ନୟାଗଡ଼,(ନୟାଗଡ଼ ଦର୍ପଣ): ଗତ ସରକାର ସମୟରେ ଜାତୀୟ ଏବଂ ରାଜ୍ୟ ରାଜପଥ ପାଶ୍ୱର୍ରେ ଥିବା ନୟାଗଡ଼ ସହରର ସମସ୍ତ ସରକାରୀ କାର୍ଯ୍ୟାଳୟ, ମୁଖ୍ୟ ପ୍ରବେଶ ପଥ ଗୁଡ଼ିକର ରୂପାନ୍ତରିତ ହୋଇ ଅତ୍ୟାଧୁନିକ ରୂପରେଖ ପାଇଥିଲା। ପ୍ରତ୍ୟେକ ପ୍ରବେଶପଥ ଗୁଡ଼ିକରେ ସମ୍ପୃକ୍ତ କାର୍ଯ୍ୟାଳୟର ନାମ ଫଳକ ଗୁଡ଼ିକ ବଡ଼ ବଡ଼ ଧାତବ ଅକ୍ଷରରେ ଲେଖା ହୋଇଥିବା ବେଳେ ରାତ୍ର ସମୟରେ ଏଗୁଡ଼ିକ ବିଦ୍ୟୁତ ଆଲୋକ ଦ୍ୱାରା ବେଶ ଆକର୍ଷଣୀୟ ହୋଇ ଶୋଭା ବର୍ଦ୍ଧନ କରୁଛି । ତେବେ ନୟାଗଡ଼ ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏନଏସି ଉଚ୍ଚ ବିଦ୍ୟାଳୟର ମୁଖ୍ୟ ଫାଟକରେ ଲାଗିଥିବା ବିଦ୍ୟାଳୟର ନାମ ଫଳକ ଅତି ନିମ୍ନ ମାନର ହୋଇଥିବା ବେଳେ ତାହା ଏବେ ଦୀର୍ଘ ୬ ମାସ ତଳୁ ଖସି ପଡ଼ିଛି। ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହାର ନିର୍ମାଣ ଦାୟିତ୍ୱରେ ଥିବା ବ୍ଲକ କାର୍ଯାଳୟକୁ ବାରମ୍ବାର ଜଣାଇବା ସତ୍ୱେ ନାମ ଫଳକ ଲଗାଯାଉ ନାହିଁ। ଫାଟକ ନିର୍ମାଣ ଦାୟିତ୍ୱ ନେଇଥିବା ବ୍ଲକ କାର୍ଯ୍ୟାଳୟର ସମ୍ପୃକ୍ତ କନିଷ୍ଠଯନ୍ତ୍ରୀଙ୍କ ଟାଳଟୁଳ କାର୍ଯ୍ୟକଳାପ ଯୋଗୁଁ ନାମ ଫଳକ ଲାଗି ପାରୁନଥିବା ଅଭିଯୋଗ ହେଉଛି। ସୂଚନା ଯୋଗ୍ୟ ଯେ ୫୭ନଂ ଜାତୀୟ ରାଜପଥ ପାର୍ଶ୍ଵ ତଥା ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ଶହେ ମିଟର ଦୂରରେ ଅବସ୍ଥିତ ଏହି ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଠାରୁ ଆରମ୍ଭ କରି ରାଜ୍ୟସ୍ତରୀୟ ବିଭିନ୍ନ ପ୍ରବେଶିକା ପରୀକ୍ଷା, ପ୍ରତିଯୋଗିତା ମୂଳକ ପରୀକ୍ଷା, ରାଜ୍ୟ ଏବଂ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ତଥା ବିଭିନ୍ନ କର୍ମଶାଳା ମାନ ଆୟୋଜିତ ହେଉଛି। ତେବେ ବିଦ୍ୟାଳୟର ନାମ ଫଳକ ନଥିବାରୁ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଂଚଳରୁ ଆସୁଥିବା ପରୀକ୍ଷାର୍ଥୀ, ପ୍ରଶିକ୍ଷାର୍ଥୀ ମାନେ ବିଦ୍ୟାଳୟକୁ ଖୋଜି ପାଇବାରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୂତନ ନାମ ଫଳକ ପୁନଃ ସ୍ଥାପନ କରିବା ପାଇଁ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବ୍ଲକ କର୍ତ୍ତୃପକ୍ଷଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରୁଥିବା ବେଳେ ବ୍ଲକ ପ୍ରଶାସନ ଏହାକୁ କର୍ଣ୍ଣପାତ କରୁ ନଥିବା ଜଣାପଡିଛି। ଅନ୍ୟ ପକ୍ଷରେ ଐତିହ୍ୟ ସମ୍ପନ୍ନ ଏହି ବିଦ୍ୟାଳୟର ମୁଖ୍ୟଫାଟକ କାର୍ଯ୍ୟ ଅତି ନିମ୍ନ ମାନର ହୋଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ଏବଂ ପୁରାତନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ଏପରି ଦୟନୀୟ ସ୍ଥିତି ଦେଖି କ୍ଷୋଭ ପ୍ରକାଶ କରିଛନ୍ତି।
ଏନଏସି ଉଚ୍ଚ ବିଦ୍ୟାଳୟର ମୁଖ୍ୟ ପ୍ରବେଶପଥରୁ ଖସି ପଡ଼ିଲାଣି ନାମ ଫଳକ
