ଦଶପଲ୍ଲା, (ନୟାଗଡ଼ ଦର୍ପଣ): ବର୍ତ୍ତମାନ ସମୟରେ ରାତାରାତି କୋଟିପତି ହେବାର ନିଶା ଘାରିଛି ଯୁବପିଢ଼ିଙ୍କୁ। ସେଥିପାଇଁ କୌଣସି ବି କାର୍ଯ୍ୟ କରିବାକୁ ପଛଉ ନାହାଁନ୍ତି ଏହି ଯୁବକ ମାନେ। ୨୦ବର୍ଷରୁ ୩୫ବର୍ଷୀୟ ଯୁବକ ମାନେ ପାଦ ଥାପୁଛନ୍ତି ଅପରାଧ ଦୁନିଆରେ। ଦୈନିକ ଘଟୁଛି ଅଭାବନୀୟ ଘଟଣା। ଟେର ପାଉନଥିଲା ସ୍ଥାନୀୟ ପୋଲିସ। ପୋଲିସକୁ ମାସିକ ହାଟଗୁଂଜା ଦେଇ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ଦଶପଲ୍ଲା ଥାନା ମଧ୍ଯଖଣ୍ଡ ଅଞ୍ଚଳର କିଛି ଯୁବକ। କନ୍ଧମାଳରୁ ବାଇକ୍ ଓ କାର୍ ଯୋଗେ ଆସୁଥିବା ଯାତ୍ରୀଙ୍କୁ ଗଞ୍ଜେଇ ମାଫିଆ ଭାବି ଲୁଟ୍ରାଜ୍ ଚଳାଇ ଆସିଥିବା ଗ୍ୟାଙ୍ଗକୁ ସାବାଡ଼ କରିବା ପାଇଁ ଆକ୍ସନ୍ ମୋଡ଼କୁ ଆସିଛି ଦଶପଲ୍ଲା ପୁଲିସ। ଏହି ଲୁଟେରାଙ୍କ ଦ୍ବାରା ସାଧାରଣ ଯାତ୍ରୀ ଲୁଟ୍ର ଶିକାର ହେଉଥିବା ବେଳେ ଆଜି ଜଣେ ଲୁଟେରାକୁ କାବୁ କରିଛି ଦଶପଲ୍ଲା ପୁଲିସ। ଗିରଫ ଲୁଟେରା ଜଣକ ହେଲା ଦଶପଲ୍ଲା ଥାନା ଅଧୀନସ୍ଥ ମଧ୍ୟଖଣ୍ଡ ବଡ଼ସାହି ଗ୍ରାମର ୨୩ବର୍ଷୀୟ ଯୁବକ ରାଜା ଓରଫ୍ ରାଜେଶ ଜେନା। ଏହି ଘଟଣାରେ ଅନ୍ୟ ଜଣେ ଖସିଯିବାରେ ସକ୍ଷମ ହୋଇଥିବା ବେଳେ ରାଜାକୁ ନିଜ ହେପାଜତରେ ରଖି ପୁଲିସ ଘଟଣାର ତଦନ୍ତ ଚଳାଇଛି। ଏହି ଗ୍ୟାଙ୍ଗରେ କିଏ କିଏ ଅଛନ୍ତି ଓ କେବେଠାରୁ ଏଭଳି ଲୁଟ୍ରାଜ୍ ଚଳାଇ ଆସିଛନ୍ତି ସେସବୁର ତଦନ୍ତ ଚାଲିଥିବା ଥାନା ଅଧିକାରୀ ବିନୟ ରଂଜନ ପରିଡ଼ା କହିଛନ୍ତି।
ସୂଚନା ଅନୁଯାୟୀ କନ୍ଧମାଳ ଖଜୁରୀପଡ଼ା ଗ୍ରାମର ଏକ ଦମ୍ପତି କିଟୁ ନାୟକ ଓ ପତ୍ନୀ ସୁନିତା ନାୟକ ବୁଲେଟ୍ ଯୋଗେ ଅପରାହ୍ନରେ ନରସିଂହପୁର ଶ୍ବଶୁର ଘରକୁ ଦଶପଲ୍ଲା ଦେଇ ଯାଉଥିଲେ। ରାଜା ଓ ଅନ୍ୟଜଣେ ସହଯୋଗୀ ପୂର୍ବ ପ୍ରସ୍ତୁତି ଅନୁଯାୟୀ କୁଆଁରିଆ ଡ୍ୟାମ ଛକଠାରୁ ସେମାନଙ୍କୁ ପିଛା କରିଥିଲେ। ଦଶପଲ୍ଲା ଗଣେଶ ବଜାରଠାରେ ସୁନୀତା ଧରିଥିବା ବ୍ୟାଗ୍ ଛଡ଼ାଇ ନେଇ ଖସିଯିବାକୁ ଉଦ୍ୟମ କରିଥିଲେ। ସ୍ଥାନୀୟବାସୀଙ୍କ ଠାରୁ ଖବର ପାଇ ଥାନା ଅଧିକାରୀ ଶ୍ରୀ ପରିଡ଼ା ଘଟଣାସ୍ଥଳରେ ପହଞ୍ଚି ଲୁଟେରାଙ୍କୁ ଧରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ରାଜାକୁ ଧରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଜଣେ ସହଯୋଗୀ ଖସିଯାଇଥିବା ସେ କହିଛନ୍ତି। ଯାହାକି ଦମ୍ପତିଙ୍କଠାରୁ ୪ ହଜାର ଲୁଟ୍ କରିଥିବା ଅଭିଯୋଗ ହୋଇଛି। ବିଶେଷକରି ମଧ୍ୟଖଣ୍ଡ ଓ ଦଶପଲ୍ଲା ଅଞ୍ଚଳର କିଛି ଗ୍ୟାଙ୍ଗ୍ ଦୀର୍ଘଦିନଧରି ରାଜପଥ ଉପରେ ଆତଙ୍କ ଚଳାଇ ଆସିଛନ୍ତି। ଗଞ୍ଜେଇ ଚାଲାଣ ହେଉଥିବା ଭାବି ଯାତ୍ରୀଙ୍କୁ ପିଛାକରି ଏଭଳି ଲହୁଲୁହାଣ କରି ଆସୁଛନ୍ତି। ଫୁଲବାଣୀ ପଟୁ ଆସୁଥିବା ବସ ଗୁଡିକରୁ ବନ୍ଧୁକ ମୁନରେ ଜୋର ଜବରଦସ୍ତ ଲୁଟ ତରାଜ ଚଳାଇ ଆସୁଛନ୍ତି। ଯାହାକି କିଛିବର୍ଷ ତଳେ ଘୋଳାହାଣ୍ଡି ପଞ୍ଚାୟତ ତାଲେରା ଛକରେ ଲୁଟେରାଙ୍କ ଦ୍ବାରା ଆକ୍ରମଣର ଶିକାର ହୋଇ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏଭଳି ଲୁଟପାଟ ଘଟଣା ଘଟୁଥିବାରୁ ଦଶପଲ୍ଲା ପୋଲିସ ପକ୍ଷରୁ ପେଟ୍ରୋଲିଂକୁ କଡାକଡି କରିବା ସହ ଦଶପଲ୍ଲା ଓ ମଧ୍ଯଖଣ୍ଡ ଅଞ୍ଚଳର କିଛି ଯୁବକଙ୍କ ଉପରେ ନଜର ରଖଆଯାଇଥିବା ଥାନା ଅଧିକାରୀ ଶ୍ରୀଯୁକ୍ତ ପରିଡ଼ା କହିଛନ୍ତି।