ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ରଥଯାତ୍ରା ଅବସରରେ ନୟାଗଡ଼ ଚିନ୍ମୟ ମିଶନ ଶାଖା ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ହାଲୁଆ ବଣ୍ଟନ କରାଯିବ। ଏ ନେଇ ଚିନ୍ମୟ ମିଶନ ପକ୍ଷରୁ ପିଟିଏସ ସ୍ଥିତ ଭାରତ ବିକାଶ ପରିଷଦ ସଭା ଗୃହରେ ଅନୁଷ୍ଠିତ ମାସିକ ବୈଠକରେ ବିଧିବଦ୍ଧ ଭାବେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚିନ୍ମୟ ମିଶନ ସଭାପତି ସୁରେନ୍ଦ୍ରନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ ବରିଷ୍ଠ ସଦସ୍ୟା ଡ. ବିଦ୍ୟୁତପ୍ରଭା ମିଶ୍ରଙ୍କ ଅକାଳ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପରବର୍ତ୍ତୀ ସମୟରେ ଗୁରୁ ବନ୍ଦନା ଏବଂ ଗୀତା ଆବୃତ୍ତି କରାଯାଇ ଏହା ଉପରେ ବ୍ୟାଖ୍ୟା କରାଯାଇଥିଲା। ଚିନ୍ମୟ ମିଶନ ନୟାଗଡ଼ ଶାଖାର ନିଜସ୍ୱ ଗୃହ ନଥିବାରୁ ଗୃହ ନିର୍ମାଣ ନିମନ୍ତେ ଏକ ସରକାରୀ ଜାଗା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ସେହିପରି ପ୍ରତ୍ୟେକ ବିଦ୍ୟାଳୟ ଏବଂ ମନ୍ଦିରରେ ଗୀତାପାଠ ଆବୃତ୍ତି କରାଯିବା ପାଇଁ ବିଚାର ଆଲୋଚନା କରାଯାଇଥିଲା।ଏହି ବୈଠକରେ ଚିନ୍ମୟ ମିଶନ ସମ୍ପାଦକ ଘନଶ୍ୟାମ ସାହୁ, ସଂଯୋଜିକା ଶ୍ରାବଣୀ ମିଶ୍ର, ଅଧ୍ୟାପକ କୃପାସିନ୍ଧୁ କରଣ, କୃଷ୍ଣପ୍ରିୟା ଦାଶ, ଦୁର୍ଯ୍ୟୋଧନ ସାହୁ, ପଦ୍ମଚରଣ ସାହୁ, ପ୍ରଦୀପ କୁମାର ସାହୁ, ଲକ୍ଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସଦସ୍ୟ ଲକ୍ଷ୍ମୀଧର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।
ରଥଯାତ୍ରାରେ ଚିନ୍ମୟ ମିଶନ ପକ୍ଷରୁ ହାଲୁଆ ବଣ୍ଟନ କରାଯିବ
