ରାଜ୍ୟସ୍ତରୀୟ ନାଟ୍ୟମେଳାର ୨ୟ ସଂଧ୍ୟା: ବିମୋହିତ କଲା ବସ୍ତାବଧର୍ମୀ ସାମାଜିକ ନାଟକ ‘ଭିନ୍ନ ଏକ ସହଯାତ୍ରୀ’

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲାର ଅଗ୍ରଣୀ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ଆୟୋଜିତ ୫ମ ରାଜ୍ୟସ୍ତରୀୟ ନାଟ୍ୟମେଳାର ଦ୍ୱିତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବିମୋହିତ କରିଥିଲା ଭିନ୍ନ ସ୍ୱାଦର ଏକ ବାସ୍ତବଧର୍ମୀ ସାମାଜିକ ନାଟକ ‘ଭିନ୍ନ ଏକ ସହଯାତ୍ରୀ’ ।  ସୋମବାର ସଂଧ୍ୟାରେ ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିୟମ ଠାରେ ମଞ୍ଚସ୍ଥ ହୋଇଥିବା ଏହି ନାଟକକୁ  ବିଶିଷ୍ଟ ନାଟ୍ୟକାର ପଞ୍ଚାନନ ଦାଶ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ମଳୟ କୁମାର ମହାନ୍ତି । ପଞ୍ଚଧ୍ୱନି ନାଟ୍ୟ ପରିଷଦ, ଭୁବନେଶ୍ୱର ପକ୍ଷରୁ ପରିବେଷିତ ଏହି ନାଟକରେ ସଙ୍ଗୀତ ନିର୍ଦ୍ଦେଶନାରେ ଥିଲେ ମାନସ କୁମାର ପରିଡ଼ା।ଆଜି ଅତିଥିଭାବେ ନୟାଗଡ଼ ପୌରପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ଯୋଗଦାନ କରିଥିବା ବେଳେ ନାଟ୍ୟଧାରା ପରିବାର ପକ୍ଷରୁ ସଭାପତି ପ୍ରମୋଦ ପଟ୍ଟନାୟକ, ସଂପାଦକ ଲକ୍ଷ୍ମୀଧର ମହାପାତ୍ର, ନାଟ୍ୟ ନିର୍ଦ୍ଦେଶକ ଡ.ବିଜୟ କୁମାର ଚୌଧୁରୀ ପ୍ରମୁଖ ଯୋଗଦାନ କରିଥିଲେ । ନାଟକ ମଞ୍ଚସ୍ଥ ପୂର୍ବରୁ ପ୍ରଖ୍ୟାତ ସିନେ ଅଭିନେତା ସ୍ବର୍ଗତ ଉତ୍ତମ ମହାନ୍ତିଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

ମଣିଷ ତା’ ଜୀବନ ଯାତ୍ରାରେ ସବୁବେଳେ ସହଜ, ସରଳ, ସୁବିଧା ରାସ୍ତାକୁ ଆପଣେଇ ଥାଏ । ଏକ ଆରାମପ୍ରଦ ସୀମିତ ବଳୟ ମଧ୍ୟରେ ନିରାପଦରେ ଜୀବନ କାଟିବାକୁ ଶ୍ରେୟ ମନେ କରିଥାଏ । ସମସ୍ତେ ଖୋଜି ବସନ୍ତି; ନିଜକୁ ସୁହାଇଲାପରି ଚାକିରୀଟିଏ ବୃତ୍ତି ବା ବ୍ୟବସାୟଟିଏ । ବିବାହ କ୍ଷେତ୍ରରେ ମଧ୍ୟ ପୁଅ ବା ଝିଅର ଶିକ୍ଷା, ଚାକିରୀ ବ୍ୟବହାର ଓ ଆଚରଣ ସହ ଖାପ୍ ଖାଇଲା ପରି ପାତ୍ରଟିଏ ଖୋଜାଯାଏ ଏବଂ ତଦନୁଯାୟୀ ତା’ର ମାନଦଣ୍ଡ ପୂର୍ବରୁ ସ୍ଥିରୀକୃତ ହୋଇଯାଇଥାଏ । ତେଣୁ ପ୍ରାୟ ଅଧିକାଂଶ କ୍ଷେତ୍ରରେ ଆମେ ସମାନ ବୃତ୍ତିଧାରୀ ଦମ୍ପତ୍ତିଙ୍କୁ ଦେଖ‌ିବାକୁ ପାଉ । କିନ୍ତୁ ଶୈଳେନ୍ଦ୍ର ପରି ଜଣେ ଶାନ୍ତ, ସରଳ, ଅତି ସହଣୀୟ,ନମ୍ର ସ୍ଵଭାବର ସ୍ଵଳ୍ପ ବେତନଭୋଗୀ ସାଧାରଣ ସ୍ଵାସ୍ଥ୍ୟ ଥ‌ିବା ଯୁବ ଅଧ୍ୟାପକଙ୍କ ସହ ଖେଳ, ଦୌଡ଼, କୁସ୍ତିରେ ନିପୁଣା, ଅତି
ସୁଦକ୍ଷା ଓ ସାହାସରେ ପୁରୁଷାଧିକ ଜଣେ ସ୍ଵାସ୍ଥ୍ୟବତୀ ମହିଳା ପୋଲିସ୍ ଇନ୍ସପେକ୍ଟରଙ୍କୁ ଯଦି ବାହା କରି ଦିଆଯାଏ ତେବେ ତାର ପରିଣତି ସେହି ଦମ୍ପତ୍ତି, ପରିବାର ଓ ସମାଜ ପ୍ରତି ଶୁଭଙ୍କର ହେବ ତ ? ସତରେ ଆଜିର ନାରୀର ମନୋବଳ, ପାରଦର୍ଶିତା ଓ ଆକ୍ରମଣାତ୍ମକ ପ୍ରତିମୂର୍ତ୍ତି ଦେଖ‌ିଲେ ପୁରୁଷ ପଛରେ ପଡ଼ିଗଲା ପରି ମନେହୁଏ । ସମୟ ଆସିଗଲାଣି, ଆଜିର ନାରୀ ସହ ପାଦ ମିଳାଇ ଚାଲିବାକୁ ହେଲେ ପୁରୁଷ ସଶକ୍ତିକରଣ ବା ପୁରୁଷର ସ୍ଵ-ଶକ୍ତିକରଣ ଆବଶ୍ୟକ। ଏମିତି ଏକ ବାସ୍ତବମୁଖୀ ଭାବନା ଓ ପରୀକ୍ଷାମୂଳକ ପ୍ରୟୋଗକୁ ନେଇ ନାଟକ ‘ଭିନ୍ନ ଏକ ସହଯାତ୍ରୀ’ ମଞ୍ଚସ୍ଥ ହୋଇଥିବା ବେଳେ ଦର୍ଶକଙ୍କ ପାଇଁ ନାଟକଟି ବେଶ ଉପଭୋଗ୍ୟ ତଥା ଶିକ୍ଷଣୀୟ ହୋଇଥିଲା। ନାଟକର ବିଭିନ୍ନ ଭୂମିକାରେ ବିରଞ୍ଚି କୁମାର ଦାଶ, ମଳୟ କୁମାର ମହାନ୍ତି, କରୁଣାକର ସାମଲ,ପ୍ରଦୀପ କୁମାର ପାଇକରାୟ, କାହ୍ନୁଚରଣ ପ୍ରଧାନ, ଜ୍ୟୋତିରଂଜନ ରାୟ,ରାଜେଶ ମଲିଆ, ଅନନ୍ୟା ମହାପାତ୍ର, ବିବେକଲାଲ୍ ପ୍ରମୁଖ ଅଭିନୟ କରିଥିଲେ । ଦ୍ୱିତୀୟ ସଂଧ୍ୟାର ନାଟକକୁ ନାଟ୍ୟଧାରା ପରିବାର ପକ୍ଷରୁ ପ୍ରଶାନ୍ତ କୁମାର ଦାଶ, ଲକ୍ଷ୍ମୀଧର ସାହୁ,ପ୍ରଶାନ୍ତ ପଟ୍ଟନାୟକ, ଅଶୋକ ମଲ୍ଲ, ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ  ନାଟକଟିକୁ ଅଡିଟୋରିୟମରେ ଭରପୂର ଦର୍ଶକ ବେଶ ଉପଭୋଗ କରିଥିଲେ।

Related posts