ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ମାଛିପଡ଼ା ଶ୍ୟାମବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଘଟିଛି ଅଭାବନୀୟ ଘଟଣା। ଦୁଇ ଛାତ୍ରଙ୍କୁ କ୍ଳାସରୁମରୁ ଟାଣି ଆଣି ନିର୍ଧୁମ ମାଡ଼ ଦେଇଛନ୍ତି କିଛିଯୁବକ। ସୁଚନା ମୁତାବକ ଗତ ୨୪ତାରିଖରେ ଉକ୍ତ ବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠିଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। ଯାହାକୁ ନେଇ ସମାଧାନ କରିବା ନିମନ୍ତେ ନିଷ୍ପତି ହୋଇଥିଲା। କିନ୍ତୁ ଉକ୍ତ ଘଟଣାକୁ ନେଇ ସ୍କୁଲ ପରିଷରରେ ଦେଖାଯାଇଛି ତୁମୁଳ କାଣ୍ଡ । ଏପରି ମାଡ଼ ଦେଇଛନ୍ତି ଯେ ଦୁଇ ଛାତ୍ର ବର୍ତମାନ ନୟାଗଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାକୁ ନେଇ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଫକୀର ପ୍ରଧାନ ସଦର ଥାନାରେ ଏକ ମାମଲା ରୁଜୁ କରିଛନ୍ତି।
ଏତଲାନୁସାରେ ଶୁକ୍ରବାର ସକାଳ ୧୦ ଘଟିକା ସମୟରେ ବେଲବଣି ଗ୍ରାମର ରାହୁଲ ନାୟକ, ସୁରେଶ ଚନ୍ଦ୍ର ନାୟକ ଓ ୨୦ ଯୁବକ ବେଲବଣି ଗ୍ରାମର ଗ୍ରାମ୍ୟ ସଭାପତିଙ୍କ ପରାମର୍ଶ କ୍ରମେ ବିଦ୍ୟାଳୟକୁ ପ୍ରବେଶ କରି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ମାଛିପଡ଼ାର ଜିତୁ ସାହୁଙ୍କ ପୁଅ ଅନିଲ ସାହୁ ଓ ସନ୍ତୋଷ କୁମାର ବାଡ଼ତିଆଙ୍କ ପୁଅ ଶୁଭମ୍ ବାଡ଼ତିଆଙ୍କୁ ଶ୍ରେଣୀ ଗୃହରୁ ବାହାର ବାରଣ୍ଡାକୁ ଘୋଷାଡି ଆଣି ବିଧା ଗୋଇଠା ମାରିଥିଲେ । ସ୍କୁଲ ପରିଷରରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଦୁଇ ଛାତ୍ରଙ୍କୁ ତଡି ତଡି ପିଟିଥିଲେ। ଏହାକୁ ଦେଖି ସ୍କୁଲର ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ଶିକ୍ଷକମାନେ ଛଡ଼ାଇବା ପାଇଁ ଚେଷ୍ଟା କରିଥିଲେ । ମାଡ଼ରୁ ବର୍ତିନାହାନ୍ତି ସ୍କୁଲର ଶିକ୍ଷକ ମାନେ। ଏଥି ସହିତ ଆମ୍ଭେମାନେ ହରିଜନ ଆଦିବାସୀ ଲୋକ ମକଦ୍ଦମା କରି ଫସେଇ ଦେବାର ଧମକ ଦେଇଥିଲେ। ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଭିନ୍ନ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଧାନ ଶିକ୍ଷକ ସଦର ଥାନାର ଦ୍ବାରସ୍ଥ ହୋଇଛନ୍ତି ।
ଏହି ଘଟଣାରେ ସଦରଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଥାନା ଅଧିକାରୀ ବିଜୟା ସାହୁ ଏହାର ତଦନ୍ତ ଦାୟିତ୍ଵରେ ଅଛନ୍ତି । ମାମଲାରେ ସଂଶ୍ଳିଷ୍ଟ ୬ ଜଣ ନାବାଳକଙ୍କୁ ଥାନାରେ ଅଟକ ରଖାଯାଇଛି । ଆହାତ ଛାତ୍ରଛାତ୍ରୀଙ୍କ ଚିକିତ୍ସା କଥା ବୁଝିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ପୁଲିସ ଟିମ୍କୁ ଦାୟିତ୍ୱ ଦିଆଯାଇଛି । ଏହା ସହିତ ଘଟଣାକୁ ଅନୁଧ୍ୟାନ କରିବା ପାଇଁ ଜଣେ ଡିଏସପିଙ୍କୁ ଦାୟିତ୍ଵ ଦିଆଯାଇଛି । ନୟାଗଡ଼ ଏସ୍ପି ରାହୁଲ ଜୈନ ଏହା ଉପରେ ତୀକ୍ଷ୍ଣ ନଜର ରଖିଥିବା ବେଳେ ଶୁନ୍ୟ ସହନଶୀଳତା ନୀତି ଆପଣା ଯାଇଥିବା ପୁଲିସ ପ୍ରଶାସନ ପକ୍ଷରୁ ସାମ୍ବାଦିକଙ୍କୁ ସୂଚନା ଦିଆଯାଇଛି।