ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମାଆ ମାନଙ୍କର ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଗାୟତ୍ରୀ ପଟ୍ଟନାୟକ ମୁଖ୍ୟବକ୍ତାଭାବେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଭାବେ ପ୍ରଭାସିନୀ ବରାଡ ଯୋଗ ଦେଇଥିବାବେଳେ ନମିତା କୁମାରୀ ନାୟକ ଓ ସସ୍ମିତା ନାୟକ ମହୋଦୟା ସମ୍ମାନିତା ଅତିଥି ଭାବେ ଯୋଗଦେଇଥିଲେ।

ଏଠାରେ ଅତିଥିମାନେ ପର୍ଯ୍ୟାବରଣ ଓ କୁଟୁମ୍ବ ପ୍ରବୋଧନରେ ମହିଳାଙ୍କ ଭୂମିକା, ପ୍ରେରଣାଦାୟୀ ମହିଳାଙ୍କ ବାର୍ତ୍ତା, ଭାରତ ବିକାଶରେ ମହିଳାଙ୍କ ଭୂମିକା ଆଦି ବିଷୟରେ ତଥ୍ୟ ଉପସ୍ଥାପନା କରିଥିଲେ।ମୁଖ୍ୟଵକ୍ତା ଶ୍ରୀମତୀ ପଟ୍ଟନାୟକ ଭଗବାନଙ୍କର ଦଶ ଅବତାର ବିଷୟରେ ତଥ୍ୟ ଉପସ୍ଥାପନା କରିବା ସହିତ ପର୍ଯ୍ୟାବରଣ ସୁରକ୍ଷାରେ ପଞ୍ଚ ‘ଜ’ ଯେପରିକି ଜନ, ଜଳ, ଜମି, ଜୀବ, ଜଙ୍ଗଲ ଆଦି ବିଷୟରେ ନିଜର ମତ ଉପସ୍ଥାପନା କରିଥିଲେ। ତାଙ୍କ ପରେ ସମ୍ମାନିତ ଅତିଥି ପ୍ରଭାସିନୀ ବରାଡ ନାରୀ ଶିକ୍ଷା କିପରି ଭାରତର ବିକାଶରେ ପାଥେୟ ହୋଇଛି ସେହି ବିଷୟରେ ତଥ୍ୟ ଉପସ୍ଥାପନା କରିଥିଲେ। ସେହିପରି ସସ୍ମିତା ନାୟକ ପ୍ରେରଣାଦାୟୀ ମହିଳା ମାନଙ୍କ ସମ୍ବନ୍ଧରେ ତଥ୍ୟ ଉପସ୍ଥାପନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ନମିତା ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୨୫୦ରୁ ଉର୍ଦ୍ଧ୍ବ ମାଆ ଯୋଗଦାନ କରିଥିଲେ । ବିଦ୍ୟାଳୟର ସମସ୍ତ ସେବା ବ୍ରତୀ, ପ୍ରଶାସନିକ ପରିଷଦର ସଦସ୍ୟ, ମାତୃ ଭାରତୀ ସଦସ୍ୟା ମାନଙ୍କର ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା।
