ନବବର୍ଷରେ ପାଇଥିବା ଉପହାରକୁ ଛାତ୍ରଛାତ୍ରୀଙ୍କୁ ବିତରଣ କଲେ ନୟାଗଡ଼ ଜିଲ୍ଲାପାଳ

ନୟାଗଡ଼,(ନୟାଗଡ଼ ଦର୍ପଣ): ଚଳିତ ବର୍ଷ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ନବବର୍ଷର ଶୁଭେଚ୍ଛାରେ ଫୁଲତୋଡ଼ା, ମିଠା ପ୍ୟାକେଟ୍‌, ଡାଇରୀ ପରିବର୍ତ୍ତେ ବିଦ୍ୟାଳୟ ମାନଙ୍କରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅତି ଆବଶ୍ୟକୀୟ ଉପକରଣ ଯଥା-ଖାତା, କଲମ,ପେନସିଲ, ରବର, କଟର, କଲରବାକ୍ସ, ଜ୍ୟାମିତି ବାକ୍ସ ଇତ୍ୟାଦି ଉପହାରରେ ଜିଲ୍ଲାର ସମସ୍ତ ଅଧସ୍ତନ ଅଧିକାରୀ, କର୍ମଚାରୀ, ସରକାରୀ ଓ ବେସରକାରୀ ସଂସ୍ଥାର କର୍ମକର୍ତ୍ତାମାନେ ତାଙ୍କୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ । ଏହାର ଫଳସ୍ୱରୁପ ବହୁ ପରିମାଣରେ ଉପରୋକ୍ତ ଉପକରଣଗୁଡ଼ିକ ଜିଲ୍ଲାପାଳଙ୍କ ନିକଟରେ ଆସି ପହଞ୍ଚିଥିଲା । ଆଜି ଜିଲ୍ଲାପାଳ ରଣପୁର ବ୍ଲକର ମଝିଆଖଣ୍ଡ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଉପସ୍ଥାନ ଅନୁଯାୟୀ ୪୫୬ଜଣ ଛାତ୍ରଛାତ୍ରୀଙ୍କୁ ଖାତା, କଲମ, ପେନସିଲ, ରବର, କଟର, କଲର, ସ୍କେଲ, ସ୍କେଚ୍‌ପେନ୍‌, ଜ୍ୟାମିତିବାକ୍ସ ଇତ୍ୟାଦିକୁ ପ୍ୟାକେଟ୍ କରି ବଣ୍ଟନ କରିଥିଲେ । ବିଭିନ୍ନ ନୂତନ ପାଠ୍ୟ ଉପକରଣ ପାଇ ଛାତ୍ରଛାତ୍ରୀମାନେ ବିଶେଷ ଆନନ୍ଦିତ ହୋଇଥିଲେ । ଜିଲ୍ଲାପାଳଙ୍କ ଏହି ବିତରଣ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରା, ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ, ସାଧନ କେନ୍ଦ୍ର ସଂଯୋଜକ ସୁଶିଲ କୁମାର ରଣା, ବିଶ୍ୱଭୁଷଣ ବେହେରା, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ।

Related posts