙ୍କିମ ଚନ୍ଦ୍ରଙ୍କ ଲେଖନୀରୁ ସୃଷ୍ଟି ହୋଇ, ଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ କଣ୍ଠରେ ଶକ୍ତି ପାଇଥିବା ଏହି ଗୀତ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ମୃତ୍ୟୁଞ୍ଜୟ ମନ୍ତ୍ର ଥିଲା। ରାଷ୍ଟ୍ରପ୍ରେମର ଏହି ମହାମନ୍ତ୍ର ସ୍ୱାଧୀନତା ସଂଗ୍ରାମର ଶହ ଶହ କ୍ରାନ୍ତିକାରୀଙ୍କୁ ଫାଶୀ ଖୁଣ୍ଟରେ ବିଜୟର ସ୍ମିତହାସ୍ୟ ଦେଇଥିଲା। ଯେତେବେଳେ ଇଂରେଜ ସରକାର ଏହାକୁ ନିଷିଦ୍ଧ କରିବାକୁ ଚେଷ୍ଟା କଲେ, ସେତେବେଳେ ତାହାର ପ୍ରତିଟି ଧାଡ଼ି ଭାରତୀୟମାନଙ୍କ ପାଇଁ ବଜ୍ରଶପଥ ପାଲଟିଥିଲା। ଏହି ଅବସରରେ ନୟାଗଡ଼ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ  ଜିଲ୍ଲାପାଳ, ଅକ୍ଷୟ ସୁନିଲ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ)
ବିଜୟାନନ୍ଦ ନାୟକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ରୋଜିନା ଦାସ, ଜିଲ୍ଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପ-ଜିଲ୍ଲାପାଳ କର୍ଣ୍ଣଦେଵ ସମାଦାରଙ୍କ ଉପସ୍ଥିତିରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀଗଣ ଲିଙ୍କ୍ ଯୋଗେ ସାମୁହିକ ବନ୍ଦେ ମାତରଂ ଗାନ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ। ପରେ ପରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟର ସିଧା ପ୍ରସାରଣରେ ସମସ୍ତେ ଉପସ୍ଥିତ ରହି କାର୍ଯ୍ୟକ୍ରମ ବିଷୟରେ ଅବଗତ ହୋଇଥିଲେ।
ସେହିପରି ମୁନିସପାଲିଟି, ଏନ୍.ଏ .ସି, ବ୍ଲକ କାର୍ଯ୍ୟାଳୟରେ ଏବଂ ତହସିଲ କାର୍ଯ୍ୟାଳୟ ଠାରେ ରାଷ୍ଟ୍ର ଗୀତ ବନ୍ଦେ ମାତରଂ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Related posts