ନୟାଗଡ଼ ଜିଲ୍ଲା କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳନ


ନୟାଗଡ଼, (ନୟାଗଡ଼ ଦର୍ପଣ): ଭାରତୀୟ ଉପମହାଦେଶର ଜାତୀୟତା, ଦେଶପ୍ରେମ ଓ ଅଖଣ୍ଡତା ପାଇଁ ସମ୍ବିଧାନ ଏବଂ ସମ୍ବିଧାନର ମୌଳିକ ଉପାଦାନ ଜାଣିବା ନିହାତି ଆବଶ୍ୟକ । ୨୬ ନଭେମ୍ବର ୧୯୪୯ ମସିହାରେ ସମ୍ବିଧାନ ସମ୍ପୂର୍ଣ୍ଣ  ହୋଇଥିବାବେଳେ, ୨୬ ଜାନୁଆରୀ ୧୯୫୦ ମସିହାରୁ ସମ୍ବିଧାନ କାର୍ଯ୍ୟକ୍ଷମ ହେଲା । ସମ୍ବିଧାନର ମହନୀୟତାକୁ ଜାଣିବା ଉଦେଶ୍ୟରେ ୨୬ ନଭେମ୍ବରକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯାଇ ଆସୁଅଛି। ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ ସମସ୍ତ ବିଚାରପତି ଏବଂ କର୍ମଚାରୀମାନଙ୍କୁ ନେଇ ଦିବା ୧୧ଘଟିକା ସମୟରେ ସମ୍ବିଧାନର ମୁଖବନ୍ଧ ପଠନ କରାଯାଇଥିଲା।

ପୁନଶ୍ଚ ଅପରାହ୍ନ ୪.୩୦ ଘଟିକା ସମୟରେ ଜିଲ୍ଲା କୋର୍ଟ ପରିସର ତୃତୀୟ ମହଲା କନଫରେନ୍ସ ହଲରେ  “ମୌଳିକ କର୍ତ୍ତବ୍ୟ” ଉପରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଜାତୀୟ ଆଇନ ସେବା ପ୍ରାଧିକରଣ ସଙ୍ଗୀତ “ଏକ ମୁଠି ଆସମାନ” ଗାନ ସହିତ ସଭାକାର୍ଯ ଅନୁଷ୍ଠିତ ହୋଇ, ସମ୍ବିଧାନ ଏବଂ ମୌଳିକ କର୍ତ୍ତବ୍ୟ ଉପରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ ପରିବାର ଅଦାଲତ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ବିଚାରପତି ରିଜା ରାୟ, ମହିଳା ଅଦାଲତ ବିଚାରପତି ସ୍ଵୟଂପ୍ରଭା ଆଚାର୍ୟ, ସଚିବ ଅଞ୍ଜଳି ମଛଖଣ୍ଡ, ବରିଷ୍ଠ ବର୍ଗ ବିଚାରପତି ରବିନାରାୟଣ ବେହେରା, ବରିଷ୍ଠ ବର୍ଗ ବିଚାରପତି ସତ୍ୟବ୍ରତ ରଣା, ରେଜିଷ୍ଟର ଡ. ନିଶାକର ସାହୁ , ଅତିରିକ୍ତ ଜିଲ୍ଲାପାଳ ଦିଲୀପ କୁମାର ବଳ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସନାତନ କାଲୋ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ । ବରିଷ୍ଠ ଆଇନଜୀବି ଦଣ୍ଡପାଣି ସ୍ବାଇଁ, ମଳୟ ଗୋପୀନାଥ ରଥ, ଚତୁର୍ଭୁଜ ପ୍ରଧାନ, ରମେଶ ଚନ୍ଦ୍ର ମହାରଣା, ମଦନ ମୋହନ ପଣ୍ଡା, ସୁନିଲ କୁମାର ମହାପାତ୍ର, କାର୍ତ୍ତିକ ନାୟକ ଏବଂ ମହମ୍ମଦ ଓମାର ମାଲିକ ମତ ପ୍ରଦାନ କରିଥିଲେ । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ , ନୟାଗଡର ଛାତ୍ରୀମାନେ ଏକ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିବା ସହିତ ସମସ୍ତ ନ୍ୟାୟ ଅଧିକାର ମିତ୍ର ଏବଂ ବରିଷ୍ଠ ଆଇନଜୀବି ଦଣ୍ଡପାଣି ସ୍ବାଇଁ, ରମେଶ ଚନ୍ଦ୍ର ମହାରଣା ଏବଂ ପ୍ୟାନେଲ ଆଡଭୋକଟେମାନଙ୍କୁ, ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନୟାଗଡ ବାରର ସମସ୍ତ ଆଇନଜୀବୀ, ସାମ୍ବାଦିକ, ନ୍ୟାୟ ଅଧିକାର ମିତ୍ର ଏବଂ ପ୍ରାଧିକରଣର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ପବନ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Related posts