ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜସୁନାଖଳାକୁ ଏନ.ଏ.ସି ମାନ୍ୟତା ଦେବାରେ ପୁଣି ଅବହେଳା କରିଛନ୍ତି ସରକାର। ଏହି ଦାବିକୁ ନେଇ ପୁଣି ଆନ୍ଦୋଳନ ଜୋରଦାର କରିବାକୁ ଅଣ୍ଟା ଭିଡିଛନ୍ତି ସ୍ଥାନୀୟ ସ୍ୱେଚ୍ଛାସେବୀ ଆର୍ତ୍ତତ୍ରାଣ ପ୍ରଧାନ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ବୃହତ ଗ୍ରାମ ପଞ୍ଚାୟତ ରୂପେ ପରିଚିତ ରାଜ ସୁନାଖଳାକୁ ଏନଏସି ମାନ୍ୟତା ପାଇଁ ବିଗତ ଦଶନ୍ଧି ଧରି ପ୍ରୟାସ ଚାଲିଛି। ମାତ୍ର ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ବାରମ୍ବାର ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି। ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାର ସୀମାରେ ରହିଥିବା ଏହି ପଞ୍ଚାୟତରେ ଜନସଂଖ୍ୟା ଅନୁସାରେ ଏନଏସି ଘୋଷଣା ହୋଇଯିବା କଥା। ମାତ୍ର ଦୀର୍ଘ ଦିନର ଏହି ଦାବିକୁ ଲଗାତର ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି। ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପାଇଁ ସରକାରଙ୍କ ରହିଥିବା ସମସ୍ତ ଯୋଗ୍ୟତା ଏବଂ ମାପଦଣ୍ଡ ଅନୁସାରେ ରାଜ ସୁନାଖଳା ସର୍ବାର୍ଗେ ରହିଛି। ରାଜସୁନାଖଳା ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ବ୍ୟବସାୟିକ ପେଣ୍ଠସ୍ଥଳୀ। ଏହି ବଜାର ଉପରେ ଉଭୟ ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଳାର ଲକ୍ଷ ଲକ୍ଷ ଲୋକ ନିର୍ଭର କରନ୍ତି। ଏହା ଦୀର୍ଘଦିନ ଧରି ସହରାଞ୍ଚଳ ଭାବେ କାର୍ଯ୍ୟକ୍ଷମ ରହିଛି। ଅନେକ ବ୍ୟବସାୟିଙ୍କ ପାଇଁ ଏହା ଏକ ନିର୍ଭରଯୋଗ୍ୟ ବଜାର ଭାବେ ପରିଗଣିତ ହେଉଛି। ଉଭୟ ନରେନ୍ଦ୍ରପୁର ଏବଂ ରାଜସୁନାଖଳା ଗ୍ରାମ ପଞ୍ଚାୟତ ରେ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି। ୫୭ନମ୍ୱର୍ ଜାତୀୟ ରାଜପଥ ସହ ଜିଲ୍ଲା ମୁଖ୍ୟ ରାସ୍ତା – ୧, ରାଜ ସୁନାଖଳା – ଟାଙ୍ଗୀ ଏହି ସହର ଦେଇ ଯାଇଛି। ଗମନା ଗମନ, ଜନସଂଖ୍ୟା, ସହରାଞ୍ଚଳ ସହ ଅନେକ ଲୋକ ବ୍ୟବସାୟ ବାଣିଜ୍ୟ ଉପରେ ନିର୍ଭର କରୁଛନ୍ତି। ଶିକ୍ଷାନୁଷ୍ଠାନ ପାଇଁ ଏଠାରେ ରହିଛି ନୟାଗଡ଼ ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ। ଏଠାରେ ଅଧ୍ୟୟନ କରୁଛନ୍ତି ଅନେକ ଜିଲ୍ଲାର ଛାତ୍ରଛାତ୍ରୀ। ଅନେକ ଘରୋଇ ସ୍କୁଲ ସହିତ ରହିଛି +୨ ସହ ଡିଗ୍ରୀ କଲେଜ। ସ୍ବାସ୍ଥ୍ୟସେବା ପାଇଁ ରହିଛି ଉନ୍ନୀତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର। ଏହା ଉପରେ ନିର୍ଭର କରୁଛନ୍ତି ପ୍ରାୟ ଶହେରୁ ଉର୍ଦ୍ଧ୍ବ ଗାଁ ର ଲୋକ। ଏଠାରେ ଆଇନ ଶୃଙ୍ଖଳା ପାଇଁ ରହିଛି ବହୁ ପୁରାତନ ପୋଲିସ ଫାଣ୍ଡି। ତେବେ ଏପରି ଅନେକ ଯୋଗ୍ୟତା ଥାଇ ମଧ୍ୟ ବିଗତ ସରକାର ଏହାକୁ ଏନ ଏ ସି ମାନ୍ୟତା ପାଇଁ ବିଚାରକୁ ନେଇଥିଲେ ମଧ୍ୟ ଘୋଷଣା କରି ନ ଥିଲେ। ଏନେଇ ସ୍ଥାନୀୟ ଯୁବ ସମାଜସେବୀ ତଥା ସାମ୍ବାଦିକ ଆର୍ତ୍ତତ୍ରାଣ ପ୍ରଧାନ ଆନ୍ଦୋଳନ କରି ଦାବି କରିଥିଲେ। ପରେ ପ୍ରଶାସନ ପକ୍ଷରୁ ଏନେଇ ନଥିପତ୍ର ରାଜ୍ୟ ସରକାର ଙ୍କୁ ପ୍ରଦାନ କରିଥିଲେ। ମାତ୍ର ମାନ୍ୟତା ନ ମିଳିବାରୁ ଗତ ୨୦୨୩ ମାର୍ଚ୍ଚ ୧୯ ତାରିଖରେ ଆମରଣ ଅନଶନ କରିଥିଲେ ଆର୍ତ୍ତତ୍ରାଣ। ତେବେ ଅନଶନର ଚତୁର୍ଥ ଦିନରେ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ ପହଞ୍ଚି ୩ ମାସ ଭିତରେ ପ୍ରକ୍ରିୟା ସମ୍ପୂର୍ଣ କରିବାକୁ ପ୍ରତିଶୃତି ଦେବାପରେ ଅନଶନରୁ ଓହରି ଥିଲେ ଆର୍ତ୍ତତ୍ରାଣ। ମାତ୍ର ଅଦ୍ୟାବଧି ଦୁଇବର୍ଷ ବିତିଯାଇଥିଲେ ସୁଦ୍ଧା ମାନ୍ୟତା ମିଳିଲା ନାହିଁ। ସମ୍ପ୍ରତି ରାଜ୍ୟ ସରକାର ରାଜ୍ୟର ଅନେକ ଅଞ୍ଚଳ କୁ ଏନ୍ ଏ ସି ମାନ୍ୟତା ଦେଇଛନ୍ତି। ମାତ୍ର ପୁଣି ରାଜସୁନାଖଳାକୁ ଏଥିରୁ ବଞ୍ଚିତ କରାଯାଇଛି। ତେଣୁ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରି ପୁଣି ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଶ୍ରୀ ପ୍ରଧାନ। ଅନ୍ୟପଟେ ସ୍ଥାନୀୟ ବିଧାୟିକା ତଥା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଏନ୍ ଏ ସି ପାଇଁ ଆଦୌ ତତ୍ପର ନ ଥିବା ଅଭିଯୋଗ କରିଛନ୍ତି ଶ୍ରୀ ପ୍ରଧାନ। ତେବେ ରାଜ୍ୟ ସରକାର ଏହାକୁ ବିଚାରକୁ ନେଇ ମାନ୍ୟତା ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ।
ରାଜସୁନାଖଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପ୍ରସଙ୍ଗ, ପୁଣି ଆନ୍ଦୋଳନ କରିବେ ଯୁବ ସାମ୍ବାଦିକ ଆର୍ତ୍ତତ୍ରାଣ ପ୍ରଧାନ
