ନୟାଗଡ଼,(ନୟାଗଡ଼ ଦର୍ପଣ): ଶିଶୁମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଥିବା ଲୁକ୍କାୟିତ ପ୍ରତିଭା ବାର୍ଷିକୋତ୍ସବ ପାଳନ ମାଧ୍ୟମରେ ପରିସ୍ଫୁଟିତ ହୋଇଥାଏ। ପିଲାମାନଙ୍କ ଶିକ୍ଷଣ ଦକ୍ଷତା ବ୍ୟତୀତ ସେମାନଙ୍କ ମଧ୍ୟରେ ଥିବା କଳା, ସାହିତ୍ୟ, ସଂସ୍କୃତି, ସଙ୍ଗୀତ, ଅଭିନୟ ଆଦିରେ ରହିଥିବା ଦକ୍ଷତା ପ୍ରତିପାଦନ କରିବା ପାଇଁ ବାର୍ଷିକ ଉତ୍ସବ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ନୟାଗଡ଼ ବ୍ଲକ ଅନ୍ତର୍ଗତ କାଳିକାପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକଉତ୍ସବରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆୟୋଜିତ ବାର୍ଷିକୋତ୍ସବ ସଭାରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଞ୍ଜୟ କୁମାର ମଲ୍ଲିକ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଅନ୍ୟତମ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ନିରଞ୍ଜନ ନାୟକଏବଂ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳୀ ମହାପାତ୍ର, ସମିତି ସଭ୍ୟା ଶୁଚିସ୍ମିତା ଭଟ୍ଟ, ପରିଚାଳନା କମିଟି ସଭାପତି ସୁଶାନ୍ତ କୁମାର ଭଟ୍ଟ, ଶିକ୍ଷକ ତଥା କବି ଅଶୋକ ମଲ୍ଲ, ଶିକ୍ଷକ ଲକ୍ଷ୍ମୀଧର ସାହୁ, ନାଗମୁଣ୍ଡୁଳି ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରମୁଖ ଯୋଗଦାନ କରିଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ଶିକ୍ଷକ ସନ୍ତୋଷ କୁମାର ଗୋଛାୟତ ମଞ୍ଚ ପରିଚାଳନା କରିଥିବା ବେଳେ ସିଆରସିସି ଲକ୍ଷ୍ମୀଧର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ। ପରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଶିକ୍ଷକ ଜନାର୍ଦ୍ଦନ ଲେଙ୍କା, ମନସ୍ମିତା ସାହୁ, ସୁଶାନ୍ତ କୁମାର ନାୟକ, ଦୁର୍ଗାପ୍ରସାଦ ପଣ୍ଡା ପ୍ରମୁଖଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା କମିଟି ତଥା ଗ୍ରାମବାସୀଙ୍କ ପ୍ରତ୍ୟକ୍ଷ ସହଯୋଗ ଦ୍ୱାରା ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ବେଶ ଧୂମାଧାମ ସହକାରେ ପାଳିତ ହୋଉଥିବା ବେଳେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ବୁଦ୍ଧିଜୀବୀ, ପରିଚାଳନା କମିଟିର ସମସ୍ତ ସଦସ୍ୟ ତଥା ଗ୍ରାମବାସୀମାନେ ବେଶ ଉପଭୋଗ କରିଥିଲେ।