ନୟାଗଡ଼, (ନୟାଗଡ଼ ଦର୍ପଣ): କର୍ମବୀର ଗୌରୀ ଶଙ୍କର ରାୟ ଓ ବିଚିତ୍ରାନନ୍ଦ ଦାସଙ୍କର ପ୍ରଚେଷ୍ଟାରେ ୧୮୬୬ ମସିଆ ଅଗଷ୍ଟ ୪ରେ ପ୍ରଥମ ଖବର କାଗଜ ଉତ୍କଳ ଦୀପିକା ପ୍ରକାଶ ପାଇଥିଲା। ଉତ୍କଳ ଦୀପିକାର ସଫଳତା ଓଡ଼ିଶାରେ ଖବର କାଗଜ ପ୍ରକାଶନର ଧାରା ସୃଷ୍ଟି କରିଥିଲା।ଯାହାକି ପରବର୍ତ୍ତୀ ସମୟରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ସହାୟକ ହୋଇଥିଲା। ସେହି ଦିବସଟିକୁ ଓଡ଼ିଆ ସାମ୍ବାଦିକତା ଦିବସ ଭାବରେ ସାରା ଓଡ଼ିଶାରେ ମହାଆଡ଼ମ୍ବରରେ ପାଳନ କରାଯାଉଛି। ନୟାଗଡ ରୋଟାରୀ କ୍ଲବ ଦ୍ୱାରା ଆୟୋଜିତ ଏହି ଓଡ଼ିଆ ସାମ୍ବାଦିକତା ଦିବସରେ ନୟାଗଡ଼ ଜିଲ୍ଲାର ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କ୍ଲବ ସଭାପତି ବସିରନ ବିବିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ମୁଖ୍ୟବକ୍ତା ନୟାଗଡ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ସମ୍ମାନିତ ଅତିଥିଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରିଣୀ ଜ୍ୟୋତ୍ସାମୟୀ ଆଚାର୍ଯ୍ୟ ଯୋଗଦେଇଥିଲେ। ଉତ୍କଳ ସାମ୍ବାଦିକ ସଙ୍ଘର ନୟାଗଡ ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ କୁମାର ଖଟେଇ ସମାଜ ଗଠନରେ ନିର୍ଭିକ ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ଘାତ ପ୍ରତିଘାତ ବିଷୟରେ ଅଲୋକପାତ କରିଥିଲେ ଓ ସାମ୍ବାଦିକ ମାନଙ୍କରେ ମୌଳିକ ଆବଶ୍ୟକତା, ଭତ୍ତା, ସୁରକ୍ଷା ପାଇଁ ସରକାରଙ୍କର ଆନ୍ତରିକତା ଲୋଡ଼ିଥିଲେ। ବରିଷ୍ଠ ସାମ୍ବାଦିକ ଚନ୍ଦ୍ରବିଜୟୀ ମିଶ୍ର, ରାମକୃଷ୍ଣ ରଥ, ବୈଦ୍ୟ ଭୂଷଣ ମହାପାତ୍ର, ହୁସେନ ଖାଁ, ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା ପ୍ରମୁଖ ଏହି ଦିବସ ଉପଲକ୍ଷେ ନିଜ ନିଜର ମତାମତ ରଖିଥିଲେ। କ୍ଲବ ସମ୍ପାଦକ ରୋଟାରୀଆନ ଅବିନାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ରୋଟାରୀଆନ ଧୀରେନ୍ଦ୍ର ପଟ୍ଟନାୟକ ମଞ୍ଚ ସଂଯୋଜନା କରିଥିଲେ ଓ କ୍ଲବର ଅନ୍ୟ ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ।
