ଖୋଲିଲା ଓଡ଼ିଶାର ସର୍ବବୃହତ ଟନେଲ, ଖୋର୍ଦ୍ଧା-ବଲାଙ୍ଗିର ନୂଆ ରେଳ ଲାଇନ୍ ପ୍ରକଳ୍ପରେ ବଡ଼ ଉପଲବ୍ଧି

ନୟାଗଡ଼, (ନୟାଗଡ଼ ଦର୍ପଣ): ଖୋର୍ଦ୍ଧା ରୋଡ଼–ବଲାଙ୍ଗିର ନୂଆ ରେଳ ଲାଇନ୍ ପ୍ରକଳ୍ପରେ ବଡ଼ ଉପଲବ୍ଧି। ଏହା ରାଜ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ସହ ଅର୍ଥନୈତିକ ବିକାଶଧାରାକୁ ଆହୁରି ତ୍ବରାନ୍ୱିତ କରିବ। ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବାକୁ ଥିବା ଏହି ଜନାଭିମୁଖୀ ପ୍ରକଳ୍ପ ପାଇଁ ଭାରତୀୟ ରେଳ ବିଭାଗ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଓଡ଼ିଶାର ସବୁଠାରୁ ସୁଦୀର୍ଘ ରେଳ ସୁଡ଼ଙ୍ଗ, (୪,୧୮୫ ମିଟର ଦୈର୍ଘ୍ୟ ବିଶିଷ୍ଟ), ଖୋର୍ଦ୍ଧା-ବଲାଙ୍ଗିର ନୂତନ ରେଳ ଲାଇନ୍ ପ୍ରକଳ୍ପ ଅନ୍ତର୍ଗତ ଟନେଲ୍ T-4 ର ଆଜି ସଫଳ ଭାବେ ‘ଡେଲାଇଟିଂ’ (Breakthrough) ବ୍ରେକଥ୍ରୁ କାର୍ଯ୍ୟ କରାଯାଇଛି। ଏହି ଟନେଲ୍ ବୌଦ୍ଧ ଜିଲ୍ଲାର  ଆଡେ଼ଣିଗଡ଼-ଚାରିଛକ ଷ୍ଟେସନ ମଧ୍ୟରେ ଅବସ୍ଥିତ ଏବଂ ଏହି  କାର୍ଯ୍ୟ ନୂତନ ଜ୍ଞାନକୌଶଳ ପଦ୍ଧତି ଦ୍ୱାରା ସମାପ୍ତ ହୋଇଛି। ଏହି ଟନେଲ୍ କେବଳ ଏହି ପ୍ରକଳ୍ପରେ ନୁହେଁ ବରଂ ସମଗ୍ର ଓଡ଼ିଶାରେ ସୁଦୀର୍ଘ ରେଳ ସୁଡ଼ଙ୍ଗ ଭାବେ ଇତିହାସ ରଚିଛି। ଏହି ପ୍ରକଳ୍ପରେ ଗୋଟିଏ ପଟେ ଖୋର୍ଦ୍ଧା ରୋଡ଼ରୁ ଦଶପଲ୍ଲା ପର୍ଯ୍ୟନ୍ତ ଏବଂ ଅନ୍ୟ ପଟେ ବଲାଙ୍ଗିର ପୁରୁଣାକଟକ ପର୍ଯ୍ୟନ୍ତ ୨୨୬ କି.ମି. ଅଂଶ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

T-4 ର “ଡେଲାଇଟିଂ” ବ୍ରେକଥ୍ରୁ ଏହି ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପର ଗତି ବଢ଼ାଇବାରେ ମୁଖ୍ୟ ଭୂମିକା ନେବ। ଏହି ଐତିହାସିକ ସଫଳତା ଓଡ଼ିଶାର ଉପକୂଳ ଅଞ୍ଚଳ ସହିତ ପଶ୍ଚିମାଞ୍ଚଳକୁ ସଂଯୋଗ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଏହି ଅଞ୍ଚଳର ପରିବହନ ଏବଂ ଆର୍ଥିକ ସମ୍ଭାବନାକୁ ବୃଦ୍ଧି କରିବ।

Related posts