ନୟାଗଡ଼ ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା, କୃଷି ମେଳା ଓ ପୁସ୍ତକ ମହୋତ୍ସବର ପ୍ରଥମ କୋର କମିଟି ବୈଠକ

ଡିସେମ୍ବର ୨୪ରୁ ୨୮ତାରିଖ ଜିଲ୍ଲା ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା, କୃଷି ମେଳା ଓ ପୁସ୍ତକ ମହୋତ୍ସବର ପ୍ରଥମ କୋର କମିଟି ବୈଠକ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅପରାହ୍ନ ୩ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିରକ୍ତ ଜିଲ୍ଲାପାଳ ରୋଜିନା ଦାସ ମଂଚାସୀନ ପୁରୀ ସାଂସଦ ଡା. ସମ୍ବିତ୍ ପାତ୍ର, ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳ ଏବଂ ମଂଚ ସମ୍ମୁଖରେ ଉପସ୍ଥିତ ଥିବା ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ପଣ୍ଡା, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ଏବଂ ଅନ୍ୟ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ବୈଠକରେ ଜିଲ୍ଲାପାଳ ଅଧ୍ୟକ୍ଷତା କରିବା ପାଇଁ ଅନୁରୋଧ କରିଥିଲେ।

ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ମଂଚାସିନ ସମସ୍ତ ଅତିଥିମାନଙ୍କୁ ସ୍ୱାଗତ କରି କହିଥିଲେ ଯେ, ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ନୟାଗଡ଼ ଜିଲ୍ଲାରେ ଆସନ୍ତା ଡିସେମ୍ବର ୨୪ରୁ ୨୮ତାରିଖ ୫ଦିନ ବ୍ୟାପି ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହୁଏ । ଏହି ମହୋତ୍ସବରେ ସ୍ଥାନୀୟ ଲୋକକଳା, ଲୋକସଂସ୍କୃତି, ଉତ୍ପାଦର ବିକ୍ରିବଟା ଦ୍ୱାରା ଅଂଚଳର ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଭିବୃଦ୍ଧି ଘଟିଥାଏ । ରାଜ୍ୟର ବିଭିନ୍ନ କୋଣ ଅନୁକୋଣ ତଥା ରାଜ୍ୟ ବାହାରୁ କଳାକାରମାନେ ଆସି ସେମାନଙ୍କର କଳା ନୈପୂଣ୍ୟ ପ୍ରଦର୍ଶନ ଦ୍ୱାରା ଜନସାଧାରଣ ଆନନ୍ଦ ଅନୁଭବ କରିଥାନ୍ତି । ସ୍ଥାନୀୟ କଳାକାରମାନଙ୍କର ସୁପ୍ତ ଓ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ପାଇଁ ଏହା ଏକ ପ୍ରକୃଷ୍ଟ ମଂଚ । ତେଣୁ ଆମ ସମସ୍ତଙ୍କ ମିଳିତ ସହଯୋଗ ଓ ସମନ୍ୱୟରେ ଆପଣମାନଙ୍କର ପୂର୍ବ ବର୍ଷର ଅନୁଭୁତିକୁ ନେଇ ଦିଗ୍‌ଦର୍ଶନ ଓ ସାହାଯ୍ୟ ସହଯୋଗ ଆଶା କରୁଅଛି ।

ସାଂସଦ ଡା. ପାତ୍ର କହିଲେ ଯେ, ପର୍ଯ୍ୟାୟକ୍ରମେ ବିଭିନ୍ନ ରାଜ୍ୟସହ ସହବନ୍ଧନ କରି ଆମ ଜିଲ୍ଲା ମହୋତ୍ସବକୁ ଆଗେଇ ନେଲେ ଏବଂ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ, ଅନ୍ୟାନ୍ୟ ମନ୍ତ୍ରୀମାନଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରି ନୟାଗଡ଼ ଜିଲ୍ଲାର କଳା ସଂସ୍କୃତିକୁ ଅନ୍ୟ ରାଜ୍ୟ ସହ ପରିଚୟ କରାଇବା । ସମ୍ମାନନୀୟା ବାଚସ୍ପତି ନୟାଗଡ଼ ଜିଲ୍ଲାର ସମସ୍ତ ପୂର୍ବତନ ଜନପ୍ରତିନିଧିମାନଙ୍କୁ ମହୋତ୍ସବ ମଂଚକୁ ଆମନ୍ତ୍ରଣ କରି ସମ୍ମାନିତ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ମାନ୍ୟବର ବିଧାୟକ ନୟାଗଡ଼ ଡ. ସାହୁ ପିଟିଏସ ରାସ୍ତା ତୁରନ୍ତ ମରାମତି ଓ ଆଲୋକୀକରଣ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ସେ ପୁଣି କହିଥିଲେ ନୟାଗଡ଼ ମହୋତ୍ସବ ଲୋକମାନଙ୍କର । ତେଣୁ କଳାକାର, ସାମ୍ବାଦିକ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ନେଇ ଆଉ ଏକ ବୈଠକ ଡାକିବା ପାଇଁ ବୈଠକରେ ପରାମର୍ଶ ଦେଇଥିଲେ। ଅତିଥିମାନଙ୍କ ସହିତ ଯୋଗାଯୋଗ କରି ନିମନ୍ତ୍ରୀତ ଅତିଥି ଚୂଡ଼ାନ୍ତୀକରଣ କରିବା ପାଇଁ ମାନ୍ୟବର ସାଂସଦ ଓ ମାନନୀୟା ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ ।

ମାନ୍ୟବର ବିଧାୟକ ଦଶପଲ୍ଲା ଶ୍ରୀ ବେହେରା ପ୍ରକାଶ କରିଥିଲେ ଯେ, ନୟାଗଡ଼ ଜିଲ୍ଲାର ଲୁକ୍କାୟିତ ପ୍ରତିଭାର ପରିପ୍ରକାଶ ନିମନ୍ତେ ଏହା ଏକ ପ୍ରକୃଷ୍ଟ ମଂଚ । ଜିଲ୍ଲା ମହୋତ୍ସବକୁ ରଙ୍ଗାରଙ୍ଗ କରି ସରସ ସୁନ୍ଦର କରିବା ପାଇଁ ପ୍ରସ୍ତାବ ରଖିଥିଲେ ।

ଜିଲ୍ଲା ପରିଷଦ ସଭାପତି ଇଂ ପଟ୍ଟନାୟକ ପ୍ରତ୍ୟେକ ବ୍ଲକରୁ ଜଣେ ଜଣେ ମଂଚ ପରିଚାଳକ ବାଛି ମଂଚରେ ସୁଯୋଗ ଦେବା ପାଇଁ ପ୍ରସ୍ତାବ ରଖିଥିଲେ । ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ମହାରାଷ୍ଟ୍ରରୁ ସାଂସ୍କୃତିକ ଦଳ ସହ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ସର୍ବଶ୍ରେଷ୍ଠ ସାଂସ୍କୃତିକ ଦଳମାନଙ୍କୁ ଏହି ମୋହତ୍ସବରେ ସାମିଲ କରିବା ପାଇଁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଥିଲେ । ଆରକ୍ଷୀ ଅଧୀକ୍ଷିକା ଏସ. ସୁଶ୍ରୀ ପିଟିଏସ ରାସ୍ତାର ଆଲୋକୀକରଣ ଏବଂ ପୋଲ ନିର୍ମାଣ କାମ ଶୀଘ୍ର ସାରିବା ପାଇଁ ଗୁରୁତ୍ୱ ଆରୋପ କରିଥିଲେ । ସର୍ବଶେଷରେ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Related posts