ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଵେଶ ଉତ୍ସବ ତଥା ଖଡ଼ିଛୁଆଁ ପର୍ବ ପାଳିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ତଥା ଖଡ଼ିଛୁଆଁ ପର୍ବ ଅନୁଷ୍ଠିତ ହୋଇଯାଇଛି l ନୂତନ ଶିକ୍ଷାନୀତି ଲାଗୁ ହେବା ପରେ ସମସ୍ତ ସରକାରୀ ବିଦ୍ୟାଳୟରେ ଶିଶୁବାଟିକା ଖୋଲିଅଛି l ପ୍ରକାଶ ଥାଉ କି ଏପ୍ରିଲ୍ ଦୁଇ ତାରିଖକୁ ରାଜ୍ୟବ୍ୟାପୀ ପ୍ରବେଶ ଉତ୍ସବ ତଥା ଖଡ଼ିଛୁଆଁ ପର୍ବ ଭାବରେ ପାଳନ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ମୁତାବକ ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟ ଅଧୀନ ଗ୍ରାମ ଓ ପଡ଼ାରେ ବାସକରୁଥିବା ପାଞ୍ଚବର୍ଷ ଓ ଛଅବର୍ଷ ତଦୁର୍ଦ୍ଧ ପିଲାଙ୍କୁ ଚିହ୍ନଟ କରାଯାଇ ନାମ ଲେଖାଇବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ଵାରା ବଣ୍ଟନ ବଣ୍ଟନ କରାଯାଇଥିଲା l

ଆଜି ପ୍ରବେଶ ଉତ୍ସବର ପ୍ରଥମ ଦିବସରେ ଶିଶୁବାଟିକା ନିମନ୍ତେ ଆଠ ଜଣ, ପ୍ରଥମ ଶ୍ରେଣୀ ପାଇଁ ସାତ ଜଣ ଓ ଚତୁର୍ଥ ଶ୍ରେଣୀ ପାଇଁ ଜଣେ ଏପରି କି ସର୍ବମୋଟ ଷୋହଳ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ l ଏଥିପାଇଁ ଶିଶୁବାଟିକା ପ୍ରକୋଷ୍ଠକୁ ରଙ୍ଗବେରଙ୍ଗ ବେଲୁନ୍,ଫୁଲ ଓ ଝୋଟି ଦ୍ଵାରା ସ୍ଵତନ୍ତ୍ର ଭାବରେ ସାଜସଜ୍ଜା କରାଯାଇଥିଲା l କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ମୋ ସ୍କୁଲ୍ କମିଟିର ସଭାପତି ଭଗବାନ୍ ଜେନା,ସ୍ଥାନୀୟ ସରପଞ୍ଚ ପ୍ରମୋଦ ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ସନ୍ତୋଷ ସାହୁ, କୁନା ସାହୁ ଓ କୁନି ମାଝୀ ପ୍ରମୁଖ ଯୋଗଦେଇ ସରସ୍ଵତୀଙ୍କ ବନ୍ଦନା ସହିତ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ପରେ ପରେ ପ୍ରଧାନଶିକ୍ଷୟିତ୍ରୀ ଝୁମୁରୀ ସାହୁଙ୍କ ନେତୃତ୍ୱରେ ଆଗନ୍ତୁକ କୁନି ଛାତ୍ରଛାତ୍ରୀଙ୍କୁ ବରିଷ୍ଠ ଶିକ୍ଷୟିତ୍ରୀ ନିଶାମଣି ମିଶ୍ର ଫୁଲ ଚନ୍ଦନ ଦେଇ ସ୍ୱାଗତ କରିଥିବା ବେଳେ ଅନ୍ୟତମ ବରିଷ୍ଠ ସହକାରୀ ଶିକ୍ଷୟିତ୍ରୀ ପ୍ରବାସିନୀ ମିଶ୍ର ମନ୍ତ୍ରୋଚ୍ଚାରଣ ପୂର୍ବକ ସଭିଙ୍କୁ ଖଡ଼ି ଛୁଆଁଇ ଥିଲେ l

ନାମ ଲେଖାଇଥିବା ସମସ୍ତ ଛାତ୍ରଛାତ୍ରୀ ନାଚ, ଗୀତ ଓ ଗପର ଖୁବ୍ ମଜା ନେବା ସହିତ ମିଷ୍ଟାନ୍ନ ଓ ଫଳରସ ସେବନ କରିଥିଲେ l ସାକ୍ଷରତା, ସଂଖ୍ୟାଜ୍ଞାନ ଓ ସୃଜନାତ୍ମକ ଷ୍ଟଲକୁ ସମସ୍ତ ଅଭିଭାବକ ବୁଲି ଦେଖିବା ସହିତ ଖୁସି ପ୍ରକଟ କରିଥିଲେ l ବରିଷ୍ଠ ସହକାରୀ ଶିକ୍ଷକ ଶେଖ୍ ଅବଦୁଲ୍ ଖାଲିକ୍ ଓ ସହକାରୀ ଶିକ୍ଷୟିତ୍ରୀ ସୁଷମା ବିଶ୍ବାଳ ନାମଲେଖା ଦାୟିତ୍ଵ ନିର୍ବାହନ କରିଥିବା ବେଳେ ପ୍ରଧାନଶିକ୍ଷୟିତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସହକାରୀ ଶିକ୍ଷକ ସଲିମ୍ ଇବ୍ରାହିମ୍, ଅବଦୁଲ୍ ୱାହିଦ, ତାଯୁଦ୍ଦିନ୍ ଖାଁ, ଜିତେନ୍ଦ୍ର ଗୁରୁ, ଲକ୍ଷ୍ମୀପ୍ରିୟା ନାୟକ, ସବିତା ପଟ୍ଟନାୟକ, ରଶ୍ମୀ ରଞ୍ଜିତା ବେହେରା, ଜ୍ୟୋତିର୍ମୟୀ ରାଉତ, ତ୍ରୀପୁରା ସେଠୀ, ମଗନ୍ ଜାହାନ ଓ ମଧୁସ୍ମିତା ସାହୁ ପ୍ରମୁଖ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମରେ ସହଯୋଗକରି ଆଜିର ଉତ୍ସବକୁ ଉତ୍ସବମୁଖର କରିଥିଲେ l

Related posts