ଓଡ଼ଗାଁ, (ନୟାଗଡ଼ ଦର୍ପଣ): ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କର ଇକୋକ୍ଳବ ଓ ସ୍କାଉଟ ଗାଇଡର ପ୍ରାୟ ୨୦ଜଣ ଛାତ୍ର ଛାତ୍ରୀମାନଙ୍କୁ ନେଇ ରୋହିବାଙ୍କ ଗ୍ରାମରେ “ଜଙ୍ଗଲ ଦେଇଛି ଜୀବନ ପ୍ରାଣ ” ପଥପ୍ରାନ୍ତ ନାଟକ ପରିବେଷଣ ହୋଇସାରିଛି। ପିଲାମାନେ ଭାଲୁ, ସିଂହ, ହରିଣ, ଶୁଆ, ଚିଲ, ସାଗୁଣା ଆଦି ବେଶ ଓ ମୁଖାପିନ୍ଧି ପରିବେଷଣ କରିଥିଲେ। ଜଙ୍ଗଲରେ ନିଆଁ ଲଗାଇବାର କୁପରିଣତି ସ୍ୱରୂପ ତାପମାତ୍ରାରେ ଅହେତୁକ ବୃଦ୍ଧି ସାଙ୍ଗକୁ ଜଙ୍ଗଲରେ ବାସକରୁଥିବା ପଶୁପକ୍ଷୀ ମାନଙ୍କର ବାସସ୍ଥାନ ହରାଇଛନ୍ତି।

ସେ କାରଣରୁ ପଶୁପକ୍ଷୀମାନେ ଗ୍ରାମ ଓ ସହର ଅଭିମୁଖୀ ହେବା ସାଙ୍ଗକୁ ମଣିଷ ଓ ପଶୁମାନଙ୍କ ମଧ୍ୟ୍ୟରେ ଖାଦ୍ୟ ଖାଦକ ଲଢେଇ ପାଇଁ ଉଭୟଙ୍କ ଜୀବନ ହାନି ହେବା, ବର୍ଷା ଉଭେଇ ଯିବା ଆଦି ବିପଦ ପ୍ରତି ଲୋକଙ୍କୁ ସଚେତନ କରାଇ ଜଙ୍ଗଲରେ ଗଛଲଗାବା, ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବା ପାଇଁ ବାର୍ତ୍ତା ପ୍ରେରଣ କରାଯାଇଥିଲା। ଏଭଳି ପରିବେଶ ଧର୍ମୀ ନାଟକ ନିଜେ ଲେଖି ନିର୍ଦେଶନା ଦେଇଥିଲେ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ସାହୁ। ଗ୍ରାମର ସଭାପତି ସମେତ ଅନେକ ବୁଦ୍ଧିଜୀବୀ ଓ ଲୋକମାନେ ପିଲାଙ୍କ ଏଭଳି କାର୍ଯ୍ୟକ୍ରମକୁ ଅତି ପ୍ରଶଂସା କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ଆଚାର୍ଯ୍ୟ ପିଲାମାନଙ୍କୁ ଧନ୍ୟବାଦ ଦେଇ ପୁରସ୍କୃତ କରିଥିଲେ। ଖେଳ ଶିକ୍ଷକ ଆଲୋକ ନାୟକ, ଅବନ୍ତୀ ବେହେରା, ସୁନିତା ବେହେରା, ବିଷ୍ନୁପ୍ରିୟା ବାରିକ, ବିଜୟଲଷ୍ମୀ ଦଳେଇ, ପ୍ରିୟଦର୍ଶନୀ ମହାପାତ୍ର ସୂର୍ଯ୍ୟମଣୀ ନାୟକ, ଖୋଗେଶ୍ୱର ବେହେରା, ରାଧାଗୋବିନ୍ଦ ନାୟକ ଆଦି ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।
