ଓଡ଼ଗାଁରେ ‘ସଙ୍ଗୀତଧାରା’ ପକ୍ଷରୁ ଭକ୍ତିସଙ୍ଗୀତ ଅଡିସନ, ୧୩ ଜଣ ସେମି ଫାଇନାଲକୁ ଉନ୍ନୀତ

ନୟାଗଡ଼,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଓଡ଼ଗାଁରେ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ଅଡିସନ ଓଡ଼ଗାଁ ସାମ୍ବାଦିକ ସଂଘ ସଭାପତି ଅଶୋକ କୁମାର ମହାପାତ୍ରଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ରେସପ୍ଲସ ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ଏହି ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ,ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ ରୁ ୨୪ବର୍ଷ ବୟସର ୨୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ବିଚାରକ ଭାବେ ବେତାର ଏବଂ ଚଳଚ୍ଚିତ୍ର କଣ୍ଠଶିଳ୍ପୀ ନବକିଶୋର ମିଶ୍ର,କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ ଏବଂ କଣ୍ଠଶିଳ୍ପୀ ଉଦିତ ନାରାୟଣ ଦାଶ ଯୋଗଦାନ କରି ଶ୍ରେଷ୍ଠ ୧୩ ଜଣ କଣ୍ଠଶିଳ୍ପୀଙ୍କୁ ସେମି ଫାଇନାଲ ପର୍ଯ୍ୟାୟ ପାଇଁ ଚୟନ କରିଥିଲେ।  ସଙ୍ଗୀତଧାରାର ସଭାପତି ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀ ଏବଂ ସମ୍ପାଦକ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ  କୋଷାଧ୍ୟକ୍ଷ ପ୍ରଦୀପ କୁମାର ସାହୁ,ସଂଯୋଜକ ଲକ୍ଷ୍ମୀଧର ସାହୁଙ୍କ ସମେତ ସଙ୍ଗୀତଧାରା ସଦସ୍ୟ ଲକ୍ଷ୍ମୀଧର ମହାପାତ୍ର,ଅଶୋକ ମଲ୍ଲ, ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ସୂଚନା ଯୋଗ୍ୟଯେ ଜିଲ୍ଲାର ସମସ୍ତ ୮ଟି ବ୍ଳକରେ  ଏହି ପରି ପ୍ରତିଯୋଗିତା କରାଯିବ। ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ  ‘ନୟାଗଡ଼ ସଙ୍ଗୀତ କଲ୍ଲୋଳ’ ଉପାଧି ସହିତ ନଗଦ ୧୧ ହଜାର ଟଙ୍କା ପୁରସ୍କାର ଅର୍ଥରାଶି ଏବଂ ଦ୍ୱିତୀୟ,ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ କ୍ରମାନ୍ୱୟେ ୫ ହଜାର ଏବଂ ୩ ହଜାର ଅର୍ଥରାଶି ପୁରସ୍କାର ପ୍ରଦାନ ସକାଶେ ସ୍ଥିର କରାଯାଇଅଛି।

Related posts