ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦେଇ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ବିଜୁ ବାବୁଙ୍କର ସାହସିକତା ଓ ଓଡିଶା ପ୍ରତି ତାଙ୍କର ଅବଦାନ ଉପରେ ଟିପ୍ପଣି ପ୍ରଦାନ କରିଥିଲେ । ବିଜୁ ବାବୁ ତ୍ରିସ୍ତରୀୟ ପଞ୍ଚାୟତି ରାଜ ବ୍ୟବସ୍ଥାକୁ ଆରମ୍ଭ କରିଥିଲେ । କଂଗ୍ରେସ ଦଳ ଠାରୁ ଆରମ୍ଭ କରି ସମସ୍ତ ଦଳ ମାର୍ଚ୍ଚ ୫କୁ ବିଜୁ ବାବୁଙ୍କ ଜନ୍ମ ଦିବସ ତଥା ପଞ୍ଚାୟତରାଜ ଦିବସ ଭାବେ ସାରା ରାଜ୍ୟରେ ପାଳନ ହୋଇ ଆସୁଥିଲା । ଡବଲ ଇଞ୍ଜିନ ସରକାର ଆସିଲା ଦିନ ଠାରୁ ଆଜିର ଦିବସକୁ ପଞ୍ଚାୟତ ରାଜ ଦିବସ ଭାବେ ପାଳନ କରୁ ନଥିବାରୁ ଏଥି ନିମନ୍ତେ ସେ କ୍ଷୋଭ ପ୍ରକାଶ କରିଥିଲେ ।
ଏ ସରକାରକୁ ରାଜନୈତିକ ପାରାଲିସିସ୍ ହୋଇଛି । ସବୁ କ୍ଷେତ୍ରରେ ସ୍ଥାଣୁ ପାଲଟି ଯାଇଛନ୍ତି । ଗତ ଦୁଇ ମାସ ତଳେ ସରକାରୀ କ୍ୟାଲେଣ୍ଡରରେ ମାର୍ଚ୍ଚ ୫କୁ ପଞ୍ଚାୟତି ରାଜ ଦିବସ ଭାବେ ପାଳନ କରିବାକୁ ସ୍ଥାନିତ କରିଥିଲେ । ହଠାତ କାହିଁକି ଏ ସରକାରର ମତ ବଦଳି ଗଲା ବୋଲି ଡ. ସାହୁ ପ୍ରଶ୍ନ କରିଛନ୍ତି। ଏହା ସାଧାରଣରେ କ୍ଷୋଭ ସୃଷ୍ଟି କରିଛି । ଭାରତ ବର୍ଷର ମର୍ଯ୍ୟାଦା ପୁରୁଷ ହେଉଛନ୍ତି ବିଜୁ ବାବୁ । ତାଙ୍କ ମୃତ୍ୟୁ ପରେ ତିନୋଟି ଦେଶର ଜାତୀୟ ପତାକା ତାଙ୍କ ଶରୀର ଉପରେ ପଡିଥିଲା । ତାଙ୍କ ଜନ୍ମ ଦିବସକୁ ପଞ୍ଚାୟତିରାଜ ଦିବସ ଭାବେ କଂଗ୍ରେସ ସରକାର ଥିବା ସମୟରେ ପାଳନ ହେଉଥିଲା।

ଏ ସରକାରଙ୍କର ଦେବାଳିଆ ମସ୍ତିସ୍କ । ଗୋଟିଏ କଥା କ୍ୟାଲେଣ୍ଡରରେ କହୁଛନ୍ତି । ଆଉ ଗୋଟିଏ କଥା କାମରେ କରୁଛନ୍ତି । ସମାଜର ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନ ଦେବାରେ କୁଣ୍ଠାବୋଧ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଡବଲ ଇଞ୍ଜନ ସରକାରଙ୍କୁ।
ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସରୋଜ ରଣସିଂ, ସୁବାଷ ଚନ୍ଦ୍ର କଅଁର, ବିରଜାଲକ୍ଷ୍ମୀ ସାହୁ, ଝିଲ୍ଲୀ ପ୍ରଧାନ, ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା, ବ୍ଲକ ସଭାପତି ଅଜିତ ପ୍ରସାଦ ସାହୁ, ଯୁବ ସଭାପତି ଦୁର୍ଯ୍ୟୋଧନ ବେହେରା, ଛାତ୍ର ସଭାପତି ନୀଳମାଧବ ପଣ୍ଡାଙ୍କ ସମେତ ସମସ୍ତ ପଞ୍ଚାୟତର ସମିତି ସଭ୍ୟ, ସରପଞ୍ଚ ଏବଂ ବରିଷ୍ଠ ବିଜେଡି କର୍ମୀମାନେ ଉପସ୍ଥିତ ରହିଥିଲେ ।