୭୯ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଆଜି ଅପରାହ୍ନ ୪ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଅଧ୍ୟକ୍ଷତା କରି ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସକୁ ସରସ ସୁନ୍ଦର ଭାବେ ପାଳନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଲଗ୍ନଜିତ ରାଉତ ଯୋଗଦାନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରାରମ୍ଭିକ ସ୍ୱାଗତ ଭାଷଣ ରଖିଥିଲେ । ପୂର୍ବବର୍ଷ ପ୍ରସ୍ତୁତି ବୈଠକ ଅନୁଯାୟୀ ଏବଂ ବୈଠକର ନିଷ୍ପତି ଅନୁଯାୟୀ ଅଗଷ୍ଟ ୧୫ଦିନ ଜିଲ୍ଲାସ୍ତରୀୟ ପତାକା ଉତୋଳନ ପୂର୍ବାହ୍ନ ୯ଟାରେ ଅନୁଷ୍ଠିତ ହେବ । ପ୍ରତ୍ୟେକ କାର୍ଯ୍ୟାଳୟର ମୁଖ୍ୟମାନେ ନିଜ ନିଜର କାର୍ଯ୍ୟାଳୟରେ ଉପସ୍ଥିତ ରହି ପତାକା ଉତ୍ତୋଳନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଅଗଷ୍ଟ ୧୧, ୧୨, ୧୩ତାରିଖରେ ଅଭ୍ୟାସ ପ୍ୟାରେଡ୍ ପି.ଟିଏସ. ପଡ଼ିଆ ଠାରେ ଅନୁଷ୍ଠିତ ହେବ । ସ୍କୁଲ ଓ କଲେଜସ୍ତରରେ ଜିଲ୍ଲାସ୍ତରୀୟ ବକ୍ତୃତା,ଦେଶାତ୍ମବୋଧକ ସଙ୍ଗୀତ, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ରୋଟାରୀ କ୍ଲବ ଓ ନୟାଗଡ଼ ବ୍ଲଡ୍ ବ୍ୟାଙ୍କ ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଏହି ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ, ସାମ୍ବାଦିକ,ଘରୋଇ ବସ ସଂଘର ସଭାପତି, ବିଭିନ୍ନ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଜିଲ୍ଲାପାଳଙ୍କ ଅନୁମତି କ୍ରମେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିବା ପରେ ପରେ ସଭା ସାଙ୍ଗ କରାଯାଇଥିଲା।

Related posts